Categories: ଫୁରସତ

ପରୀକ୍ଷାଖାତାରେ ଅଜବ ଉତ୍ତର

ଜମୁଇ (ବିହାର): ଦେଶର ବିଭିନ୍ନ ରାଜ୍ୟରେ ଏବେ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଚାଲିଥିବାବେଳେ ବିଭିନ୍ନ ରାଜ୍ୟସ୍ତରୀୟ ବୋର୍ଡ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାଗୁଡ଼ିକୁ ପରିଚାଳନା କରାଯାଉଛି। ପରୀକ୍ଷା ପୂର୍ବରୁ, କିଛି ଛାତ୍ର ଦିନରାତି କଠିନ ପରିଶ୍ରମ କରୁଥିବା ବେଳେ ଅନ୍ୟ କିଛି ଛାତ୍ର ନିଜ ପରୀକ୍ଷା ଖାତାରେ ଏପରି କିଛି ଲେଖୁଛନ୍ତି, ଯାହାଦ୍ୱାରା ପରୀକ୍ଷାକୁ ନେଇ ଚର୍ଚ୍ଚା ଲାଗି ରହୁଛି। ଚଳିତ ବର୍ଷ ବିହାର ବୋର୍ଡ ପରୀକ୍ଷା କଡ଼ାକଡ଼ି ହୋଇଥିବାରୁ ଛାତ୍ରମାନେ ଆଉ ପୂର୍ବ ପରି କପି କରିବାକୁ ସମର୍ଥ ହୋଇପାରୁନାହାନ୍ତି। ଏଭଳି ସ୍ଥିତିରେ ବିହାରରେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ଉତ୍ତର ସିଟ୍‌ ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହି ଛାତ୍ରୀ ଜଣକ ବିଭିନ୍ନ ପ୍ରଶ୍ନର ଉତ୍ତରରେ ଶିକ୍ଷକଙ୍କୁ ପାସ୍‌ ମାର୍କ ଦେବାକୁ ଅନୁରୋଧ କରିଛନ୍ତି। କିଛି ଦିନ ତଳେ ପିତାଙ୍କ ମୃତ୍ୟୁ ହୋଇଥିବାରୁ ଭଲଭାବେ ଅଧ୍ୟୟନ କରି ପାରି ନ ଥିବା ନେଇ ସେ ନିଜ ଉତ୍ତରଖାତାରେ ଲେଖିଛନ୍ତି। ସେହିପରି ଘରର ବୋଝ ତାଙ୍କ ଉପରେ ଥିବାରୁ ସବୁ କାମ କରି ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇ ଯାଇଥିବା ଦର୍ଶାଇ ସେ କିଛି ପଢ଼ିପାରି ନ ଥିବା ନିଜ ଉତ୍ତର ଖାତାରେ ଲେଖିଛନ୍ତି। ତେଣୁ ଦୟା ଦେଖାଇ ତାଙ୍କୁ ପାସ୍‌ କରିଦେବାକୁ ସେ ନିବେଦନ କରିଛନ୍ତି। ବିହାରର ଜମୁଇର ଦୁଇଟି କେନ୍ଦ୍ରରେ ଦ୍ୱାଦଶ ବୋର୍ଡ ପରୀକ୍ଷାର ମୂଲ୍ୟାଙ୍କନ କରାଯାଉଥିବା ବେଳେ ଏହିପରି ଏକ ପରୀକ୍ଷା ଖାତା ସାମ୍‌ନାକୁ ଆସିଥିଲା, ଯାହାକୁ ପଢ଼ି ମୂଲ୍ୟାଙ୍କନ କରୁଥିବା ଶିକ୍ଷକ ମଧ୍ୟ ଅଭିଭୂତ ହୋଇଯାଇଥିଲେ।

Share