ଇସଲାମାବାଦ୍,୨୫।୧୧: ପାକିସ୍ତାନରେ ସୈନ୍ୟ ବାହିନୀ ଏବଂ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇର ଶକ୍ତିରେ ଏବେ ବୃଦ୍ଧି ଘଟିବ। ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ନ୍ୟାଶନାଲ ଇଣ୍ଟେଲଜେନ୍ସ୍ କୋର୍ଡିନେଶନ କମିଟି ଗଠନ ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଛନ୍ତି। ସରକାରଙ୍କ ସ୍ବୀକୃତି ମିଳିବା ପରେ ଏବେ ଦେଶର ସମସ୍ତ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ମୁଖ୍ୟଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବେ। ସେହିପରି ଏହାଦ୍ୱାରା ସୈନ୍ୟ ବାହିନୀ ମୁଖ୍ୟ ଜେନେରାଲ କମର ବାଜଓ୍ବାଙ୍କ ଶକ୍ତି ମଧ୍ୟ ବଢ଼ିଯିବ ବୋଲି ପାକିସ୍ତାନ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ଦେଶରେ କାର୍ଯ୍ୟ କରୁଥିବା ବିଭିନ୍ନ ଗୋଇନ୍ଦା ସଂସ୍ଥାଗୁଡ଼ିକର କାର୍ଯ୍ୟରେ ସୁଧାର ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି।