କାଲିଠୁ ଜୋରଦାର ଧରପକଡ, ଲାଇସେନ୍ସ ନ ଥିଲେ…

ଭୁବନେଶ୍ୱର,୩୦।୭: ନାବାଳକ ଗାଡ଼ିଚାଳକଙ୍କ ଉପରେ ଲଗାମ କଷିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ସୋମବାର ଠାରୁ ରାଜ୍ୟ ବ୍ୟାପି ଧରପକଡ ଆରମ୍ଭ ହୋଇଛି । ଦୁଇ ଦିନରେ ଧରା ପଡିଛନ୍ତି ୩୩୪ ନାବାଳକ ଚାଳକ । ଏହା ସହ ୧୩୮ ଟି ଗାଡି ଜବତ କରିଛି ଏସଟିଏ । କେବଳ କଟକରେ ସର୍ବାଧିକ ୨୭ ଜଣ ଧରା ପଡିଛନ୍ତି । ଏବଂ ଗାଡ଼ି ପିଛା ୨୫ ହଜାର ଟଙ୍କା କରି ମୋଟ ୮୩ ଲକ୍ଷ୫୦ ହଜାର ଟଙ୍କାର ଚାଲାଣ ମଧ୍ୟ ଆଦାୟ ହୋଇଛି ।

ବଡ଼ କଥା ହେଉଛିକି ଏହି ପ୍ରକ୍ରିୟାରେ ବୁଧବାର ଠାରୁ ଧରା ପଡ଼ିଥିବା ଗାଡିଗୁଡ଼ିକ ମାଲିକ ବା ନାବାଳକ ନାବାଳିକାଙ୍କ ବାପା, ମା’ଙ୍କ ନାଁରେ ମୋଟର ଭେଇକିଲ ଆକ୍ଟ ୧୯୯ ଆଧାରରେ ମାମଲା ରୁଜ୍ଜୁ ହେବ । ମୋଟର ଭେଇକିଲ ଆକ୍ଟ ୧୯୯ ଅନୁଯାୟୀ ଯଦି ୧୮ ବର୍ଷରୁ କମ ବୟସ୍କ ବର୍ଗର କେଣସି ବ୍ୟକ୍ତି ଗାଡି ଚଳାଉଥିବା ଅବସ୍ଥା ଧରା ପଡନ୍ତି ତେବେ ଏହି କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି । ଗାଡିକୁ ଜବତ କରାଯିବା ସହ ଗାଡି ଚାଳକଙ୍କ ଉପରେ ୨୫ ହଜାର ଟଙ୍କାର ଫାଇନ ଲଗାଯିବ । ଗାଡିର ପଞ୍ଜିକରଣକୁ ରଦ୍ଦ କରାଯିବ, ଗାଡ଼ିର ମାଲିକ ବା ଗାଡ଼ି ଚାଳାଉଥିବା ପିଲାଙ୍କ ବାପା ମା’ଙ୍କ ନାଁରେ ଥାନାରେ ମାମଲା ରଜୁ କରାଯାଇ ପାରିବ । ଏଥିରେ ୩ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି । ଏହା ବ୍ୟତିତ ଦୋଷୀ ସାବ୍ୟସ୍ତ ହେଲେ ଗାଡି ସହ ଧରା ପଡ଼ିଥିବା ନା ନାବାଳକ ବା ନାବାଳିକାଙ୍କ ତଥ୍ୟକୁ ସାରଥୀ ପୋଟାଲରେ ଅପଲୋଡ କରାଯିବ। ଏହା ସହ ୨୫ ବର୍ଷ ବୟସ ନ ହେବା ପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ ବୋଲି କହିଛନ୍ତି ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ ।

Share