ଜୁଲାଇ ପାଇଁ ରଣନୀତି

ଭୁବନେଶ୍ୱର,୩୦।୬(ବ୍ୟୁରୋ): ଏବେ ସରକାରୀ କର୍ମଚାରୀମାନେ ମଧ୍ୟ କୋଭିଡ-୧୯ ସଂକ୍ରମଣର ଶିକାର ହେଉଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତାପ୍ରକଟ କରିଛନ୍ତି। ବିଭିନ୍ନ ସରକାରୀ ଅଫିସ ଯେପରି ସଂକ୍ରମଣମୁକ୍ତ ରହିବ ସେ ନେଇ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। କୋଭିଡ ନିୟମ କଡ଼ାକଡ଼ି କରି ସରକାରୀ କାର୍ଯ୍ୟାଳୟଗୁଡିକୁ ଶୂନ ସଂକ୍ରମଣ ଅଞ୍ଚଳ କରି ରଖିବା ଏବଂ କର୍ମଚାରୀମାନେ କ’ଣ କରିବେ କ’ଣ ନ କରିବେ ସେ ସମ୍ପର୍କରେ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି। ଏହା ସତ୍ତ୍ୱେ ଯଦି ଉଲ୍ଲଂଘନ ହୁଏ ତେବେ ସବୁ କାର୍ଯ୍ୟାଳୟର ମୁଖ୍ୟ ଏଥିପାଇଁ
ଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି। କୋଭିଡ ସଂକ୍ରମଣ ରୋକିବାରେ ମାସ୍କର ବିଶେଷ ଗୁରୁତ୍ୱ ରହିଛି। ତେଣୁ ମାସ୍କର ଉପଯୁକ୍ତ ବ୍ୟବହାର ଓ ସାମାଜିକ ଦୂରତା ନିୟମର କଡ଼ାକଡ଼ି ପାଳନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଭିତରେ ୩ ମାସ ବିତିଗଲାଣି, ବର୍ତ୍ତମାନ ଏ ସବୁ ଉଲ୍ଲଂଘନ ଘଟଣାରେ ଅଧିକ କଠୋର ହେବାକୁ ପଡ଼ିବ।
ସୋମବାର ସନ୍ଧ୍ୟାରେ ଭିଡିଓ କନଫରେନ୍ସ ଜରିଆରେ ଜୁଲାଇର କୋଭିଡ ରଣନୀତି ସମ୍ପର୍କରେ ବରିଷ୍ଠ ଅଧିକାରୀ, ଜିଲାପାଳ ଏବଂ ଏସ୍‌ପିମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। କୋଭିଡ ପରିଚାଳନାରେ ଜିଲାପାଳ ଓ ଏସ୍‌ପିମାନେ ସେମାନଙ୍କର ଗତ ୩ ମାସର ଅଭିଜ୍ଞତା ଜଣାଇବା ସହିତ ଜୁଲାଇରେ କୋଭିଡ ମୁକାବିଲା ପାଇଁ ମତାମତ ଦେଇଛନ୍ତି। ସେମାନଙ୍କ ମତାମତ ଭିତ୍ତିରେ ରାଜ୍ୟ ସରକାର କୋଭିଡ ପରିଚାଳନା ପାଇଁ ସମ୍ପୂର୍ଣ୍ଣ ରଣନୀତି ନିର୍ଦ୍ଧାରଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ନିଜେ ସଂକ୍ରମିତ କୋଭିଡ ଯୋଦ୍ଧାମାନଙ୍କ ସହିତ ଫୋନରେ କଥାହୋଇ ସେମାନଙ୍କ ଭଲମନ୍ଦ ବୁଝୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କର ଉତ୍ତର ସନ୍ତୋଷଜନକ ରହିଛି। ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ସଂକ୍ରମିତ କୋଭିଡ ଯୋଦ୍ଧାଙ୍କ ସହିତ ଆଲୋଚନା କରିବା ପାଇଁ ପରାମର୍ଶ ଦିଆଯାଇଛି। ଏହାଦ୍ୱାରା ସେମାନଙ୍କର ମନୋବଳ ବୃଦ୍ଧି ପାଇବ ବୋଲି ସେ ମତ ଦେଇଛନ୍ତି।
ଗାଁ କଲ୍ୟାଣ ସମିତି ସ୍ତରରେ କୋଭିଡ କେୟାର କମିଟି ଗଠନ କରିବା, ପାଣ୍ଠି ଓ କ୍ଷମତା ପ୍ରଦାନ କରିବା, ପ୍ରଶିକ୍ଷଣ ସହିତ ସେମାନଙ୍କ କାର୍ଯ୍ୟକୁ ମନିଟରିଂ କରିବା ପାଇଁ ଏକ ବିଧିବଦ୍ଧ ବ୍ୟବସ୍ଥା ସୃଷ୍ଟି କରିବା, ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍‌ ସ୍ଥାପନ ଏବଂ କେତେକ ପଞ୍ଚାୟତକୁ ନେଇ ଟିଏମସି ଗଠନ, ସେମାନଙ୍କୁ ପାଣ୍ଠି ଯୋଗାଣ ଓ ସେବା ପ୍ରଦାନ ବ୍ୟବସ୍ଥା ଆଦି ବିଭିନ୍ନ ବିଷୟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି), ବରିଷ୍ଠ ଅଧିକାରୀ ଓ ସମସ୍ତ ଜିଲାର ଜିଲାପାଳ, ଏସପି ଯୋଗ ଦେଇଥିଲେ।

Share