Categories: ଖେଳ

ପୁଣେ ଟେଷ୍ଟରେ ହେଲା ଅଜବ କାରନାମା: ଗୋଟିଏ ସହରର ୨ ବୋଲର କଲେ ଚମତ୍କାର

ପୁଣେ,୨୪।୧୦:ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ଭାରତ ବିପକ୍ଷରେ ପୁଣେ ଟେଷ୍ଟରେ ୨୫୯ ରନ ସ୍କୋର କରି ଆଉଟ ହୋଇଥିଲେ। ଏହି ସମୟରେ ୱାଶିଂଟନ ସୁନ୍ଦର ଭାରତ ପାଇଁ ସାଂଘାତିକ ବୋଲିଂ କରିଥିଲେ। ସେ ୭ ଉଇକେଟ ନେଇଥିଲେ। ଦୀର୍ଘ ଦିନ ପରେ ସୁନ୍ଦର ଟେଷ୍ଟ ଟିମ ଇଣ୍ଡିଆକୁ ଫେରି ଚମତ୍କାର ପ୍ରଦର୍ଶନ କରିଛନ୍ତି।

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଗୋଟିଏ ସହରର ଦୁଇ ବୋଲର ସମସ୍ତ ୧୦ ଉଇକେଟ ନେଇଥିଲେ। ଅନ୍ତର୍ଜାତୀୟ କ୍ରିକେଟର ଏହା ଏକ ଆକର୍ଷଣୀୟ ରେକର୍ଡ। ଅଶ୍ୱିନ ଏବଂ ସୁନ୍ଦର ଗୋଟିଏ ସହରରୁ ଆସିଛନ୍ତି।

ପ୍ରାୟ ୩ ବର୍ଷ ପରେ ସୁନ୍ଦର ଟିମ ଇଣ୍ଡିଆକୁ ଫେରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ପୁଣେ ଟେଷ୍ଟର ପ୍ରଥମ ଇନିଂସରେ ସେ ୨୩.୧ ଓଭରରେ ୫୯ ରନ ଦେଇଥିଲେ। ଏହି ସମୟ ମଧ୍ୟରେ ୭ଟି ଉଇକେଟ ନେଇଥିଲେ ଏବଂ ୪ ମେଡେନ୍‌ ଓଭର ମଧ୍ୟ ପକାଇଥିଲେ।

ଭାରତ ବିପକ୍ଷ ପ୍ରଥମ ଇନିଂସରେ ଆଉଟ ହେବା ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ୨୫୯ ରନ ସଂଗ୍ରହ କରିଥିଲା। ଏହି ସମୟରେ କନୱେ ୭୬ ରନର ଏକ ଇନିଂସ ଖେଳିଥିଲେ। ରାଚିନ ରବିନ୍ଦ୍ର ୬୫ ରନ ସଂଗ୍ରହ କରିଥିଲେ।

ନ୍ୟୁଜିଲାଣ୍ଡର ଇନିଂସରେ ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୨୪ ଓଭରରେ ୬୪ ରନ ଦେଇ ୩ ଉଇକେଟ ନେଇଥିଲେ।

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଇନିଂସରେ ପ୍ରଥମ ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ଭାରତ ଗୋଟିଏ ଉଇକେଟ ହରାଇ ୧୬ ରନ ସ୍କୋର କରିଥିଲା। କ୍ୟାପଟେନ ରୋହିତ ଶର୍ମା ଶୂନ୍ୟରେ ଆଉଟ ହୋଇଥିଲେ।

Share