ଆସିବ ‘ଆର୍‌ଆର୍‌ଆର୍‌’ର ସିକ୍ୱୁଲ!

ମୁମ୍ବାଇ: ଅଭିନେତା ରାମ ଚରଣ, ଜୁନିୟର ଏନ୍‌ଟିଆର୍‌, ଆଲିଆ ଭଟ୍ଟ ଓ ଅଜୟ ଦେବଗନ ଷ୍ଟାରର ଫିଲ୍ମ ‘ଆର୍‌ଆର୍‌ଆର୍‌’ ବକ୍ସ ଅଫିସରେ ଝଡ ସୃଷ୍ଟି କରିଛି । ଫିଲ୍ମକୁ କେବଳ ଦର୍ଶକେ କାହିଁକି ଫିଲ୍ମ କ୍ରିଟିକ୍ସ ବି ପ୍ରଶଂସା କରି କରି ଥକି ଗଲେଣି । ‘ଆର୍‌ଆର୍‌ଆର୍‌’ ହିଟ୍ ହେବା ପରେ ଏବେ ଏହାର ସିକ୍ୱୁଲକୁ ନେଇ ଚର୍ଚ୍ଚା ହେଲାଣି । ଦର୍ଶକେ ‘ଆର୍‌ଆର୍‌ଆର୍‌’ର ସିକ୍ୱୁଲ ଦେଖିବାକୁ ଇଚ୍ଛା ପ୍ରକାଶ କଲେଣି । ତେବେ ନିର୍ଦ୍ଦେଶକ ଏସଏସ ରାଜାମୌଳି କହିଛନ୍ତି ଯଦି ‘ଆର୍‌ଆର୍‌ଆର୍‌’ର ସିକ୍ୱୁଲ ନିର୍ମାଣ କରାଯାଏ ତେବେ ରାମ ଚରଣ ଓ ଜୁନିୟର ଏନଟିଆରଙ୍କ ସହ କିଛି ସମୟ ବିତାଇବାକୁ ତାଙ୍କୁ ସମୟ ମିଳିଯିବ । ହେଲେ ଏହି ଯୋଜନା ଏବେ ନୁହେଁ । ଏଥିପାଇଁ କିଛି ସମୟ ଅପେକ୍ଷା କରିବାକୁ ପଡିବ । ସେ କହିଛନ୍ତି, ‘ଆର୍‌ଆର୍‌ଆର୍‌’ ୨୦୨୦ରେ ଆରମ୍ଭ କରାଯାଇଥିଲା ଆଉ ଏବେ ୨୦୨୨ । ତେଣୁ ଏହି ସମୟ ମଧ୍ୟରେ ଯେଉଁ ଉତ୍ତାପ ମୁଁ ପାଇଛି ତାକୁ ଟିକେ ଥଣ୍ଡ ହେବାକୁ ଦିଅନ୍ତୁ । ମୁଁ ଏବେ ଥଣ୍ଡା ହେବାକୁ ଚେଷ୍ଟା କରୁଛି । ମୋ ପାଇଁ ସିକ୍ୱୁଲ ନିର୍ମାଣ କରିବା ବଡ ଖୁସିର କଥା ହେବ । ଏହା ବକ୍ସ ଅଫିସରେ କ’ଣ କଲେକ୍ସନ କଲା ତା’ ନୁହେଁ ବରଂ ମୋର ଦୁଇ ଭାଇ ରାମ ଚରଣ ଓ ଜୁନିୟର ଏନଟିଆରଙ୍କ ସହ କିଛି ସମୟ ବିତାଇବାର ସୁଯୋଗ ମିଳିଯିବ, ଯାହା ମୋପାଇଁ ଖୁବ୍ ଏକ୍ସାଇଟିଂ ହେବ ବୋଲି ରାଜାମୌଳି କହିଛନ୍ତି ।
‘ଆର୍‌ଆର୍‌ଆର୍‌’ ଏକ ଇମାଜିନାରୀ ଷ୍ଟୋରୀ ହୋଇଥିବା ବେଳେ ଏହା କ୍ରାନ୍ତିକାରୀ ଅଲ୍ଲୁରୀ ସୀତାରାମ ରାଜୁ ଓ କୋମାରାମ ଭିମଙ୍କ କାହାଣୀ । ଏମାନେ ବ୍ରିଶିଟ ଶାସନ ବିରୋଧରେ ଲଢୁଥିବା ଦେଖାଯାଇଛି ।ଏହି ଫିଲ୍ମ ତାମିଲ, ତେଲଗୁ, କନ୍ନଡ ଓ ମଲୟାଲମ ସହ ହିନ୍ଦୀ ଭାଷାରେ ବି ରିଲିଜ୍ କରାଯାଇଛି । ଫିଲ୍ମ ‘ଆର୍‌ଆର୍‌ଆର୍‌’ ଗ୍ଲୋବାଲ ବକ୍ସ ଅଫିସରେ ୧୦୦୦କୋଟି ଆୟ କରିସାରିଲାଣି । ଏବେବି ଏହାର ବ୍ୟବସାୟ ଜାରି ରହିଛି ।

Share