କରୋନା କବଳରେ ଏବେ ପ୍ରାଣୀ: ୪ସିଂହ ଭିତରେ ଡେଲ୍‌ଟା ଭାରିଆଣ୍ଟ

ଚେନ୍ନାଇ,୧୯।୬: ମହାମାରୀ କରୋନା କବଳରୁ କେହି ବର୍ତ୍ତିପାରି ନାହାନ୍ତି। ମନୁଷ୍ୟ ପରେ ଏବେ ଜୀବଜନ୍ତୁ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଇତିମଧ୍ୟରେ ତାମିଲନାଡ଼ୁର ଭଣ୍ଡାଲୁର ସ୍ଥିତ ଅରିନଗରର ଅନ୍ନା ପ୍ରାଣୀ ଉଦ୍ୟାନରେ ୪ସିଂହ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ସିଂହଙ୍କ ମଧ୍ୟରେ କରୋନା ଦ୍ୱିତୀୟ ଲହରର ଡେଲ୍‌ଟା ଭାରିଆଣ୍ଟ ଲକ୍ଷଣ ଚିହ୍ନଟ ହୋଇଛି। ଏନେଇ ଶୁକ୍ରବାର ଅନ୍ନା ପ୍ରାଣୀ ଉଦ୍ୟାନ ପକ୍ଷରୁ ସୂଚନା ଦିଆଯାଇଛି। ସଂକ୍ରମିତ ସିଂହଙ୍କଠାରୁ ନିଆଯାଇଥିବା ନମୁନାର ଜିନୋମରୁ ଜଣାପଡ଼ିଛି ଯେ, ଏହା ଡେଲ୍‌ଟା ଭାରିଆଣ୍ଟ। ସୂଚନାଯୋଗ୍ୟ, ଭୋପାଳର ଆଇସିଏଆର ଓ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ହାଇ ସିକ୍ୟୁରିଟି ପଶୁ ରୋଗ(ଏନ୍‌ଆଇଏଚ୍‌ଏସ୍‌ଏଡି)କୁ ପ୍ରାଣୀ ଉଦ୍ୟାନ ପକ୍ଷରୁ ୧୧ସିଂହର ନମୁନା ପଠାଯାଇଥିଲା। ଏହାପରେ ଜୁନ ୩ରେ ୯ସିଂହଙ୍କ ନମୁନାରେ କରୋନା ଭାଇରସ୍‌ ଚିହ୍ନଟ ହୋଇଥିଲା। ବର୍ତ୍ତମାନ ସେମାନଙ୍କ ଚିକିତ୍ସା ଜାରି ରହିଛି। ପୁଣି ୪ସିଂହଙ୍କ ଭିତରେ କରୋନା ଲକ୍ଷଣ ଚିହ୍ନଟ ହେବା ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇଦେଇଛି।

Share