ନିୟମଗିରି ପାଦଦେଶରେ ଷ୍ଟ୍ରବେରୀ ଚାଷ

ରାୟଗଡ଼ା ଜିଲାର ଆଦିମ ଜନଜାତି ଡଙ୍ଗରିଆ କନ୍ଧ ନିୟମଗିରି ପାଦଦେଶରେ ଷ୍ଟ୍ରବେରି ଚାଷ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ପୂର୍ବରୁ ଡଙ୍ଗରିଆମାନେ କଦଳୀ, ସପୁରି, ହଳଦୀ, ଅଦା, ପାଳୁଅ, ପଣସ, ଆମ୍ବ, ଫୁଲ ଝାଡୁ, କମଳା ଆଦି ଚାଷ କରି ସଫଳତା ହାସଲ କରିଥିଲେ। ହେଲେ ଚଳିତ ବର୍ଷ ପ୍ରଥମ ଥର ପାଇଁ ନିୟମଗିରି ପାଦଦେଶରେ ଷ୍ଟ୍ରବେରୀ ଚାଷ କରି ଜଣେ ଡଙ୍ଗରିଆ ଚାଷୀ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ସହାୟତାରେ ବିଷମକଟକ ବ୍ଲକ ଅନ୍ତର୍ଗତ କୁର୍ଲି ଗ୍ରାମରେ ଲାକୁନୁ ଯାକେଶିକାଙ୍କ ଦ୍ୱାରା ପ୍ରଥମ ଥର ପାଇଁ ଷ୍ଟ୍ରବେରି ଚାଷ କରାଯାଉଛି।
ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର କର୍ମୀଙ୍କ ସହ ଗତ ମାର୍ଚ୍ଚରେ ଡଙ୍ଗରିଆ ଚାଷୀମାନେ ନୂଆପଡା ଜିଲାକୁ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ। ସେଠାରେ ଥିବା ଚୁକଟିଆ ଏବଂ ଭୁଞ୍ଜିଆ ସମ୍ପ୍ରଦାୟ ଜନଜାତିଙ୍କ ଷ୍ଟ୍ରବେରୀ ଚାଷରୁ ଅନୁପ୍ରାଣିତ ହୋଇ ନିୟମଗିରି ପାଦଦେଶରେ ଏହି ଫଳ ଚାଷ କରିବାକୁ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। କୁର୍ଲି ଗ୍ରାମର ପାହାଡ଼ ପାଦଦେଶରେ ଚାଷୀ ଲାକୁନୁ ଯାକେଶିକା ପ୍ରାୟ ଏକ ଏକର ଜମିରେ ଷ୍ଟ୍ରବେରୀ ଚାଷ କରିଛନ୍ତିି। ସେ ଏଠାରେ ୨୦ ହଜାର ଷ୍ଟ୍ରବେରି ଗଛ ଲଗାଇଛନ୍ତି। ଗଛ ଲାଗିବାର ପ୍ରାୟ ୪୫ ଦିନ ପରେ ଫଳ ହେବ। ୨ ମାସ ପର୍ଯ୍ୟନ୍ତ ଫଳ ଫଳିବ। ଆନୁମାନିକ ୬୦ କୁଇଣ୍ଟାଲ ଉତ୍ପାଦନ ହେବ ବୋଲି ଚାଷୀ ଲାକୁନୁ ଆଶା ରଖିଛନ୍ତି। ଯାହାର ମୂଲ୍ୟ ବଜାର ଦରରେ ଅତିକମରେ ୧୦ରୁ ୧୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ୧ ଏକର ପିଛା ଚାରା, ସାର, ବୁନ୍ଦା ଜଳସେଚନ, ଶ୍ରମ ବାବଦକୁ ସବୁ ମିଶି ଅତି ବେଶୀରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଷ୍ଟବେରି ଚାଷ ପାଇଁ ଓପିଲିପି ଏବଂ ଚାଟିକଣା କନ୍ଧ ଉନୟନ ସଂସ୍ଥା ପକ୍ଷରୁ ସହାୟତା ଯୋଗାଇ ଦେଇଥିବା ଚାଷୀ ଲାକୁନୁ ଯାକେଶିକା କହିଛନ୍ତି। ଏହି ଚାଷ ଫଳପ୍ରଦ ହେଲେ ଆଗକୁ ସେ ଆହୁରି ଅଧିକ ଜମିରେ ଷ୍ଟବେରି ଚାଷ କରିବେ ବୋଲି କହିଛନ୍ତି। ରାୟଗଡାର ଥଣ୍ଡା ଜଳବାୟୁ ଷ୍ଟ୍ରବେରି ପାଇଁ ବେଶ୍‌ ଉପଯୋଗୀ। ପରୀକ୍ଷାମୂଳକ ଭାବେ ଜଣେ ଡଙ୍ଗରିଆଙ୍କୁ ନେଇ ଏହି ଚାଷ କରାଯାଉଛି। ଏହା ଫଳପ୍ରଦ ହେଲେ ଆହୁରି ଅଧିକ ଡଙ୍ଗରିଆଙ୍କୁ ଏଥିରେ ସାମିଲ କରାଯିବାର ଲକ୍ଷ୍ୟ ଥିବା ଓପିଲିପି ତଥା କନ୍ଧ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ। ଏହା ସହ ଡ୍ରିପ ସିଷ୍ଟମ ପାଇଁ ଉଦ୍ୟାନ ବିଭଗର ସହଯୋଗ ରହିଥିବା ସେ କହିଛନ୍ତି।
– ରିପୋର୍ଟ: ଭାଗ୍ୟଶ୍ରୀ ମିଶ୍ର, ରାୟଗଡ଼ା

Share