ସଜେଇ ହେବା ନାରୀର ସ୍ବଭାବ । ସେମିତି ସ୍ବଭାବତଃ ସେ ଆଭୁଷଣ ପ୍ରିୟ। ପଦାଙ୍ଗୁଳିଠାରୁ ଆରମ୍ଭକରି କେଶର ଶେଷଶିଖା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଆଭୂଷଣ ପରିଧାନ କରି ସେ ସଜେଇ ହୁଏ। ତେଣିକି ସେ ବନବାସିନୀ ହୁଅନ୍ତୁ ବା ରାଜରାଣୀ। ବନବାସିନୀ ଶକୁନ୍ତଳା କେବଳ ସୁଗନ୍ଧିତ, ସୁନ୍ଦର ପତ୍ର, ପୁଷ୍ପରେ ସଜେଇ ହେଉଥିବାବେଳେ ଶ୍ରୀକୃଷ୍ଣଙ୍କ ପାଇଁ ରାଧାରାଣୀ ପାଦରେ ପୟର, ମଥାରେ ମଥାମଣି ଓ ଷୋଳ ଶୃଙ୍ଗାର କରୁଥିବା ପୁରାଣରେ ବର୍ଣ୍ଣିତ। ଯୁଗ ପରେ ଯୁଗ ବିତି ଚାଲିଛି, ଆଉ ସବୁ ସମୟରେ ନାରୀର ସଜେଇ ହେବା ଗୁଣ କିନ୍ତୁ ଜନ୍ମଜାତ ହୋଇ ରହିଛି।
ଭଞ୍ଜ କାବ୍ୟରେ ନାରୀ ଶୃଙ୍ଗାର: ନାରୀର ସୌନ୍ଦର୍ଯ୍ୟ ଓ ଶୃଙ୍ଗାରର କଥାକୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ତାଙ୍କ କାବ୍ୟଗୁଡ଼ିକରେ ଖୁବ୍ ସୁନ୍ଦରଭାବେ ବର୍ଣ୍ଣନା କରିଛନ୍ତି। ସେ ନାରୀକୁ ରୂପସୀ-ତନ୍ବୀ- ଷୋଡ଼ଶୀ ନାୟିକା ଭାବେ ବର୍ଣ୍ଣନା କରିବା ସହ ନାରୀ ଶରୀରକୁ ବିଭିନ୍ନ ଆଭୂଷଣରେ ମଣ୍ଡନ କରି ତାକୁ ଅନିନ୍ଦ୍ୟ ରୂପ ଲାବଣ୍ୟମୟୀ ମୂର୍ତ୍ତିମନ୍ତ କାନ୍ତ ହେମ ମନ୍ତ୍ର ପିତୁଳା ରୂପେ ପ୍ରତିପାଦନ କରିଛନ୍ତି। ସେ ନିଜ କାବ୍ୟଗୁଡିରେ ନାୟିକାର କେଶଠାରୁ ପାଦ ପର୍ଯ୍ୟନ୍ତ ବିଭିନ୍ନ ଅଳଙ୍କାରଦ୍ୱାରା ଭୂଷିତ କରିଛନ୍ତି। ସେ ସମ୍ପର୍କରେ ଡ. ସୁରେନ୍ଦ୍ରନାଥ ଦାସ କୁହନ୍ତି, ‘ଉପେନ୍ଦ୍ର ଭଞ୍ଜ ନିଜ କାବ୍ୟ ନାୟିକାଙ୍କୁ କେଶରେ କେଶ ଅଳଙ୍କାର ରୂପେ ମାଳି, ମୁକୁତାଳି, ବିଭିନ୍ନ ପ୍ରକାର ଝୁମ୍ପି, ମୁକ୍ତାଝରା, ଦୂବ, କିଆପତ୍ରୀ, ଚଉଁରୀ ଭୁଣ୍ଡି ଆଦି ଅଳଙ୍କାର ଦ୍ୱାରା ଭୂଷିତ କରୁଥିବାବେଳେ ମଥାରେ ମଥାଳଙ୍କାର ରୂପେ ମଥାମଣି, ଆମ୍ବକଷି, ଅଳକା ଆଦି ଭୂଷିତ କରିଛନ୍ତି। ସେହିଭଳି କର୍ଣ୍ଣରେ କର୍ଣ୍ଣାଳଙ୍କାର ରୂପେ ତାଟଙ୍କ, ଝଲକା, ବନ୍ଦି, କାପ, ବିଭିନ୍ନ ପ୍ରକାରର କୁଣ୍ଡଳ, ଅବତଂସ, ବିଭିନ୍ନ ପ୍ରକାର ଫାଶିଆ। ନାସାରେ ନାସାଳଙ୍କାର ରୂପେ ନୋଥ, ବିଭିନ୍ନ ପ୍ରକାରର ଗୁଣା, ତିଳଫୁଲ, ବସୁଣି, ଦଣ୍ଡି, ନାକଚଣା, ଥୋପି, ନାସାମୋତି। କଣ୍ଠରେ କଣ୍ଠାଳାଙ୍କାର ରୂପେ ଚାପସରି, ବିଭିନ୍ନ ପ୍ରକାର ମାଳି ମଧ୍ୟରେ ସୁନାକଣ୍ଠି ମାଳି, କାଚାମାଳି, ମୁକୁତାମାଳି, ପ୍ରବାଳମାଳି। ବାହୁରେ ବାହୁ ଅଳଙ୍କାର ରୂପେ ତାଡ, ବିଦମାଳି, ବାହୁଟି, ବାଜୁବନ୍ଧ, କଚଟି, ପାଟବ୍ରତ। ହସ୍ତାଳଙ୍କାର ରୂପେ ହାତରେ ଚୁଡି, କଙ୍କଣ, ପାଣିକାଚ, ଖଡୁ, ବିଭିନ୍ନ ପ୍ରକାରର ମୁଦି। କଟିରେ କିଙ୍କିଣି, ଘଣ୍ଟିକା, ଓଡ଼ିଆଣୀ, କାଞ୍ଚତ୍(ଅଣ୍ଟାସୂତା)। ପାଦରେ ପାଦଳଙ୍କାର ଭାବେ ନୂପୁର, ପାଦବଳା, ଝୁଣ୍ଟିଆ, ହଂସକ, ବଳା, ଗୋଡମୁଦି, ବାଜେଣି, ତୁଳାକୋଟି, ପାହୁଡ, ଧଣ୍ଡଶିକଳା(ଗୋଡ଼ ଶିକୁଳି) ଆଦିକୁ ପରିଧାନ କରାଇଛନ୍ତି।
ଏତଦ୍ବ୍ୟତୀତ ପରିଧାନ ରୂପେ ଶାଢ଼ି, କାଞ୍ଚୁଲା, ଅନ୍ତର୍ବାସ, ଓଢ଼ଣି, ଉତ୍ତରାଣ, ଜରିପାଛୁଡା, ପଣତ, ପତନିଫେଟା, ରଙ୍ଗପାଟ ଖଣ୍ଡୁଆ ଆଦିରେ ବର୍ଣ୍ଣନା କରିବାବେଳେ ପ୍ରସାଧନ ସାମଗ୍ରୀ ମଧ୍ୟରେ ବିଭିନ୍ନ ପ୍ରକାର ସୁଗନ୍ଧ ପୁଷ୍ପ ଦ୍ୱାରା ଜୁଡା ବନ୍ଧା (ଜୁଡ଼ାବନ୍ଧା ମଧ୍ୟରେ ବେଣୀ, ଖୋଷା, ଲୋଟଣି ଜୁଡା, ସିଂହାଣି ଜୁଡା, କିଆପତ୍ରୀ ଜୁଡା ଆଦି), କସ୍ତୁରୀ, ଯବାମଧୁ, ଅତର, ଅଗୁରୁ, ହଳଦୀ, ଚନ୍ଦନ, କୁଙ୍କୁମ, କର୍ପୂର, ଅଞ୍ଜନ, ଅଳତା, ସିନ୍ଦୂର, କଜ୍ଜ୍ୱଳ। ଆଉ ପାଦରେ ଚିତାକୁଟିବା ଆଦିରେ ସେ ନିଜ କାବ୍ୟ ନାୟିକାଙ୍କୁ ଲାସ୍ୟମୟୀଭାବେ ସଜାଇଛନ୍ତି।’
ଷୋଳ ଶୃଙ୍ଗାର
ଶୃଙ୍ଗାର ମଧ୍ୟରେ ଷୋଳ ଶୃଙ୍ଗାରର ମହତ୍ତ୍ୱ ନାରୀ ପାଇଁ ବହୁତ ରହିଛି। କୁହାଯାଏ ଷୋଳ ଶୃଙ୍ଗାରର କଥା କାମଦେବଙ୍କ ପତ୍ନୀ ରତିଙ୍କଠାରୁ ଆରମ୍ଭ ହୋଇଛି। ପୁରାଣ କଥା ଅନୁସାରେ ଦେବୀ ରତି ଏତେଟା ସୁନ୍ଦରୀ ନ ଥିଲେ। ତେଣୁ ପୁରୁଷମାନେ ତାଙ୍କୁ ଦେଖି ଆକର୍ଷିତ ହେଉ ନ ଥିଲେ। ଏଥିରେ ରତିଙ୍କ ମନ ବ୍ୟଥିତ ହେଉଥିଲା। ଆଉ ସେ ମା’ ଲକ୍ଷ୍ମୀଙ୍କ ଆରାଧନା ଆରମ୍ଭ କରିଥିଲେ। ମା’ ଲକ୍ଷ୍ମୀ ରତିଙ୍କ ଭକ୍ତିରେ ପସନ୍ନ ହୋଇ ୧୬ଟି ଶୃଙ୍ଗାର ପ୍ରଦାନ କରିଥିଲେ। ଆଉ କହିଥିଲେ ଯେ, ଯଦି କୌଣସି ମହିଳା ଷୋଳ ଶୃଙ୍ଗାର କରିବେ, ତେବେ ତାଙ୍କ ପ୍ରତି ତାଙ୍କ ମନର ମଣିଷ ନିଶ୍ଚିତଭାବେ ଆକର୍ଷିତ ହେବେ। ପରେ ଷୋଳ ଶୃଙ୍ଗାର କରି ରତି ସାରା ବିଶ୍ୱ ବ୍ରହ୍ମାଣ୍ଡର ସବୁଠାରୁ ସୁନ୍ଦର ପୁରୁଷ କାମଦେବଙ୍କ ମନ ଜିଣି ତାଙ୍କ ପତ୍ନୀ ହୋଇପାରିଥିଲେ।
ଏହା ବାଦ୍ ଏହାବି କୁହାଯାଏ ରାଧାରାଣୀ ଶ୍ରୀକୃଷ୍ଣଙ୍କ ଧ୍ୟାନ ଆକର୍ଷଣ କରିବା ତଥା ତାଙ୍କ ପ୍ରେମ ପାଇବା ଲାଗି ବେଶ୍ ସୁନ୍ଦରଭାବେ ଷୋଳ ଶୃଙ୍ଗାରରେ ସଜାଇ ହେଉଥିଲେ। ପରେ ବିବାହିତା ନାରୀ ସ୍ବାମୀଙ୍କୁ ଖୁସି କରିବା ସହ ତାଙ୍କ ପ୍ରେମ ପାଇବା ଲାଗି ଷୋଳ ଶୃଙ୍ଗାର କରିବାକୁ ଲାଗିଲେ ।
ବିବାହରେ ଷୋଳ ଶୃଙ୍ଗାର: ହିନ୍ଦୁ ବିବାହରେ ଷୋଳ ଶୃଙ୍ଗାରର ମହତ୍ୱ ବହୁତ ରହିଛି। ତେବେ ଭିନ୍ନ ଭିନ୍ନ ପୁରାତନ ଗ୍ରନ୍ଥରେ ଷୋଳ ଶୃଙ୍ଗାରର ତାଲିକା ଭିନ୍ନ ଭିନ୍ନ ରହିଛି। ପଞ୍ଚାଦଶ ଶତାବ୍ଦିରେ ବଲଭଦେବ ତାଙ୍କ ପୁସ୍ତକ ଶୁଭଶୀତବାଲୀ ଅନୁସାରେ ଷୋଳ ଶୃଙ୍ଗାରର ତାଲିକାରେ ମଞ୍ଜନ, ଚିର ବସ୍ତ୍ର, ହାର, ତିଲକ, ନେତ୍ରାଞ୍ଜନ, କୁଣ୍ଡଳ, ନାଶାମୌକ୍ତିକ, କେଶ ବିନ୍ୟାଶ, କଞ୍ଚୁକ, ନୁପୁର, ସୁଗନ୍ଧ ଅଙ୍ଗରାଗ, କଙ୍କଣ, ଚରଣ ରାଗ, କର୍ଧନି, ତାମ୍ବୁଳ, କରଦର୍ପଣ ଆଦିକୁ ସାମିଲ କରିଥିଲେ। ସେହିଭଳି ସଂସ୍କୃତ କବି ରୂପ ଗୋସ୍ବାମୀଙ୍କ ଦ୍ୱାରା ରଚିତ ଉଜ୍ଜ୍ବଲ ନିଲମଣୀ ଗ୍ରନ୍ଥରେ ଭିନ୍ନ ଏକ ଷୋଳ ଶୃଙ୍ଗାରର ତାଲିକା ରହିଛି, ଯାହାକି ଭଗବାନ ଶ୍ରୀକୃଷ୍ଣଙ୍କ ରାସଲୀଳା ଦ୍ୱାରା ପ୍ରଭାବିତ। ଏଥିରେ ବର୍ଣ୍ଣିତ ଷୋଳ ଶୃଙ୍ଗାର ହେଉଛି- ସ୍ନାନ, ନାସାର୍ଗ ମଣୀ, ଅସିତ ପଟ(କୃଷ୍ଣବର୍ଣ୍ଣ ବସ୍ତ୍ର), କର୍ଧନୀ, ବେଣୀବନ୍ଧନ, କର୍ନଭତାନ୍(କାନର ଗହଣା), ଅଙ୍ଗ ଚର୍ଚ୍ଚନ(ଶରୀରରେ ସୁଗନ୍ଧଭରା ତେଲ, ପରଫ୍ୟୁମ ଲଗାଇବା), କେଶ ପୁଷ୍ପ ଧାରଣ, କଣ୍ଠ ପୁଷ୍ପମାଳା, ହସ୍ତେ କମଲ ଧାରଣ, ତାମ୍ବୁଳ, କସ୍ତୁରୀ, ନୟନ ଅଞ୍ଜନ, ଚିତ୍ରଣ(ଶରୀରରେ ଅସ୍ଥାୟୀ ଚିତ୍ର କରାଇବା), ଅଲକ୍ତକ(ଅଳତା), ତିଳକ ଆଦି।
ତେବେ ସାଧାରଣରେ ଷୋଳ ଶୃଙ୍ଗାର ଭାବେ ନିମ୍ନୋକ୍ତ ସାମଗ୍ରୀକୁ ବୁଝାଇଥାଏ। ହିନ୍ଦୁଧର୍ମରେ ଏସବୁକୁ ବିବାହ ସମୟରେ ଧାରଣ କରିବା ଅତ୍ୟନ୍ତ ଶୁଭଙ୍କରଭାବେ ଗ୍ରହଣ କରାଯାଏ। ଏହି ଷୋଳ ଶୃଙ୍ଗାରର ଆଧ୍ୟାତ୍ମିକ ଓ ସାମାଜିକ ମହତ୍ତ୍ୱ ତ ଅଛି। ତା’ସହ ଅନେକ ବୈଜ୍ଞାନିକ କାରଣ ମଧ୍ୟ ରହିଛି।
ବିନ୍ଦି: ଦୁଇ ଭ୍ରୂଲତାର ମଧ୍ୟଭାଗରେ କପାଳରେ ଧାରଣ କରାଯାଏ ବିନ୍ଦି। ଏ ହେଉଛି ସେହି ସ୍ଥାନ ଯେଉଁଠି ମଣିଷ ଶରୀରର ସବୁଠାରୁ ଶକ୍ତିଶାଳୀ ଚକ୍ର ‘ଆଜ୍ଞା ଚକ୍ର’ ବା ‘ଲୁକ୍କାୟିତ ଜ୍ଞାନ’ର କେନ୍ଦ୍ର ରହିଥାଏ। ଆଉ ବିନ୍ଦି ଲଗାଇବାଦ୍ୱାରା ସେହି ଶକ୍ତି ନିର୍ଗତ ନ ହୋଇ ବଜାୟ ରହେ ଓ ଏକାଗ୍ରତା ବଢ଼ିଥାଏ। ବିନ୍ଦିକୁ ତୃତୀୟ ନୟନ ସହ ମଧ୍ୟ ତୁଳନା କରାଯାଏ। ହିନ୍ଦୁଧର୍ମରେ ଲାଲ ବିନ୍ଦିକୁ ସମ୍ମାନ, ଭଲ ପାଇବା ଓ ସମୃଦ୍ଧିର ପ୍ରତୀକଭାବେ ଗ୍ରହଣ କରାଯାଏ।
ନୋଥ: ବାମ ନାକରେ ଥିବା ଶୀରା ମହିଳାଙ୍କ ପ୍ରଜନନ ଅଙ୍ଗ ସହ ଯୋଡି ହୋଇଥାଏ। ତେଣୁ ସେଠାରେ କଣା କରି ନୋଥ ଲଗାଇଲେ ପ୍ରସବ ପୀଡ଼ା ସହ ଋତୁସ୍ରାବ ସମୟର ପୀଡ଼ା କମ୍ ହୁଏ ବୋଲି ବିଶ୍ୱାସ କରାଯାଏ। ଏହା ମସ୍ତିଷ୍କର ତରଙ୍ଗକୁ ବି ନିୟନ୍ତ୍ରଣ କରିଥାଏ। ତେଣୁ ସମ୍ମୋହନ ହେବାଠାରୁ ମଧ୍ୟ ରକ୍ଷାକରେ।
ଚୁଡ଼ି: ଗବେଷଣା କହେ କଚଟି ସହ ଚୁଡ଼ିର ଘର୍ଷଣ ଫଳରେ ଶରୀରରେ ରକ୍ତପ୍ରବାହ ବୃଦ୍ଧି ଘଟିଥାଏ। ତା’ସହ ଗର୍ଭବତୀ ମହିଳାଙ୍କ ଚାପ ଓ ଅବସାଦ କମିଥାଏ। ଆଉ ଏହାର ଝନ୍ ଝନ୍ ଶବ୍ଦ ଶୁଣି ଗର୍ଭସ୍ଥ ସନ୍ତାନର ଶ୍ରବଣ ଶକ୍ତି ବଢ଼ିଥାଏ। ଏହାର ଗୋଲ ଆକାର ଲାଗି ଶରୀରରୁ ଊର୍ଜ୍ଜା ବାହାରକୁ ନ ଯାଇପାରି ପୁଣି ଶରୀରକୁ ଫେରିଆସିଥାଏ।
ଝୁଣ୍ଟିଆ: ଏହା ନାରୀଙ୍କ ଋତୁସ୍ରାବ ଚକ୍ରକୁ ନିୟମିତ କରିଥାଏ ବୋଲି ବିଶ୍ୱାସ ରହିଛି। ତା’ଛଡା ଝୁଣ୍ଟିଆ ପିନ୍ଧା ଯାଉଥିବା ପଦାଙ୍ଗୁଳିର ଶୀରା ୟୁଟ୍ରସ୍ ସହ ଯୋଡି ହୋଇ ରହୁଥିବା ଯୋଗୁ ଝୁଣ୍ଟିଆ ପିନ୍ଧିଲେ ପ୍ରଜନନ ଅଙ୍ଗ ସକ୍ରିୟ ହୋଇଥାଏ। ଆଉ ଗର୍ଭଧାରଣ କରିବାର ସମ୍ଭାବନା ବଢ଼ିଥାଏ।
ମୁଦି: ସାଧାରଣତଃ ଅନାମିକା ଅଙ୍ଗୁଳିରେ ନିର୍ବନ୍ଧ ମୁଦି ପିନ୍ଧାଯାଏ। ଏହା ପଛରେ ବି ବୈଜ୍ଞାନିକ କାରଣ ରହିଛି। ସେ ହେଉଛି ଏହି ଅଙ୍ଗୁଳି ଦେଇ ଯାଇଥିବା ଶୀରା ହୃତ୍ପିଣ୍ଡ ମଧ୍ୟ ଦେଇ ମସ୍ତିଷ୍କର ନ୍ୟୁରୋନ ସେଲ୍ ପର୍ଯ୍ୟନ୍ତ ପହଞ୍ଚତ୍ଥାଏ। ହୃତ୍ପିଣ୍ଡ ସହ ଅନାମିକା ଅଙ୍ଗୁଳିର ଶୀରାର ସଂଯୋଗ ଥିବାରୁ ମୁଦିର ଧାତୁ ବାରମ୍ବାର ଘର୍ଷଣ ହେଲେ ମନରେ ପ୍ରେମଭାବ ଜାଗ୍ରତ ହୁଏ ଓ ପତି ପତ୍ନୀଙ୍କ ମଧ୍ୟସ୍ଥ ପ୍ରେମ ବଜାୟ ରହେ।
ମଙ୍ଗଳସୂତ୍ର: ବିବାହିତା ନାରୀର ଏହା ହେଉଛି ପରିଚୟ। ମନ୍ତ୍ର ଉଚ୍ଚାରଣ ସହ ପିନ୍ଧା ଯାଉଥିବା ଏହି ମଙ୍ଗଳ ସୂତ୍ରକୁ ପିନ୍ଧିଲେ ରକ୍ତଚାପ ନିୟନ୍ତ୍ରଣରେ ରହେ ଓ ରକ୍ତ ପ୍ରବାହ ବି ନିୟନ୍ତ୍ରଣ ହୁଏ ବୋଲି କିଛି ଗବେଷଣା କହେ।
କଜଳ: କଜଳ କେବଳ ଆଖିର ସୌନ୍ଦର୍ଯ୍ୟକୁ ବଢାଇ ନ ଥାଏ ଏହା ଆଖିକୁ ପ୍ରଖର ସୂର୍ଯ୍ୟ କିରଣ ଓ ଧୂଳିରୁ ରକ୍ଷା କରେ। ତା’ସହ ଆଖିକୁ ସଫା କରେ, ଥଣ୍ଡାରଖେ, ଦୃଷ୍ଟି ଶକ୍ତି ମଧ୍ୟ ବଢ଼ାଏ। ଏହାବାଦ୍ ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ଯେ, ଏହା ଖରାପ ନଜରରୁ ବି ରକ୍ଷା କରେ। ତେଣୁ ଶୃଙ୍ଗାରରେ ଏହାର ବହୁତ ମହତ୍ତ୍ୱ ରହିଛି।
ସିନ୍ଦୂର: ବିବାହ ସମୟରେ ମନ୍ତ୍ର ଉଚ୍ଚାରଣ ସହ ସ୍ବାମୀ ସ୍ତ୍ରୀଙ୍କୁ ସିନ୍ଦୂର ପିନ୍ଧାଇଥାନ୍ତି। ବିବାହିତା ମହିଳାଙ୍କର ପରିଚୟ ଏଇ ସିନ୍ଦୂର। ହିନ୍ଦୁ ଧର୍ମରେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀ କପାଳରେ ସିନ୍ଦୂର ଧାରଣ କରନ୍ତି। ତେବେ ବୈଜ୍ଞାନିକ କାରଣ କହେ ସିନ୍ଦୂର ଧାରଣ କଲେ ଏକାଗ୍ରତା ବଢ଼ିଥାଏ। ଆଉ ଆଜ୍ଞା ଚକ୍ର ସକ୍ରିୟ ହୁଏ। ଫଳରେ ସକାରାତ୍ମକ ଊର୍ଜ୍ଜାର ପ୍ରବାହ ହୁଏ ଓ ମସ୍ତିଷ୍କ ଶାନ୍ତ ରହେ।
ମେହେନ୍ଦି: ହିନ୍ଦୁ ବିବାହରେ ମେହେନ୍ଦିର ମହତ୍ତ୍ୱ ବହୁତ ରହିଛି। ଏହାକୁ ଲଗାଇବା ଶୁଭ ଭାବେ ବିବେଚନା କରାଯାଏ। କୁହାଯାଏ ମେହେନ୍ଦିର ରଙ୍ଗ ଯେତିକି ଗାଢ଼ ହୁଏ ବୈବାହିକ ଜୀବନ ସେତେ ସୁଖମୟ ହୁଏ ଓ ସ୍ବାମୀଙ୍କ ଭଲ ପାଇବା ସେତେ ଅଧିକ ହୋଇଥାଏ।
ଗଜରା: ଲମ୍ବା ଘନ କେଶରେ ମଲ୍ଲି ଫୁଲର ଗଜରା ଆଗରୁ ମହିଳାମାନଙ୍କ ଶୃଙ୍ଗାରର ଆଉ ଏକ ମୁଖ୍ୟ ସାମଗ୍ରୀ ଥିଲା। ଦୀର୍ଘ ସମୟ ଧରି ମହକ ପ୍ରଦାନ କରୁଥିବା ଏହି ଗଜରା ମହିଳାଙ୍କୁ ଦିନସାରା ସତେଜ ରଖିଥାଏ।
ମଥାମଣି: କପାଳପ୍ରଦେଶଠାରୁ ଆରମ୍ଭକରି ମସ୍ତକର ମଧ୍ୟଭାଗ ପର୍ଯ୍ୟନ୍ତ ମଥାମଣି ପରିଧାନ କରାଯାଇଥାଏ ା ମୁଖର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଏହା ଶରୀରର ଉତ୍ତାପ ନିର୍ଗତକୁ ନିୟନ୍ତ୍ରଣ କରିଥାଏ ବୋଲି କିଛି ଗବେଷଣା କହେ।
କାନଫୁଲ: କାନରେ କଣାକରି କାନଫୁଲ ଲଗାଇବା ଦ୍ୱାରା ଋତୁସ୍ରାବଜନିତ ସମସ୍ୟା ଅନେକାଂଶରେ ଦୂର ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ତା’ଛଡା କାନରେ ହଙ୍ଗର ପଏଣ୍ଟ ଥାଏ। କାନଫୁଲ ଆକ୍ୟୁପଙ୍କ୍ଚର ପରି କାମ କରି କ୍ଷୁଧାକୁ ନିୟନ୍ତ୍ରଣ କରେ।
ବାଜୁବନ୍ଧ: ପୂର୍ବେ ଅନେକ ମହିଳା ବାହୁରେ ବାଜୁବନ୍ଧ ପିନ୍ଧୁଥିଲେ। ଏବେ ବି ଦକ୍ଷିଣ ଭାରତ ଓ ରାଜସ୍ଥାନରେ ବିବାହ କରିବାକୁ ଯାଉଥିବା କନିଆ ବାଜୁବନ୍ଧ ପିନ୍ଧୁଛନ୍ତି। ଏହା ନାରୀର ସୌନ୍ଦର୍ଯ୍ୟକୁ ବଢ଼ାଇବା ସହ ଶରୀରର ରକ୍ତ ସଞ୍ଚାରକୁ ନିୟନ୍ତ୍ରଣରେ ରଖେ।
କମରବନ୍ଧ (କର୍ଧନୀ): ଏହି ଅଳଙ୍କାରର ମଧ୍ୟ ଅନେକ ଗୁରୁତ୍ୱ ରହିଛି। ଅଣ୍ଟାରେ ବନ୍ଧା ଯାଉଥିବା ଏହି ଅଳଙ୍କାର ଋତୁସ୍ରାବକୁ ନିୟନ୍ତ୍ରଣ କରିବା ସହ ଏଥିପାଇଁ ହେଉଥିବା ପେଟବ୍ୟଥାକୁ କମାଇବାରେ ବି ସାହାଯ୍ୟ କରେ। ରୁପା କମରବନ୍ଧ ପେଟ ଚର୍ବିକୁ ନିୟନ୍ତ୍ରଣରେ ରଖେ ବୋଲି ବିଶ୍ୱାସ କରାଯାଏ।
ପାଉଁଜି: ରୁପା ପାଉଁଜି ଶୁଭ ଓ ସମ୍ପନ୍ନତାର ପ୍ରତୀକ ହୋଇଥାଏ। ଏହା ମହିଳାଙ୍କ ଶରୀରର ଊର୍ଜ୍ଜାକୁ ବଜାୟ ରଖେ। ତା’ସହ ଏହାର ଛମ୍ ଛମ୍ ଶବ୍ଦ ନକାରାତ୍ମକ ଊର୍ଜ୍ଜାକୁ ଦୂରେଇଥାଏ। ବୋହୂଙ୍କୁ ଘରର ଲକ୍ଷ୍ମୀ ଧରାଯାଉଥିବାରୁ ତାଙ୍କ ପାଦରେ ପାଉଁଜି ଆବଶ୍ୟକ ବୋଲି କୁହାଯାଏ। ଏହାକୁ ଧାରଣ କଲେ ସୌଭାଗ୍ୟ ଆସେ ବୋଲି ମଧ୍ୟ ବିଶ୍ୱାସ ରହିଛି।
ଅତର: ଏହା ଶରୀରର ଦୁର୍ଗନ୍ଧକୁ ଦୂର କରେ। ଆଉ ତାଜାପଣ ଭରେ।
ପ୍ରଭୁଙ୍କ ପାଇଁ ଶୃଙ୍ଗାର
ଖାଲି ମନର ମଣିଷ ନୁହେଁ ଦେବଦେବୀଙ୍କୁ ପ୍ରସନ୍ନ କରିବା ଲାଗି ମଧ୍ୟ ବହୁ ପୁରାତନ କାଳରୁ ଭାରତର ବିଭିନ୍ନ ମନ୍ଦିରରେ ନୃତ୍ୟାଙ୍ଗନାମାନେ ନାନା ପ୍ରକାରର ଶୃଙ୍ଗାର କରି ପାରମ୍ପରିକ ନୃତ୍ୟ ପରିବେଷଣ କରିବା ପ୍ରଥା ରହିଆସଛି। ଯେଉଁମାନେ କି ଦେବଦାସୀଭାବେ ପରିଚିତ। ସେମାନେ ସମର୍ପଣ ଭାବର ସହ ଈଶ୍ୱରଙ୍କ ମନ ମୋହିବା ପରି ଶୃଙ୍ଗାର କରି ନୃତ୍ୟ ପରିବେଷଣ କରିଥାନ୍ତି।
ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଶୃଙ୍ଗାର: ମାହାରୀ ଅର୍ଥାତ୍ ମହାନ୍ ନାରୀ। ସେମାନେ ମହାନ୍ କାରଣ ଜଗତର ନାଥ ଜଗନ୍ନାଥଙ୍କ ପତ୍ନୀ ହେବାର ସୌଭାଗ୍ୟ ସେମାନେ ପାଇଥାନ୍ତି। ଆଉ ନିଜ ସ୍ବାମୀ ତଥା ମହାପ୍ରଭୁଙ୍କୁ ପ୍ରସନ୍ନ କରିବା ଲାଗି ନାନା ପ୍ରକାରର ଶୃଙ୍ଗାର କରି ନୃତ୍ୟ, ସଙ୍ଗୀତ ପରିବେଷଣ କରିଥାନ୍ତି। ଏବେ ଏହି ମାହାରୀ ପରମ୍ପରା ଆଉ ନାହିଁ। ହେଲେ କେତେଜଣ ମାହାରୀ ଏବେବି ଅଛନ୍ତି। ଆଉ ଏହି ପ୍ରଥାର ପ୍ରଚାର ପ୍ରସାରରେ ଲାଗିଛନ୍ତି। ସେମାନଙ୍କ ମଧ୍ୟରେ ରୂପଶ୍ରୀ ମହାପାତ୍ର ଅନ୍ୟତମ। ସେ କୁହନ୍ତି, ‘୫ ବର୍ଷ ବୟସ ବେଳେ ଗୁରୁ ପଦ୍ମଶ୍ରୀ ପଙ୍କଜ ଚରଣ ଦାସ ଓ ମୋର ଚାରିଜଣ ଦେବଦାସୀ ମା’ ହରପ୍ରିୟା ଦେବଦାସୀ, ସଚିମଣି ଦେବଦାସୀ, ପରୁସୁମଣି ଦେବଦାସୀ, କୋକିଳପ୍ରଭା ଦେବଦାସୀଙ୍କଠାରୁ ମୁଁ ନୃତ୍ୟ ଶିଖିବାର ସୁଯୋଗ ପାଇଥିଲି। ସେମାନେ ମୋତେ ନିଜ ଝିଅ ପରି ପାଳିଥିଲେ। ଆଉ ସେଇମାନେ ହିଁ ମୋତେ ମାହାରୀର ମାନ୍ୟତା ଦେଇଥିଲେ। ମୁଁ ମୋ ଦେବଦାସୀ ମା’ଙ୍କ ସହ ମିଶି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସମ୍ମୁଖରେ ନୃତ୍ୟ ପରିବେଷଣ କରିବାର ସୁଯୋଗ ବି ପାଇଥିଲି। ସ୍ବାମୀଙ୍କ ପାଇଁ ସ୍ତ୍ରୀ ଯେଉଁଭଳି ଭାବେ ଶୃଙ୍ଗାର କରନ୍ତି ମହାପ୍ରଭୁଙ୍କ ପାଇଁ ମାହାରୀମାନେ ସେଇଭଳି ଶୃଙ୍ଗାର ହୁଅନ୍ତି। ଆଉ ଭକ୍ତି ଓ ସମର୍ପଣ ଭାବର ସହ ନୃତ୍ୟ ପରିବେଷଣ କରନ୍ତି। ମହାପ୍ରଭୁ ଆମ ସ୍ବାମୀ ହୋଇଥିବାରୁ ତାଙ୍କ ସହ ମେଳ ଖାଉଥିବା ପରି ଅର୍ଥାତ୍ ତାଙ୍କ ପୀତବସନ ପରି ଲାଲ ଧଡିଥିବା ହଳଦିଆ ପାଟବସ୍ତ୍ର ପିନ୍ଧୁ। ତା’ସହ ଲାଲରଙ୍ଗର କାଞ୍ଚଲା(ଲମ୍ବା ବ୍ଲାଉଜ) ପିନ୍ଧୁ। ଆଉ ମୁଣ୍ଡ ଉପରେ ଗୀତଗୋବିନ୍ଦ ଖଣ୍ଡୁଆ ପକାଉ। କେଶ ସଜ୍ଜାରେ ଆମେ ରିଙ୍ଗ ଖୋଷା, ଟଭା ଖୋଷା, ଓଲଟା ଖୋଷା ଭଳି ତିନି ପ୍ରକାରର ଖୋଷା କରିଥାଉ। ମୁଣ୍ଡରେ ସୁନା ଜାଲି, ସୁନା ଫୁଲ ଝରା, ସିନ୍ଥି (ଅଳକା), ଦୁଇପାର୍ଶ୍ୱରେ ଚନ୍ଦ୍ର ସୂର୍ଯ୍ୟ ଲଗାଉ। ନାକରେ ନୋଥ, ଗୁଣା, ଦଣ୍ଡି ଓ କାନରେ ପେଣ୍ଡି ଫୁଲ ବା ଚାପସରି ଲଗାଉ। ସେହିଭଳି ବେକରେ ଚାପସରି, ବେଲପତ୍ରୀ ହାର, ହରଡ଼ଖଣା ହାର, ଖାସୁ ମାଳ, ପଦ୍ମଫୁଲ ହାର ଆଦି ପିନ୍ଧିଥାଉ। ହାତରେ ଚୁଡି, ବାହୁଟି, ମଗରମୁଣ୍ଡ ଖଡୁ, ବଟଖୋଳ, ସୁନାର ଖୋଳ ଲଗାଇବାବେଳେ ବାହୁରେ ବାହୁଟି, ଫୁଲ ଥୋପା, କାଠି ଡେଉଁରିଆ, ମହମ ଖାଳ, ଧାନ କେଣ୍ଡା, ହାତ ପଦ୍ମ ଆଦି ପିନ୍ଧୁ। ତା’ସହ ନାନା ପ୍ରକାରର ମୁଦି ବି ପିନ୍ଧୁ। ଗୋଡ଼ରେ ଗୋଡଖଡୁ, ପାହୁଲ, ବାଙ୍କି, ପାଜାମା, ପାପଦ୍ମ, ଚୁପୁଲି(ମୁଦି) ଓ ଅଣ୍ଟାରେ ବେଙ୍ଗ ପଟିଆ, ଅଣ୍ଟା ତଳକୁ ଚନ୍ଦ୍ର ହାର ପିନ୍ଧୁ। ତା’ସହ ଧଳାରଙ୍ଗର ବାସ୍ନା ଫୁଲ ମଧ୍ୟ ଲଗାଉ। ମେକ୍ଅପ୍ ଭାବେ ମୁହଁରେ ଅଗୁରୁ, ଚନ୍ଦନ, କସ୍ତୁରୀ, କର୍ପୂର ମିଶାଇ ଏକ ପ୍ରଲେପ ପ୍ରସ୍ତୁତ କରି ଲେପନ କରୁ। ତେବେ ଆଜିକାଲି ମୁହଁରେ କିଛିଟା ମେକ୍ଅପ୍ ନିଆଯାଉଛି। ଆଗରୁ ପାନ ଖାଇ କିମ୍ବା ଲାଲ କାଗଜରେ ଓଠ ଲାଲ କରାଯାଉଥିଲା। ହେଲେ ଏବେ ଲିପ୍ଷ୍ଟିକ ବ୍ୟବହାର କରାଯାଉଛି। ମୁଁ ଘରେ ଗୁଆଘିଅ ମିଶାଇ କଜଳ ତିଆରି କରି ଲଗାଏ। ନାକରେ ରାମାନନ୍ଦୀ ତିଳକ ବି ଲଗାଉଛୁ। ଜଗନ୍ନାଥ ସଂସ୍କୃତି ଆରମ୍ଭରୁ ହିଁ ମାହାରୀଙ୍କ ବେଶ ପରିପାଟି ଏଭଳି ରହି ଆସିଛି। ଏବେ ଶ୍ରୀମନ୍ଦିର ଭିତରେ ମାହାରୀ ନୃତ୍ୟ ହେଉ ନାହିଁ। କେବଳ ବିଭିନ୍ନ ଉତ୍ସବରେ ବାହାରେ ନୃତ୍ୟ ସେବା କରୁଛୁ। ହେଲେ ଜୀବନର ଏକ ଇଚ୍ଛା ଅଛି ମୃତ୍ୟୁ ପୂର୍ବରୁ ଥରେ ଭଲରେ ସଜେଇ ହୋଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସମ୍ମୁଖରେ ନୃତ୍ୟ ପରିବେଷଣ କରିବି।
ରଜ ସଜବାଜ: ପ୍ରତି ପର୍ବପର୍ବାଣି ସହ ଭିନ୍ନ ପ୍ରକାରର ଆନନ୍ଦ ଉତ୍ସାହ ଜଡିତ ଥାଏ। ତା’ସହ ଶୃଙ୍ଗାର ବି। ସୁନ୍ଦରଭାବେ ସଜେଇ ହୋଇ ପର୍ବ ପାଳନର ଥାଏ ଏକ ଭିନ୍ନ ଆନନ୍ଦ। ଆମ ଓଡ଼ିଆ ପରମ୍ପରାରେ ସଜବାଜର ପର୍ବ କହିଲେ ରଜ ପର୍ବକୁ ବୁଝାଏ। କୁଆଁରୀଠାରୁ ଆରମ୍ଭ କରି ବିବାହିତା ସମସ୍ତେ ଏଇ ପର୍ବରେ ସଜେଇ ହୁଅନ୍ତି। ପହିଲି ରଜ ପୂର୍ବ ଦିନରୁ ହିଁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଏ। ରଜରେ ସଜବାଜର ମହତ୍ତ୍ୱ କେତେ ତାହା ରଜ ଗୀତରୁ ହିଁ ଜଣାପଡ଼େ।
‘ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ
ଆସିଛି ରଜ ଲୋ ଘେନି ନୂଆ ସଜବାଜ।
ରାଶିରୁ ଛାଡ଼ିଲା ଚୋପା, ଗୋଡ଼ରେ ନାଇଛୁ ସରୁ ଅଳତା
ସରୁ ଅଳତା ଲୋ ମଥାରେ ସିନ୍ଦୂର ଟୋପା।’
ଆଗରୁ ରଜରେ ଝିଅମାନେ ଇଠା ଫଳରେ କେଶ ସଫା କରି ହଳଦୀ ଲଗାଇ ସ୍ନାନ କରି ନୂଆ ପୋଷାକ ପିନ୍ଧି ମୁଣ୍ଡରେ ଚନ୍ଦନ ଟୋପା କୁମ୍କୁମ୍, ନଖରେ ନେଲ୍ପଲିସ, ପାଦରେ ଅଳତା ଲଗାଇ ସଜବାଜ ହେଉଥିଲେ। ଖାଲି କୁଆଁରୀ ଝିଅ ନୁହେଁ ବିବାହିତା ନାରୀ ମଧ୍ୟ ସଜବାଜ ହୋଇ ନୂଆ ଶାଢ଼ି ଓ ଗହଣା ଲଗାଇ ସଜବାଜ ହେଉଥିଲେ। ଆଉ ଭୂମି ମା’କୁ ସମ୍ମାନ ଦେଇ ଖାଲି ପାଦରେ ନ ଚାଲି କଦଳୀ ପଟୁକା ପିନ୍ଧି ଚାଲୁଥିଲେ। ତା’ସହ ସୁସଜ୍ଜିତ ରଜ ଦୋଳିରେ ଝୁଲି ଝୁଲି ରଜ ଗୀତ ଗାଉଥିଲେ। ଏବେ ରଜର ଅନେକ ପ୍ରଥା ଲୋପ ପାଇବାକୁ ବସିଲାଣି। କିନ୍ତୁ ସଜବାଜର ପ୍ରଥା ଏବେବି ରହିଛି। ଝିଅ ବୋହୂ ଏବେ ବି ସଜେଇ ହେଉଛନ୍ତି। ଯଦିଓ ଏଥିରେ ଆଧୁନିକତାର ଛାପ ରହୁଛି।
ଆଧୁନିକ ସଜବାଜ: ସମୟ ବଦଳିବା ସହିତ ଶୃଙ୍ଗାରର ଧାରା ବଦଳିଛି। ଆଜିକାଲି ପାରମ୍ପରିକ ସୁନା, ରୂପା ଆଭୂଷଣ ଛଡା ଭିନ୍ନ ଭିନ୍ନ ଧାତୁରେ ତିଆରି ଅନେକ ପ୍ରକାରର ଅଳଙ୍କାର ପିନ୍ଧାଯାଉଛି। ପ୍ରାକୃତିକ ପ୍ରସାଧନ ସାମଗ୍ରିକ ବଦଳରେ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ମିଶ୍ରିତ ପ୍ରସାଧନ ସାମଗ୍ରୀ ବ୍ୟବହାର କରାଯାଉଛି। ପୋଷାକ ପରିପାଟିରେ ବି ଆସିଛି ଅନେକ ପରିବର୍ତ୍ତନ। ସବୁଥିରେ ପରିବର୍ତ୍ତନ ଆସିଛି ସତ, ହେଲେ ନାରୀର ଶୃଙ୍ଗାର ମନସ୍କତାରେ ଆସିନି ପରିବର୍ତ୍ତନ। ସେ ସେବେବି ନିଜ ରୂପ ଲାବଣ୍ୟକୁ ଅଧିକ ମାଧୁର୍ଯ୍ୟମୟ କରିବା ଲାଗି ସଜେଇ ହେଉଥିଲା। ଆଉ ଆଜିବି ସଜେଇ ହେଉଛି।
-ଶିବାନୀ ମହାନ୍ତି