ସିଧା ଗାର

ବିଚାର ବିଭାଗ କିମ୍ବା ପୋଲିସ ହେପାଜତରେ ଥିବାବେଳେ ମହିଳା ଅଭିଯୁକ୍ତଙ୍କ ଭର୍ଜିନିଟି ବା କୁମାରିତ୍ୱ ପରୀକ୍ଷା କରାଯିବା ଅସାମ୍ବିଧାନିକ ବୋଲି ୭ ଫେବୃୟାରୀ ୨୦୨୩ରେ ଦିଲ୍ଲୀ ହାଇକୋର୍ଟ ଏକ ରାୟ ଦେଇଛନ୍ତି। କେରଳରେ ୧୯୯୨ରେ ସିଷ୍ଟର ଅଭୟାଙ୍କୁ ହତ୍ୟା କରାଯାଇଥିବା ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସିଷ୍ଟର ସେଫିଙ୍କ କୁମାରିତ୍ୱ ପରୀକ୍ଷା କରାଇଥିଲା। ସେହି ସଂକ୍ରାନ୍ତ ମାମଲା ଉପରେ ବିଚାରକରି ଦିଲ୍ଲୀ ହାଇକୋର୍ଟ ବିଚାରପତି ସ୍ବର୍ଣ୍ଣକାନ୍ତ ଶର୍ମା ଉପରୋକ୍ତ ମତ ରଖିବା ଏକ ନୂଆ ଚିନ୍ତାଧାରା ଦର୍ଶାଇଛି। ସୂଚନା ଦିଆଯାଇପାରେ ଯେ, କୋଟାୟାମ୍‌ର ପିଅସ୍‌ କନ୍‌ଭେଣ୍ଟ ହଷ୍ଟେଲର ରୋଷଶାଳାରେ ଫାଦର ଥମାସ କୋଟ୍ଟୁର, ଫାଦର ଜୋସ୍‌ ଫୁଥିରିକାୟିଲ୍‌ ଓ ସିଷ୍ଟର ସେଫି ଆପତ୍ତିଜନକ ଅବସ୍ଥାରେ ଥିବାବେଳେ ତାହାକୁ ସିଷ୍ଟର ଅଭୟା ଦେଖିଦେଇଥିଲେ। କାଳେ ଘଟଣା ପ୍ରଘଟ ହୋଇଯିବ ଆଶଙ୍କା କରି ଫାଦର କୋଟ୍ଟୁର ସିଷ୍ଟର ଅଭୟାଙ୍କ ତଣ୍ଟି ଚିପି ଦେଉଥିବା ବେଳେ ସେଫି ଏକ କୁରାଢ଼ିରେ ତାଙ୍କ ମୁଣ୍ଡକୁ ଆଘାତ ଦେଇଥିଲେ। ଘଟଣାସ୍ଥଳରେ ସିଷ୍ଟର ଅଭୟାଙ୍କ ମୃତ୍ୟୁ ଘଟିବାରୁ ତାଙ୍କୁ ହଷ୍ଟେଲ ପରିସରରେ ଥିବା କୂଅରେ ପକାଇ ଦେଇଥିଲେ। ପ୍ରାରମ୍ଭିକ ସମୟରେ ସ୍ଥାନୀୟ ପୋଲିସ ଓ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରି ସିଷ୍ଟର ଅଭୟା ଆତ୍ମହତ୍ୟା କରିଥିବା କହି ମାମଲାକୁ ବନ୍ଦ କରିଦେଇଥିଲେ। ପରବର୍ତ୍ତୀ ସମୟରେ ମାନବ ଅଧିକାର କର୍ମୀଙ୍କ ହସ୍ତକ୍ଷେପ ପରେ ସିବିଆଇ ଉକ୍ତ ମାମଲା ହାତକୁ ନେଇଥିଲା। ଏହି ଘଟଣାରେ ସିବିଆଇ ଥମାସ, ଫାଦର ଜୋସ୍‌ ଓ ସିଷ୍ଟର ସେଫିଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ସେମାନଙ୍କୁ ଗିରଫ କରିଥିଲା। ତେବେ ତଦନ୍ତ ବେଳେ ସିଷ୍ଟର ସେଫିଙ୍କ କୁମାରିତ୍ୱ ପରୀକ୍ଷା କରାଯାଇଥିବାରୁ ସେ ତାହା ବିରୋଧରେ ରିଟ୍‌ ଦାୟର କରିଥିଲେ। ଏବେ ଦିଲ୍ଲୀ ହାଇକୋର୍ଟ ବିଚାରପତି ତାଙ୍କ ରାୟରେ ଦର୍ଶାଇଛନ୍ତି ଯେ, ତଦନ୍ତ ବେଳେ ସମ୍ବିଧାନର ୨୧ ଅନୁଚ୍ଛେଦକୁ ଅଣଦେଖା କରାଯାଇପାରିବ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ଜଣେ ବ୍ୟକ୍ତିଙ୍କ ସୁରକ୍ଷା ଓ ବ୍ୟକ୍ତିଗତ ସ୍ବାଧୀନତା ହେଉଛି ତାଙ୍କ ମୌଳିକ ଅଧିକାର। ତଦନ୍ତକାରୀ ସଂସ୍ଥା ସେଫିଙ୍କ କୁମାରିତ୍ୱ ଯାଞ୍ଚ କରିବାକୁ ଯାଇ ତାଙ୍କ ଶରୀରରେ ଯେଉଁ ଡାକ୍ତରୀ ପରୀକ୍ଷା କରିଛନ୍ତି, ତାହା ତାଙ୍କ ମାନସିକ ସ୍ଥିତି ଉପରେ ଗଭୀର ନକାରାତ୍ମକ ପ୍ରଭାବ ପକାଇଛି। ସିଷ୍ଟର ସେଫିଙ୍କ ମାନବ ଅଧିକାର ଉଲ୍ଲଂଘନ ହୋଇଥିବାରୁ ସେ କ୍ଷତିପୂରଣ ଦାବି କରିପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି। ଏଥିସହିତ କୌଣସି ମହିଳାଙ୍କ ଭର୍ଜିନିଟି ଟେଷ୍ଟ ପାଇଁ ଭାରତୀୟ ଆଇନ ଅନୁମତି ଦେଇ ନାହିଁ। ଏହି ବିଷୟରେ ତଦନ୍ତକାରୀ ଅଧିକାରୀମାନଙ୍କୁ ସଚେତନ କରାଇବା ପାଇଁ ମଧ୍ୟ ଦିଲ୍ଲୀ ହାଇକୋର୍ଟ ଆହୁରି କେତେକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ ୩୧ ଅକ୍ଟୋବର ୨୦୨୨ରେ ଭାରତର ସୁପ୍ରିମକୋର୍ଟ ମଧ୍ୟ ଏକ ରାୟରେ ‘ଟୁ ଫିଙ୍ଗର’ ବା ଦୁଇ ଆଙ୍ଗୁଠି ଭର୍ଜିନିଟି ପରୀକ୍ଷାକୁ ଅବୈଧ ଘୋଷଣା କରିଥିଲେ। ଭାରତ ବ୍ୟତୀତ ଏହି ବ୍ୟବସ୍ଥା ଆଫଗାନିସ୍ତାନ, ବାଂଲାଦେଶ, ଇଜିପ୍ଟ, ଇଣ୍ଡୋନେସିଆ, ଇରାକ୍‌, ମରକ୍କୋ, ଫିଲିପାଇନ୍ସ, ଦକ୍ଷିଣ ଆଫ୍ରିକା, ତୁର୍କୀ, ଆମେରିକା ଭଳି ଦେଶରେ ଅନୁମତି ରହିଛି।
ଏବେ ଦିଲ୍ଲୀ ହାଇକୋର୍ଟ ଯାହା କହୁଛନ୍ତି, ତାହା ସ୍ବୀକାରଯୋଗ୍ୟ। କିନ୍ତୁ ସିଷ୍ଟର ସେଫିଙ୍କ ବିରୋଧରେ ହତ୍ୟାର ଅଭିଯୋଗ ହୋଇଛି। ବାସ୍ତବତା ଦେଖାଯାଉ। ସିଷ୍ଟର ସେଫି ଖ୍ରୀଷ୍ଟିଆନ୍‌ ଧର୍ମର ନନ୍‌ ହୋଇଥିବାରୁ ବୁଝିବା କଥା ଯେ, ତାଙ୍କର କୁମାରିତ୍ୱ ରହିଥିବ। କିନ୍ତୁ ହତ୍ୟାର ଶିକାର ହୋଇଥିବା ସିଷ୍ଟର ଅଭୟା ଏକ ଆପତ୍ତିଜନକ ପରିସ୍ଥିତିରେ ତିନି ଜଣ ଆସାମୀଙ୍କୁ ଦେଖିବା ଫଳରେ ସେମାନେ ତାଙ୍କୁ ମାରିଦେଲେ। ହୁଏତ ପୋଲିସର ଯୁକ୍ତି ହୋଇପାରେ ଯେ ସିଷ୍ଟର ସେଫିଙ୍କ ଯୌନ ସମ୍ପର୍କକୁ ପ୍ରମାଣସିଦ୍ଧ କରିପାରିଲେ ମାମଲାକୁ ଦୃଢ଼ କରାଯାଇ ଅଭିଯୁକ୍ତିଙ୍କୁ ଦଣ୍ଡିତ କରାଯାଇପାରିବ। ତେଣୁ ଏପଟେ ମହିଳାଙ୍କ ଶାଳୀନତାକୁ ରକ୍ଷା କରାଯାଉଥିବା ବେଳେ ହତ୍ୟାର ଶିକାର ହୋଇଥିବା ଅନ୍ୟ ଜଣେ ମହିଳାଙ୍କ ପରିବାରକୁ ନ୍ୟାୟ ପାଇବାରୁ ବଞ୍ଚତ୍ତ କରାଗଲା। ଏଥିରୁ ବୁଝିବାକୁ ହେବ ଯେ, ଆଇନ ଗୋଟିଏ ସିଧା ଗାର ହେବା ଉଚିତ ନୁହେଁ। କୁହାଯାଏ ଆଇନ ସମସ୍ତଙ୍କ ପାଇଁ ସମାନ। ପୃଥିବୀବ୍ୟାପୀ ସବୁ ଦେଶର ପରିସ୍ଥିତି ସମ୍ପର୍କରେ ମତ ଦେବା କଷ୍ଟକର। କିନ୍ତୁ ଭାରତରେ ଆଇନ କେତେବେଳେ ସମସ୍ତଙ୍କୁ ସମାନ ଭାବେ ବିବେଚନା କରେ ନାହିଁ। ବିଶେଷକରି ଏହି ଘଟଣାରେ ସିଷ୍ଟର ସେଫିଙ୍କ କୁମାରିତ୍ୱ ଜଣାପଡ଼ିଲେ ହତ୍ୟାର ସତ୍ୟାସତ୍ୟ ପ୍ରମାଣିତ ହୋଇଥାଆନ୍ତା। ତାହାକୁ ବନ୍ଦ କରିଦିଆଯିବା ଫଳରେ ହତ୍ୟାକାରୀ ନିର୍ଦ୍ଦୋଷରେ ଖଲାସ ହୋଇଯିବେ।
ଅବଶ୍ୟ ଏଠାରେ ଉଲ୍ଲେଖ କରିବା ଦରକାର ଯେ, ଅଧିକାଂଶ ସଭ୍ୟ ଦେଶରେ ଭର୍ଜିନିଟି ଟେଷ୍ଟକୁ ଅବୈଧ ଘୋଷଣା କରିବା ପଛରେ ମୌଳିକ ମାନବ ଅଧିକାର ପ୍ରଶ୍ନ ରହିଛି। ଏହା ବ୍ୟତୀତ ଏହି ପରୀକ୍ଷା ଅବୈଜ୍ଞାନିକ ହୋଇଥିବାରୁ ଭର୍ଜିନିଟି ପରୀକ୍ଷା ସମ୍ପୂର୍ଣ୍ଣ ଭାବେ ନିର୍ଭୁଲ ବୋଲି କୁହାଯାଇପାରିବ ନାହିଁ। ତେଣୁ ଭାରତରେ ଦୁଇ ଅଙ୍ଗୁଳି ପରୀକ୍ଷାକୁ ସୁପ୍ରିମକୋର୍ଟ ବନ୍ଦ କରିବା ପରେ ସମୟ ଆସିଲାଣି ଏହି ପରୀକ୍ଷାର ବିଭିନ୍ନ ରୂପକୁ ମଧ୍ୟ ବେଆଇନ ଘୋଷଣା କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ନିଯୁକ୍ତିର ମରୀଚିକା

ଉପଯୁକ୍ତ ଜୀବିକା ଓ କର୍ମନିଯୁକ୍ତି ପ୍ରତ୍ୟେକ ମନୁଷ୍ୟକୁ ବିକାଶ ଦିଗକୁ ଟାଣି ନେଇଥାଏ। ନିଯୁକ୍ତି ଦେଇଥାଏ ନୂଆ ଆଶାର ଆଲୋକ, ଯାହା ଫଳରେ ବ୍ୟକ୍ତିଟିଏ ନିଜ...

ବାକ୍‌ ସଂଯମ: ଏକ ସାଧନା

ଷୋଡ଼ଶ ଶତାବ୍ଦୀର ଏକ ଘଟଣାରୁ ପ୍ରବନ୍ଧଟି ଆରମ୍ଭ କରୁଛି। ଇଂରେଜ ମନୀଷୀ ଥୋମାସ୍‌ କୁପାର ଆଠବର୍ଷ କଠିନ ପରିଶ୍ରମ କରି ଏକ ଅଭିଧାନ ସଂକଳନ କରୁଥିଲେ।...

୩୦ ବର୍ଷ ପୂର୍ବରୁ ଓ ପରେ

ବିଶ୍ୱର ପ୍ରାୟ ସମସ୍ତ ବିକଶିତ ଦେଶ ସେମାନଙ୍କ ମାନବ ଶକ୍ତିକୁ ବିଭିନ୍ନ କ୍ଷେତ୍ରରେ ସର୍ବାଧିକ ବିନିଯୋଗ କରିପାରିଛନ୍ତି। ଏହି କ୍ରମରେ ଭାରତ ପାଇଁ ଏଭଳି କରିବା...

ଏଇ ଭାରତରେ

ପେସାରେ ସାମ୍ବାଦିକ ହେଲେ ମଧ୍ୟ ଚାଷରେ ଏକ ନମ୍ବର। ଏମିତି ଜଣେ ସାମ୍ବାଦିକ ହେଉଛନ୍ତି କେରଳର ୫୪ ବର୍ଷୀୟ ନାରାୟଣନ୍‌ କନାଲୟାମ। ତାଙ୍କ ଫାର୍ମରେ ୮୭...

ଉଦ୍‌ଘାଟନୀ ଉପକଥା

ଟିଏ ଘଟଣା ବିଷୟରେ ଚିନ୍ତା କରାଯାଉ। ପରିବେଶ ସୁରକ୍ଷା ଉପରେ ରାଜ୍ୟସ୍ତରୀୟ କର୍ମଶାଳା ହେଉଥିବ। ଆବଦ୍ଧ ସଭାଗୃହ ମଧ୍ୟରେ ଭରି ରହିଥିବେ ଦର୍ଶକ। ସାଜସଜ୍ଜା ବେଶ୍‌...

ଫ୍ରାନ୍ସିସ୍‌ଙ୍କ ଯୁଗ

୨୧ ଏପ୍ରିଲରେ ପୋପ୍‌ ଫ୍ରାନ୍ସିସଙ୍କର ୮୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ରୋମାନ କାଥୋଲିକ ଚର୍ଚ୍ଚର ୨୦୦୦ ବର୍ଷ ପୁରୁଣା ପୋପ୍‌ ଇତିହାସରେ ଏକ ବିରଳ...

ଆପେ ବଞ୍ଚିଲେ ବାପର ନାଁ

ଗୋଟେ କଥା ଅଛି ‘ଆପେ ବଞ୍ଚିଲେ ବାପର ନାଁ’। ଅନେକ ସମୟରେ ମଣିଷ ଯେତେବେଳେ ସ୍ବାର୍ଥସର୍ବସ୍ବ ହୁଅନ୍ତି, ସେତେବେଳେ ଏହି ଉକ୍ତିଟି ବ୍ୟବହାରକରି ନିଜ କାମର...

ଏଇ ଭାରତରେ

ନିନ୍ଦା, ଟାହିଟାପରା କରିବା ଲୋକେ ତ ସମାଜରେ ଅନେକ ମିଳନ୍ତି, କିନ୍ତୁ ଲୋକନିନ୍ଦାକୁ ନିଜର ସାମର୍ଥ୍ୟ କରି ଗଢ଼ି ତୋଳନ୍ତି କ୍ୱଚିତ୍‌। ଏମିତି ଜଣେ ବ୍ୟକ୍ତିତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image