ଅଧିକ ରୋଜଗାର ପାଇଁ ଷ୍ଟ୍ରବେରି ଚାଷ

ଦାରିଙ୍ଗବାଡି,୨୦ା୧୦(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଷ୍ଟ୍ରବେରି ଚାଷ ସଫଳ ହୋଇଛି। ଏହାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ପୁଣି ଏହି ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି। କନ୍ଧମାଳ ଜିଲା ପ୍ରଶାସନର ସହଯୋଗରେ ବ୍ଲକ ପ୍ରଶାସନ ଏବଂ ଉଦ୍ୟାନ ବିଭାଗର ସହଯୋଗରେ ଚଳିତ ଥର ୩ଟି ସ୍ଥାନରେ ୭୦ହଜାର ଷ୍ଟ୍ରବେରି ଚାରା ରୋପଣ କରାଯାଇଛି। ଏଥିପାଇଁ ଗତବର୍ଷ ଏହି ଚାଷ କରାଯାଉଥିବା ସ୍ଥାନରେ ପୁଣି ୧୫ ହଜାର ଚାରା ରୋପଣ କରାଯାଉଛି। ଗତ ବର୍ଷ ସେଠାରେ ୫ ଲକ୍ଷ ଟଙ୍କା ବିନିମୟରେ ୨୦ ହଜାର ଚାରା ରୋପଣ କରି ପ୍ରାୟ ୨୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ରୋଜଗାର କରିପାରିଛନ୍ତି। ତେଣୁ ଚଳିତ ବର୍ଷ ଆହୁରି ଅଧିକା ରୋଜଗାରକ୍ଷମ କରିବା ପାଇଁ ଆହୁରି ଦୁଇଟି ସ୍ଥାନରେ କରାଯାଉଛି। ଶ୍ରାନିକେତା ପଞ୍ଚାୟତର ସୁଲୁମାହା ଗ୍ରାମର ଆଶା ସ୍ବୟଂ ସହାୟକ ଗୋଷ୍ଠି ଏବଂ ସିଆଙ୍ଗବାଲି ପଞ୍ଚାୟତ ପଞ୍ଚୁପଲି ଗ୍ରାମର ଜୀବନ ଜ୍ୟୋତି ସ୍ବୟଂ ସହାୟକ ଗୋଷ୍ଠି ପକ୍ଷରୁ ମୋଟ ୨ ହେକ୍ଟର ଜମିରେ ୫୫ ହଜାର ଚାରା ରୋପଣ କରାଯିବାକୁ କ୍ଷେତ୍ର ପ୍ରସ୍ତୁତ କରାଯାଇଛି। ଏଥିପାଇଁ ବ୍ଲକ ପ୍ରଶାସନ ଜୋରଦାର ଉଦ୍ୟମ କରୁଥିବା ଓଡିଶା ଜୀବନଜୀବିକା ମିଶନର ବ୍ଲକ କାର୍ଯ୍ୟକ୍ରମ ଅଧିକାରୀ ପିଣ୍ଟୁ ନାୟକ କହିଛନ୍ତି। ଷ୍ଟ୍ରବେରି ଚାଷ ସଫଳ ହୋଇଥିବା ବେଳେ ଏବେ ଡ୍ରାଗନ ଫଳ ଚାଷ କରାଯିବା ପାଇଁ ଜିଲା ପ୍ରଶାସନ ପ୍ରୟାସ ଆରମ୍ଭ କରିଛି। ଏଥିପାଇଁ ବ୍ଲକ ପ୍ରଶାସନ ଜୋରଦାର କାର୍ଯ୍ୟ କରୁଥିବା ବିଡ଼ିଓ ଗଦାଧର ପାତ୍ର କହିଛନ୍ତି।

Share