କଡ଼ା କଟକଣା, ମାସ୍କ୍‌ ନ ଥିଲେ ପ୍ରବେଶ ନିଷେଧ…

ନୂଆଦିଲ୍ଲୀ,୫।୧୨: ଦିଲ୍ଲୀର ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବାପରେ ଦିଲ୍ଲୀ ସରକାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି ଯେ ଯେଉଁ ଦେଶରେ ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତ ଅଛନ୍ତି ସେହି ସ୍ଥାନରୁ ଦିଲ୍ଲୀକୁ ବିମାନ ବନ୍ଦ କରାଯାଉ। ଏହା ବ୍ୟତୀତ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀରେ ପୁଣି ଥରେ କଡ଼ା କଟକଣା ବୃଦ୍ଧି କରାଯିବ ଏବଂ ମାସ୍କ ବିନା କୌଣସି ସ୍ଥାନରେ ପ୍ରବେଶ ଅନୁମତି ଦିଆଯିବ ନାହିଁ।

ବିମାନ ବନ୍ଦରରେ ଯାତ୍ରୀମାନଙ୍କର ଆରଟି-ପିସିଆର୍‌ ପରୀକ୍ଷା କରାଯିବା ବାଧ୍ୟତାମୂଳକ କରାଯାଇଛି। ଏପର୍ଯ୍ୟନ୍ତ ୧୭ ଜଣ କରୋନା ପଜିଟିଭ ଆକ୍ରାନ୍ତଙ୍କୁ ଲୋକନାୟକ ଜୟ ପ୍ରକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ, ଆକ୍ରାନ୍ତଙ୍‌ ସମ୍ପର୍କରେ ଆସିଥିବା ୬ ଜଣଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କର ଫାଇନାଲ ଲ୍ୟାବ ରିପୋର୍ଟ ସୋମବାର ପ୍ରକାଶ ପାଇବ।

ଅନ୍ତିମ ରିପୋର୍ଟ ଆସିବା ପରେ ପରୀକ୍ଷା ପୁଣି କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଚିକିତ୍ସା ପ୍ରୋଟୋକଲ କରୋନାର ଅନ୍ୟ ଲହର ସହିତ ସମାନଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ଦିଲ୍ଲୀରେ ୨ ଟି ଲ୍ୟାବ ଜିନୋମ ସିକ୍ୱେନ୍ସିଂ ସେଣ୍ଟର ଅଛି। ସେଥ ମଧ୍ୟରୁ ଗୋଟିଏ ଲୋକନାୟକ ଜୟ ପ୍ରକାଶ ହସ୍ପିଟାଲରେ ଥିବାବେଳେ ଅନ୍ୟଟି ଆଇଏଲବିଏସ ହସ୍ପିଟାଲରେ ରହିଛି।

ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଓମିକ୍ରନର ଲକ୍ଷଣଗୁଡ଼ିକ କରୋନା ପରି। ଘରୁ ବାହାରକୁ ଯିବା ସମୟରେ ମାସ୍କ ପିନ୍ଧିବା ଜରୁରୀ। ଏହା ଦ୍ୱାରା ୯୯ ପ୍ରତିଶତ କରୋନାକୁ ଏଡାଇ ଦେଇ ହେବ।

ଦିଲ୍ଲୀରେ ୯୦ ପ୍ରତିଶତ ଲୋକ ଟିକାର ପ୍ରଥମ ଡୋଜ୍‌ ନେଇଥିବାବେଳେ ଉଭୟ ଡୋଜ ୬୦ ପ୍ରତିଶତରୁ ଅଧିକ ଲୋକ ଗ୍ରହଣ କରିଛନ୍ତି। ଦିଲ୍ଲୀରେ ଟିକାକରଣର ହାର ବୃଦ୍ଧି କରାଯାଇଛି। ପ୍ରତିଦିନ ୧ ଲକ୍ଷରୁ ଅଧିକ ଟିକାକରଣ କରାଯାଉଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Share