ଲକ୍ଷ୍ନୌ,୨୮।୧ : ଉତ୍ତରପ୍ରଦେଶର ମୁଜାଫରନଗରରେ ରାସ୍ତା ପାର୍ଶ୍ୱରେ ବସି ପୋଷାକ ବିକ୍ରି କରୁଥିବା ଜଣେ କ୍ଷୁଦ୍ର ବ୍ୟବସାୟୀଙ୍କ ନାଁରେ ୩୬୬ କୋଟି ଟଙ୍କାର ଟିକସ ଫାଙ୍କି ଅଭିଯୋଗ ହୋଇଛି। ଇଜାଜ ଅହମ୍ମଦ ନାମକ କ୍ଷୁଦ୍ର ବ୍ୟବସାୟୀ ଜଣକ ଏଥିରେ ଆଶ୍ଚର୍ଯ୍ୟ ହୋଇ ଜିଏସ୍ଟି ଅଫିସର ଓ ଉଚ୍ଚ ଅଧିକାରୀମାନଙ୍କୁ ଭେଟି ହସ୍ତକ୍ଷେପ ଲୋଡ଼ିଛନ୍ତି। ଦୁଇବର୍ଷ ପୂର୍ବେ ଅହମଦ କଓ୍ବାଲ ଗ୍ରାମରେ ଏକ ରଦ୍ଦି ମାଲ୍ ଦୋକାନ ଖୋଲିବା ପାଇଁ ଜିଏସ୍ଟି ନମ୍ବର ନିମନ୍ତେ ଆବେଦନ କରିଥିଲେ। ଏଥିରେ କ୍ଷତି ହେବାରୁ ସେ ରଦ୍ଦି ମାଲ୍ ସଂଗ୍ରହ ଛାଡ଼ି ରାସ୍ତା ପାର୍ଶ୍ୱରେ ପୋଷାକ ବିକ୍ରି ଆରମ୍ଭ କରିଥିଲେ। ଜିଏସ୍ଟି ଆକାଉଣ୍ଟ ବନ୍ଦ କରିବା ପାଇଁ ସେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ କହିଥିଲେ, କିନ୍ତୁ ବନ୍ଦ ହେଲା କି ନାହିଁ ବୁଝି ନ ଥିଲେ। ଏହି ଜାଲିଆତି ପଛରେ ପ୍ରକୃତରେ କିଏ ରହିଛନ୍ତି, ଖୋଜି ବାହାର କରିବା ଲାଗି ଅହମ୍ମଦ ଜିଏସ୍ଟି ଅଧିକାରୀମାନଙ୍କୁ ନିବେଦନ କରିଛନ୍ତି। ଠକେଇ ପଛରେ ଏକ ବଡ଼ ର଼୍ୟାକେଟ କାମ କରୁଥିବା ପଶ୍ଚିମ ଉତ୍ତରପ୍ରଦେଶ ଜିଏସ୍ଟି ବିଭାଗ ଯୁଗ୍ମ କମିଶନର ଜେ.ଏସ୍. ଶୁକ୍ଳା କହିଛନ୍ତି।