ପାରାଦୀପ,୩।୧(ସ୍ବ.ପ୍ର.): ପାରାଦୀପ ବନ୍ଦର ମଧ୍ୟରେ ପ୍ରବେଶ ପାଇଁ ଆଙ୍କରେଜରେ ଅପେକ୍ଷା କରିଥିବା ଏକ ପଣ୍ୟବାହୀ ଜାହାଜରେ ମଙ୍ଗଳବାର ସକାଳେ ଜଣେ ରୁଷିଆ ନାଗରିକଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ମୃତକ ହେଲେ ଜାହାଜର ମୁଖ୍ୟ ଯନ୍ତ୍ରୀ ମିଲିୟାକୁଭ ସର୍ଜେ (୫୨)। ଏମ୍ଭି ଅଲଦନାହ ନାମକ ଜାହାଜରେ ସେ ଥିଲେ। ସକାଳୁ ତାଙ୍କ ମୃତ୍ୟୁ ଘଟିଥିବା ପୋର୍ଟ ସିଗନାଲ ଷ୍ଟେସନକୁ ସୂଚନା ମିଳିଥିଲା। ପରେ ଇମିଗ୍ରେସନ ବିଭାଗର ବରିଷ୍ଠ ଅଧିକାରୀ ମାନସ ରଞ୍ଜନ ଦାଶ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି।
ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି। ଉକ୍ତ ଜାହାଜରେ ସମୁଦାୟ ୨୧ ଜଣ ନାବିକ ଥିବା ସୂଚନା ମିଳିଛି। ଜାହାଜ ବାଂଲାଦେଶ ଚିଟାଗଙ୍ଗ ପୋର୍ଟରୁ ପାରାଦୀପ ଆସିଥିଲା। ପାରାଦୀପରୁ ୫୬ ହଜାର ମେଟ୍ରିକଟନ ଲୁହାପଥର ବୋଝେଇ କରିବ ବୋଲି ପୋର୍ଟ ଡିଟିଆର (ଡେଲି ଟ୍ରାଫିକ ରିପୋର୍ଟ)ରୁ ଜଣାପଡିଛି। ଏହି ପଣ୍ୟ ରପ୍ତାନୀକାରୀ ସଂସ୍ଥା ଜେଏସ୍ଡବ୍ଲ୍ୟୁ ଥିବା ବେଳେ ଷ୍ଟିଭେଡର୍ସ ସଂସ୍ଥା ସିସିସି(ସିଣ୍ଟ୍ରାନ୍ସ ଶିପିଙ୍ଗ ସର୍ଭିସ)ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ଏହି ସିଣ୍ଟ୍ରାନ୍ସ କମ୍ପାନୀ ୨୦୦୯ ସେପ୍ଟେମ୍ବର ୯ ରେ ଆଣିଥିବା ଏମ୍ଭି ବ୍ଲାକରୋଜ ଜାହାଜ ଆଙ୍କରେଜ ଏରିଆରେ ବୁଡି ଯାଇଥିଲା। ସେତେବେଳେ ଉକ୍ତ କମ୍ପାନୀ କଳା ତାଲିକାଭୁକ୍ତ ହୋଇଥିଲା।