
ଥୁଆମୁଳ ରାମପୁର,୭।୪(ଦୁର୍ଗା କୀର୍ତ୍ତି): ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରୋଗୀ ହେଉ ଅବା ଗର୍ଭବତୀ କେବେ ଖଟିଆରେ ବୁହାହେଉଛନ୍ତି ତ ଆଉ କେବେ ଝୁଲାରେ ବୁହା ହେଉଛନ୍ତି। ବାରମ୍ବାର ସାମାଜିକ ଗଣମାଧ୍ୟମରେ ଏଭଳି ଖବରକୁ ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ସରକାର ଏହାର କୌଣସି ସମାଧାନ କରୁନାହାନ୍ତି।
ପୁଣି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କେରପାଇ ପଞ୍ଚାୟତ ସ୍ଥିତ ମୁରଲୀମୁହିଁ ଗାଁରୁ ଆସିଛି ଏଭଳି ଚିତ୍ର l ଗ୍ରାମର କାଳିଆ ମାଝୀ (୫୩)ଙ୍କୁ ପେଟ ଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ରାସ୍ତାଘାଟ ଅଭାବ ଯୋଗୁ ଗାଁକୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ ଏବଂ ସର୍ଗିପଦର ଗାଁ ଦାଣ୍ଡରେ ଅପେକ୍ଷାରେ ରହିଥିଲା। ଦୀର୍ଘ ୯ରୁ୧୦ କିଲୋମିଟର କମ୍ବଳ ଝୋଲାରେ ବୁହାହେବା ପରେ କେରପାଇ ପଞ୍ଚାୟତ ଅଧିନରେ ଥିବା ସର୍ଗିପଦରଠାରେ ଅପେକ୍ଷାରେ ଥିବା ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେ କାଶିପୁର ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି।
ଦୁଃଖର ଓ ପରିତାପର ବିଷୟ ସରକାରଙ୍କ ପକ୍ଷରୁ ରାସ୍ତାଘାଟରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଉଛି, ତଥାପି ଦୁର୍ଗମ ଅଞ୍ଚଳ ପାଇଁ ଭଲ ରାସ୍ତା ଖଣ୍ତେ ନିର୍ମାଣ କରାଯାଇପାରି ନାହିଁ, ଯାହାଫଳରେ ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି।