ବାତ୍ୟା ମୁକାବିଲା: ଆଶ୍ରୟ ସ୍ଥଳ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୫(ବ୍ୟୁରୋ): ବାତ୍ୟା ‘ୟାସ୍‌’ ଜନିତ ସ୍ଥିତିର ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପ୍ରସ୍ତୁତ ହୋଇଛି। ଆବଶ୍ୟକ ସମୟରେ ଲୋକଙ୍କୁ କିପରି ଆଶ୍ରୟସ୍ଥଳୀକୁ ଅଣାଯିବ ସେ ନେଇ ବ୍ୟାପକ ବ୍ୟବସ୍ଥା ହୋଇଛି। ପୂର୍ବ ଜୋନ୍‌ରେ ସମସ୍ତ ଆଶ୍ରୟସ୍ଥଳୀ ସମେତ ସହରରେ ଥିବା ୨୭ଟି ସମ୍ବେଦନଶୀଳ ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରାଯାଇଛି। ସମସ୍ତ ଆଶ୍ରୟସ୍ଥଳୀରେ ପିଇବା ପାଣି, ଶୁଖିଲା ଖାଦ୍ୟ ଯଥେଷ୍ଟ ପରିମାଣରେ ମହଜୁଦ୍‌ କରି ରଖାଯାଇଛି। ଏସବୁ ଅଞ୍ଚଳକୁ ଆଶା, ଅଙ୍ଗନଓ୍ବାଡି କର୍ମୀ, ଓ୍ବାଟ୍‌କୋ, ଇଂଜିନିୟରଙ୍କୁ ବିଭିନ୍ନ ଦାୟିତ୍ୱରେ ରଖାଯାଇଛି। ସେହିପରି ଲୋକଙ୍କୁ ଚୁଡା, ଗୁଡ, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ଦେବାର ବ୍ୟବସ୍ଥା ହୋଇଛି। ପବନବେଳେ ରାସ୍ତାରେ ଗଛ ପଡିଲେ ତାହାକୁ ସଫା କରିବା ପାଇଁ ପାଓ୍ବାର କଟର, ଜେସିବି ଓ ଜେନେରେଟର ପ୍ରସ୍ତୁତ ରଖାଯାଇଛି। ଜଳମଗ୍ନ ହେବା ଆଶଙ୍କା ଥିବା ସ୍ଥାନ ବିଶେଷକରି ସହରର ତଳି ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ୬୦ ପ୍ରତିଶତ ପାଣି ପମ୍ପ ଓ ୪୦ ପ୍ରତିଶତ ଫାୟାର ପମ୍ପ ଲଗାଯାଉଛି। ସହରବାସୀଙ୍କର ଯେପରି କୌଣସି ଅସୁବିଧା ନ ହୁଏ ସେଥିପାଇଁ ଓ୍ବାର୍ଡ ସ୍ତରରେ ଅଫିସରମାନଙ୍କୁ ତଦାରଖ ଦାୟିତ୍ୱ ଦିଆଯାଇଛି। ଏ ସମସ୍ତ କାର୍ଯ୍ୟ ଆଡିଶନାଲ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଓ ଡେପୁଟି କମିଶନର (ଏମ୍‌ରଜେନ୍ସି) ରମେଶ ଚନ୍ଦ୍ର ଜେନାଙ୍କ ତତ୍ତ୍ୱାବଧାନରେ କରଯାଉଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

Share