Categories: ଅନୁଗୋଳ

ଅଚଳ ଷ୍ଟ୍ରିଟ୍‌ ଲାଇଟ ମରାମତି ହେଉନି

ବଇଣ୍ଡା,୧୭।୧(ଡି.ଏନ.ଏ.)  ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତରେ ଥିବା ବଇଣ୍ଡା ଛକ ଓ ଆଠମଲ୍ଲିକ ରୋଡ୍‌ ଓଭରବ୍ରିଜ୍‌ ନିକଟରେ ଲାଗିଥିବା ଷ୍ଟ୍ରିଟ ଲାଇଟଗୁଡିକ ଦୀର୍ଘ ୧ ବର୍ଷ ହେବ ଅଚଳ ହୋଇପଡିଛି। ପଞ୍ଚାୟତ ଅଧୀନରେ ଏହି ଷ୍ଟ୍ରିଟ ଲାଇଟ ଥିଲେ ମଧ୍ୟ ମରାମତି କରାଯାଉନାହଁି। ଫଳରେ ବ୍ୟବସାୟୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବଇଣ୍ଡା ଛକ ଓ ଷ୍ଟେଶନ ରାସ୍ତାର ଆଲୋକୀକରଣ କରିବା ଉଦ୍ଦେଶ୍ୟରେ ଜିଲା ପ୍ରଶାସନ ପକ୍ଷରୁ ଏହି ଷ୍ଟ୍ରିଟ ଲାଇଟ ଲଗାଯାଇଥିଲା। ହେଲେ ପଞ୍ଚାୟତ ପକ୍ଷରୁ ଏହାର ଉପଯୁକ୍ତ ରକ୍ଷାଣାବେକ୍ଷଣ କରା ନ ଯିବାରୁ ଲାଇଟଗୁଡିକ ଅଚଳ ହୋଇପଡିଛି। ଏପରି କି ବିଦ୍ୟୁତ୍‌ ବିଲ୍‌ ମଧ୍ୟ ଠିକ୍‌ ଭାବରେ ପୈଠ କରାଯାଇ ନାହିଁ। ନୁନୁକାପଶି ପଞ୍ଚୟାତ ପ୍ରଶାସନ ଭଲ ରାଜସ୍ବ ଆଦାୟ କରୁଥିଲେ ମଧ୍ୟ ବିକାଶମୂଳକ କାର୍ଯ୍ୟ ପ୍ରତି ଧ୍ୟାନ ଦେଉ ନ ଥିବା ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ବହୁବାର ପଞ୍ଚାୟତ କାର୍ଯ୍ୟାଳୟରେ ଅଭିଯୋଗ କରାଗଲେ ମଧ୍ୟ ସୁଫଳ ମିଳୁନାହିଁ। ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଏପରି ଅବହେଳାର ଯୋଗୁ ରାତିରେ ଚୋରି ଘଟଣା ବଢ଼ିବାରେ ଲାଗିଛି। ତୁରନ୍ତ ଷ୍ଟ୍ରିଟ ଲାଇଟ ସଚଳ କରିବା ପାଇଁ ଗ୍ରାମବାସୀ ଜିଲାପାଳ ଓ ଆଠମଲ୍ଲିକ ବିଧାୟକଙ୍କ ନିକଟରେ ଦାବି କରିଛନ୍ତି। ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କୁମୁଦ ଚନ୍ଦ୍ର ମାଝି କହିଛନ୍ତି, ଶୁବ୍‌ଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ।