ଓ୍ବାୟନାଡ୍‌ରୁ ବ୍ରହ୍ମପୁର ଫେରିଲା ‘ଷ୍ଟର୍ମ’,

ବ୍ରହ୍ମପୁର,୨୬ା୮(ସୁବାସ ଚନ୍ଦ୍ର ପାଢ଼ୀ): କେରଳର ୱାୟନାଡ୍‌ ଜିଲାରେ ଗତ ଜୁଲାଇ ୩୦ରେ ହୋଇଥିବା ପ୍ରଳୟଙ୍କାରୀ ଭୂସ୍ଖଳନରେ ନିଖୋଜଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ଯାଇଥିବା ବ୍ରହ୍ମପୁର ପୋଲିସର ସନ୍ଧାନୀ କୁକୁର ‘ଷ୍ଟର୍ମ’ ଫେରିଛି। ସେଠାରେ ସର୍ଚ୍ଚ ଅପରେଶନ ସମୟରେ ଷ୍ଟର୍ମ ୧୨ରୁ ୧୫ ମୃତଦେହ ଠାବ କରିଥିବା ହେଡ କନଷ୍ଟେବଳ ପ୍ରହଲ୍ଲାଦ ନାୟକ କହିଛନ୍ତି। ଷ୍ଟର୍ମର ଏହି କାର୍ଯ୍ୟକୁ ସେଠାକାର ଆଇଜି ପ୍ରଶଂସା କରିଥିବା ସେ କହିଛନ୍ତି।
ୱାୟନାଡ୍‌ ଭୂସ୍ଖଳନ ପରେ ମାଟି ତଳେ ପୋତି ହୋଇଥିବା ମୃତଦେହ ଠାବ କରିବା ପାଇଁ ଗତ ୪ତାରିଖରେ ବ୍ରହ୍ମପୁର ପୋଲିସ ଜିଲାର ହେଡ୍‌ କନଷ୍ଟେବଲ ନାୟକଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ ଷ୍ଟର୍ମ ସହିତ ସେଠାକୁ ଯାଇଥିଲେ। ଭୂସ୍ଖଳନ ସ୍ଥାନରେ ରହି ସେମାନେ ନିଖୋଜଙ୍କୁ ଠାବ କରିବା ଆରମ୍ଭ କରିଥିଲେ। ଷ୍ଟର୍ମ ଚିହ୍ନଟ କରୁଥିବା ସ୍ଥାନକୁ ଏନଡିିଆର୍‌ଏଫ ତରଫରୁ ଜେସିବି ଲଗାଇ ଖୋଳା ଯାଉଥିଲା। ଏଭଳି ଭାବେ ସେଠାରେ କାମ କରାଯାଇ ବିଭିନ୍ନ ଦିନରେ ମୃତଦେହ ଠାବ ହୋଇଥିଲା। ମୃତଦେହ ଠାବ କରିବାରେ ଷ୍ଟର୍ମ ଏକ ପ୍ରମୁଖ ଭୂମିକା ନେଇଥିଲା। ଷ୍ଟର୍ମର କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ବୋଲି ହେଡ କନଷ୍ଟେବଲ୍‌ ନାୟକ କହିଛନ୍ତି।

Share