ହିଂସାକାଣ୍ଡ ଭିଆଇଥିବା ଇମ୍ରାନ ସମର୍ଥକଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ପାକିସ୍ତାନୀ ସେନା…

ଇସଲାମାବାଦ,୧୬।୫ : ନିକଟରେ ରାୱଲପିଣ୍ଡିରେ ଥିବା ସେନା ମୁଖ୍ୟାଳୟ ଉପରେ ହୋଇଥିବା ଆକ୍ରମଣ ସମେତ ସାମରିକ ପ୍ରତିଷ୍ଠାନ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷ ପାକିସ୍ତାନୀ ସେନା ଅଧିନିୟମ ଏବଂ ଅଫିସିଆଲ ସିକ୍ରେଟ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବ ବୋଲି ପାକିସ୍ତାନୀ ସେନାର ବରିଷ୍ଠ ଅଧିକାରୀମାନେ କହିଛନ୍ତି। ଗତ ମଙ୍ଗଳବାର ଇସଲାମାବାଦ ହାଇକୋର୍ଟ କମ୍ପ୍ଲେକ୍ସରେ ରେଞ୍ଜର୍ସଙ୍କ ଦ୍ୱାରା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫ ଯୋଗୁ ପାକିସ୍ତାନରେ ଅଶାନ୍ତି ସୃଷ୍ଟି ହୋଇଥିଲା। ବିକ୍ଷୋଭକାରୀଙ୍କ ଉପରେ ହୋଇଥିବା ଆକ୍ରମଣରେ ଅନେକ ମୃତ୍ୟୁ ଘଟିଥିଲା ଏବଂ ଦଶହଜାର ସାମରିକ ଏବଂ ସରକାରୀ ସଂସ୍ଥାରେ ଭଙ୍ଗାରୁଜା ଏବଂ ପୋଡ଼ାଜଳା ହୋଇଥିଲା।

ବର୍ତ୍ତମାନ ଏହି ବିଶୃଙ୍ଖଳା ସହ ଜଡିତ ଲୋକଙ୍କ ବିରୋଧରେ ସେନା କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘୋଷଣା କରିଛି। କଠୋର ଆର୍ମି ଆକ୍ଟ ଏବଂ ଅଫିସିଆଲ ସିକ୍ରେଟ ଆକ୍ଟ ଅଧୀନରେ ହିଂସାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାକିସ୍ତାନ ସେନା ଦ୍ୱାରା ଏସବୁକୁ ଏକ ବଡ଼ କଡ଼ା ପଦକ୍ଷେପ ବୋଲି ବିବେଚନା କରାଯାଉଛ। ସେନାର ଆଇନ ବ୍ୟବସ୍ଥା ଅନୁଯାୟୀ ଇମ୍ରାନ ଏବଂ ତାଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ସମର୍ଥକଙ୍କ ବିରୋଧରେ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ହୋଇପାରେ।

ପାକିସ୍ତାନୀ ସେନାର ମିଡିଆ ୱିଙ୍ଗ ଇଣ୍ଟର-ସର୍ଭିସେସ ପବ୍ଲିକ ରିଲେସନ୍ସ (ଆଇଏସଆରପି) ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର କର୍ପସ କମାଣ୍ଡର ସମ୍ମିଳନୀରେ ଏହି ନିଷ୍ପତ୍ତି ନିଆଯାଇଛି।

Share