ନୂଆଦିଲ୍ଲୀ, ୨୭।୮ : ଦେଶର ସର୍ବ ପୁରାତନ ଦଳ କଂଗ୍ରେସରେ ଦଳ ଛାଡିବା ପ୍ରକ୍ରିୟା ଜାରି ରହିଛି। ଶୁକ୍ରବାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାବ ନବୀ ଆଜାଦ ଦଳ ଛାଡିଛନ୍ତି। ୨୦୧୪ ପରଠାରୁ ଦଳ ଗୋଟିଏ ପରେ ଗୋଟିଏ ନିର୍ବାଚନରେ ହାରି ଯାଉଛି। ଏହା ସହିତ ଏହାର ଶକ୍ତିଶାଳୀ ନେତାମାନେ ମଧ୍ୟ ଦଳ ଛାଡୁଛନ୍ତି। ଅଧିକାଂଶ ନେତା ଅନ୍ୟ ଦଳରେ ଯୋଗ ଦେଉଥିବାବେଳେ କିଛି ଲୋକ ମଧ୍ୟ ନିଜର ଦଳ ଗଠନ କରିଛନ୍ତି।
ଆଜାଦ ଏକ ନୂତନ ଦଳ ଗଠନ ପାଇଁ ମଧ୍ୟ ଘୋଷଣା କରିଛନ୍ତି। ଯଦି ଏହା ଘଟେ, ତେବେ ଏହା ୬୫ ତମ ଥର ହେବ, ଯେତେବେଳେ କେହି ଜଣେ କଂଗ୍ରେସ ଛାଡି ଏକ ନୂତନ ରାଜନୈତିକ ଦଳ ଗଠନ କରିବେ। ପାର୍ଟି ୧୮୮୫ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ସେବେଠାରୁ କଂଗ୍ରେସରୁ ଏଭଳି ୬୪ ଥର ନେତା ଦଳ ଛାଡ଼ି ନୂଆ ରାଜନୈତିକ ଦଳ ଗଠନ କରିଛନ୍ତି। ଏବେ ଗୁଲାମ ନବୀଙ୍କ ପାଳି ପଡ଼ିଛି। ୧୯୬୯ ମସିହାରେ କଂଗ୍ରେସର ଭେଟେରାନ ନେତାମାନେ ଇନ୍ଦିରା ଗାନ୍ଧୀଙ୍କୁ ଦଳରୁ ବାହାରିବା ବାଟ ଦେଖାଇଥିଲେ। ତା’ପରେ ଇନ୍ଦିରା ଏକ ଅଲଗା କଂଗ୍ରେସ ଗଠନ କରିଥିଲେ। ୧୯୨୩ଠାରୁ କଂଗ୍ରେସ ଦଳରୁ ବହୁ ନେତା ବାହାରି ନୂଆ ଦଳ ଗଠନ କରିଥିବା ବେଳେ ଏବେ ପୁଣି ସେଭଳି ସ୍ଥିତି ସୃଷ୍ଟି ହୋଇଛି।