Advertisement

୯ ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା ବେଳେ ୨ ଜଣଙ୍କୁ ଚାକିରୀରୁ ବହିଷ୍କାର ଓ ଅନ୍ୟ ୨ ଜଣଙ୍କ ପେନ୍‌ସନ୍‌ ସ୍ଥାୟୀ ଭାବେ ବନ୍ଦ କରିଛନ୍ତି। ଜଣେ ସୁପରିଟେଣ୍ଡିଂ ଇଞ୍ଜିନିୟର, ୨ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର, ୨ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଣେ ଜୁନିୟର ଇଞ୍ଜିନିୟର, ଜଣେ ଓଏଏସ୍‌ ଅଧିକାରୀ, ଜଣେ ଜିଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ଏବଂ ଜଣେ ସାମାଜିକ ଶିକ୍ଷା ସଂଗଠକଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ୧୭୩ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆସରିଲାଣି। ଆଜିର ଏହି କାର୍ଯ୍ୟାନୁଷ୍ଠାନ ମାଲକାନଗିରିର ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ର ପୂର୍ବତନ ସୁପରିଟେଣ୍ଡିଂ ଇଞ୍ଜିନିୟର ଆଶିଷ କୁମାର ଦାଶ, ଭଦ୍ରକ ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ର ପୂର୍ବତନ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ମାନସ ରଞ୍ଜନ ମହାନ୍ତି, କଟକ ଗଣ୍ଡରପୁର ଡ୍ରେନେଜ୍‌ ଡିଭିଜନର ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ମନୋଜ କୁମାର ବେହେରା, କେନ୍ଦୁଝର ଶାଳପଡ଼ା ବୈତରଣୀ ଜଳସେଚନ ଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟର ଉମେଶ କୁମାର ଶାଶିନୀ, ଉମରକୋଟ ସଡ଼କ ଓ କୋଠାବାଡ଼ି ଆସିଷ୍ଟାଣ୍ଟ ଇଞ୍ଜିନିୟର ବିଶୁଦ୍ଧାନନ୍ଦ ବେହେରା, ପାରଳାଖେମୁଣ୍ଡିର ଅବସରପ୍ରାପ୍ତ ପୂର୍ବତନ ଜିଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ଜଳଧର ମଲ୍ଲିକ ଏବଂ ବାଲେଶ୍ବର ଜିଲା ଡେପୁଟି କଲେକ୍ଟର ସବିତା ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେହିପରି ବଲାଙ୍ଗୀର ଜିଲା ପୂର୍ବତନ ସାମାଜିକ ଶିକ୍ଷା ସଂଗଠକ ପ୍ରଭାସିନୀ ବାବୁ ଏବଂ ଗଞ୍ଜାମ ଜିଲା ରୁରାଲ ଓ୍ବାର୍କର୍ସ ଡିଭିଜନ-୨ର ଜୁନିୟର ଇଞ୍ଜିନିୟର ତ୍ରିନାଥ ସେଠୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share