ବରୀ,୧୧ା୮(ଡି.ଏନ.ଏ.): ସେଦିନ ଥିଲା ୧୯୪୨ ଅଗଷ୍ଟ ୨୬ ତାରିଖ। ଗହ୍ମା ପୂନେଇଁ ଜହ୍ନ ଉଠିବା ପୂର୍ବରୁ ରକ୍ତରେ ଭିଜି ଯାଇଥିଲା ବରୀ ବ୍ଲକ ଅଞ୍ଚଳର କଳାମାଟିଆ, ଯାହାକି ଆଜି ରକ୍ତତୀର୍ଥ ଭାବେ ପରିଚିତ। ଗୁଳିକାଣ୍ଡରେ ସାଉଁଟି ମଲିକ, ସାନନ୍ଦ ସ୍ବାଇଁ, ହାଡ଼ିବନ୍ଧୁ ପଣ୍ଡା ଓ ମାୟାଧର ଭୂୟଁା ଟଳି ପଡ଼ିଥିଲେ। ସେଦିନର ସ୍ମୃତି ଆଜିବି ମନେ ପଡ଼ିଲେ ଲୋକଙ୍କ ଆଖିରୁ ଅମାନିଆ ଲୁହ ଗଡ଼େ। ମହାତ୍ମା ଗାନ୍ଧୀଙ୍କ ଭାରତଛାଡ଼ ଆନ୍ଦୋଳନ ଡାକରାରେ ବ୍ରିଟିଶଙ୍କ ସହ ସଂଗ୍ରାମ କରିବାକୁ ଆଗେଇ ଆସିଥିଲେ ବରୀ ଅଞ୍ଚଳର ବହୁ ଯୁବକ। ନିଜ ଜୀବନକୁ ବାଜି ଲଗାଇ ଦେଶମାତୃକାର ସ୍ବାଧୀନତା ପାଇଁ କିଛିବି କରିବାକୁ ସେମାନେ ପଶ୍ଚାତପଦ ହୋଇ ନ ଥିଲେ। ଏହାର କିଛି ଦିନ ପୂର୍ବରୁ ସଂଗ୍ରାମୀମାନେ କାଇପଡ଼ା ଡାକଘର ପୋଡ଼ି ଦେଇଥିଲେ। ପରବର୍ତ୍ତୀ ଅବସ୍ଥାରେ କାଇପଡ଼ା ଗୋଲାହାଟଠାରେ ସଂଗ୍ରାମୀମାନେ ଏକ ବୈଠକ କରିଥିବା ବେଳେ ସ୍ଥାନୀୟ କୃଷ୍ଣନଗର, ଗମୁଁ, ଚନ୍ଦନପୁର, ବାଲିବିଲ ଓ ସେରପୁର ଅଞ୍ଚଳର ସଂଗ୍ରାମୀମାନେ ଯୋଗ ଦେଇଥିଲେ। ହଠାତ୍ ତତ୍କାଳୀନ ଡି.ଏସ୍.ପି ଲକ୍ଷ୍ମଣ ମିଶ୍ର ସଦଳବଳ ଗୋଲାହାଟଠାରେ ପହଞ୍ଚତ୍ ସଂଗ୍ରାମୀଙ୍କୁ ଗିରଫ କରିବା ସହ ଚଲାଇ ଚଲାଇ କଳାମାଟିଆସ୍ଥିତ ଦୁଧେଇ ନଦୀ ନିକଟକୁ ଆଣିଥିଲେ। କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ ସେଠାରେ ଉପସ୍ଥିତ ଥିବା ସଂଗ୍ରାମୀମାନେ। ଗିରଫ ସାଥୀମାନଙ୍କୁ ବ୍ରିଟିଶ ଫୌଜ କବଳରୁ ଛଡ଼େଇ ନେବାକୁ ପ୍ରୟାସ କରିଥିଲେ। ଏକକାଳୀନ ବହୁ ସଂଗ୍ରାମୀ ମାଡ଼ି ଆସୁଥିବାରୁ ତତ୍କାଳୀନ ଡି.ଏସ୍.ପି ମିଶ୍ର ଗୁଳି ଚାଳନା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଉପରୋକ୍ତ ୪ଜଣ ଶହୀଦ ହୋଇଥିଲେ।
ଏବେ ସମୟ ବଦଳିଛି, ମାତ୍ର ଅତୀତର ସେହି ଇତିହାସ ଓ ସ୍ମୃତିକୁ ମନେ ପକାଇ ସେହି କଳା କାହାଣୀକୁ ଝୁରୁଛନ୍ତି ବରୀବାସୀ। ସେଦିନର ଶହୀଦ ଆଜି ଇତିହାସ ପୃଷ୍ଠାରେ ସ୍ଥାନ ପାଇଛନ୍ତି। ସେମାନଙ୍କ ତ୍ୟାଗ, ଆଦର୍ଶ ଓ ନିଷ୍ଠା ପାଇଁ ଭାରତବର୍ଷ ଗର୍ବ କରେ। ତେବେ ଦେଶ ସ୍ବାଧୀନର ୭୫ ବର୍ଷ ହେବାକୁ ଯାଉଥିବା ବେଳେ ଏହି ରକ୍ତ ତୀର୍ଥର ଉନ୍ନତୀକରଣ ହୋଇପାରି ନ ଥିଲା। ଏହି ଅଞ୍ଚଳର ଝିଅ ଓ ବୋହୂ ସୁନନ୍ଦା ଦାସ ବିଧାୟିକା ହେବାପରେ ବ୍ୟକ୍ତିଗତ ଭାବେ ଉଦ୍ୟମ କରି ଶହୀଦ ମେମୋରିଆଲ ଟ୍ରଷ୍ଟ ଗଠନ କରିବା ସହ ସ୍ମୃତି ପୀଠର ଉନ୍ନତୀକରଣ ନିମନ୍ତେ ଅଣ୍ଟା ଭିଡ଼ିଛନ୍ତି। ତାଙ୍କ ଉଦ୍ୟମ ଯୋଗୁ ଆଜି ସେହି କୀର୍ତ୍ତିସ୍ତମ୍ଭର ସ୍ମାରକୀ ଜନମାନସରେ ଅଭୁଲା ସ୍ମୃତି ହୋଇ ରହିଥିବା ଦେଖିବାକୁ ମିଳିଛି। ପୀଠର ଉନ୍ନତି ପାଇଁ ବିଧାୟିକା ବିଧାନସଭାରେ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ତେବେ କିପରି ଭାବେ ଏହା ଭାରତ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିବ ସେ କ୍ଷେତ୍ରରେ ପଦକ୍ଷେପ ନେବେ ବୋଲି ବିଧାୟିକା ମତ ରଖିଛନ୍ତି।