ସିଡ୍‌ନୀରେ ବିଚିତ୍ର ପ୍ରାଣୀ

ସିଡ୍‌ନୀ,୩।୩: ଅଷ୍ଟ୍ରେଲିଆର ସିଡ୍‌ନୀ ସହର ରାସ୍ତାରୁ ଏକ ବିଚିତ୍ର ପ୍ରାଣୀ ମିଳିଛି, ଯାହା ଜୀବବିଜ୍ଞାନୀ, ଶିକ୍ଷାବିତ୍‌ ଓ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ବିସ୍ମିତ କରିଛି। ହାରି ହାୟେସ୍‌ ନାମକ ବାଳକ ଗତ ସୋମବାର ସକାଳେ ଜଗିଂ କରିବାକୁ ଯାଇଥିବାବେଳେ ରାସ୍ତାରେ ଉକ୍ତ ବିଚିତ୍ର ପ୍ରାଣୀକୁ ପାଇଥିଲେ। ଏହା ‘ଏଲିଏନ୍‌’ ହୋଇଥାଇପାରେ ବୋଲି ସେ ସନ୍ଦେହ ପ୍ରକାଶ କରିଥିବା ଲାଡବିବଲ୍‌ ଅଷ୍ଟ୍ରେଲିଆ ନାମକ ଏକ ଗଣମାଧ୍ୟମକୁ କହିଛନ୍ତି।
ଅଷ୍ଟ୍ରେଲିଆରେ କିଛିଦିନ ହେଲା ପ୍ରବଳ ବର୍ଷା ଲାଗିରହିଛି। ତେବେ ଏଭଳି ବିଚିତ୍ର ପ୍ରାଣୀ ବନ୍ୟାଞ୍ଚଳରେ ଦେଖାଯାଇ ନାହିଁ। ସିଡ୍‌ନୀର ମାରିକ୍‌ଭିଲ୍ଲେ ଅର୍ଦ୍ଧସହରାଞ୍ଚଳର ରାସ୍ତାରୁ ହାୟେସ୍‌ ଏହାକୁ ପାଇବା ପରେ କୌଣସି ଜୀବର ଭ୍ରୂଣ ହୋଇଥାଇପାରେ ବୋଲି ଆଶଙ୍କା କରିଥିଲେ। ତେବେ କୋଭିଡ୍‌, ବନ୍ୟା ଓ ତୃତୀୟ ବିଶ୍ୱଯୁଦ୍ଧ ଭଳି ସ୍ଥିତି ସମୟରେ ଏହା ଏଲିଏନ୍‌ ହୋଇଥାଇପାରେ ବୋଲି ସେ ଭାବିଥିଲେ। ସେ ଇନ୍‌ଷ୍ଟାଗ୍ରାମରେ ଏହାର ଫଟୋ ଛାଡ଼ିବା ପରେ ଏହା ଅନ୍ୟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ବ୍ୟାପିଯାଇଥିଲା। ସୋସିଆଲ ମିଡିଆରେ ଉକ୍ତ ଅଜବ ପ୍ରାଣୀକୁ ଅନେକେ ‘ଏଲିଏନ୍‌’ ବୋଲି ଲେଖିଛନ୍ତି। ଅଷ୍ଟ୍ରେଲିଆର ଲୋକପ୍ରିୟ ଇନ୍‌ଫ୍ଲୁଏନ୍ସର ଲିଲ୍‌ ଆହେଙ୍କାନ୍‌ ଉକ୍ତ ଫଟୋକୁ ଇନ୍‌ଷ୍ଟ୍ରଗ୍ରାମରେ ଶେୟାର କରିବା ସହ ‘ଏହା କଣ’ ବୋଲି ଲେଖିଥିଲେ। ପରେ ଏହା ଭାଇରାଇ ହୋଇଥିଲା। ଏହା ସାର୍କ ଭ୍ରୂଣ କିମ୍ବା ଅନ୍ୟ କୌଣସି ସାମୁଦ୍ରିକ ଜୀବ ହୋଇପାରେ ବୋଲି ଜଣେ ଅନୁମାନ କରିଛନ୍ତି। ଜୀବବିଜ୍ଞାନୀ ଏଲି ଏଲିସା ଉକ୍ତ ଫଟୋକୁ ପୁନର୍ବାର ଇନ୍‌ଷ୍ଟ୍ରାଗ୍ରାମରେ ପୋଷ୍ଟ କରି ଏହାକୁ ଚିହ୍ନଟ କରିବା ଲାଗି ଅନୁରୋଧ କରିଛନ୍ତି।

Share