
ନୂଆଦିଲ୍ଲୀ,୨୨।୩: ମାର୍ଚ୍ଚ ୨୨ ଅର୍ଥାତ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ ବା IPL । ୩ ମାସ ଧରି ଜାରି ରହିବ ଟକ୍କର । କୋଲକାତାର ଇଡେନ ଗାର୍ଡେନରେ ଆଜି ଉଦଘାଟନୀ ମ୍ୟାଚ ଖେଳାଯିବ । ତେବେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) । ତେବେ ଏଥର ଆଇପିଏଲରେ ଖେଳାଳିଙ୍କ ପାଇଁ ନୂଆ ନିୟମ ଲାଗୁ କରିଛି BCCI ।
ଭାରତୀୟ ଦଳ ଉପରେ କିଛି ନୂଆ ନିୟମ ଲାଗୁ କରିଛି ବିସିସିଆଇ । ସମସ୍ତ ୧୦ଟି ଯାକ ଦଳ ପାଇଁ SOP ଜାରି କରିଛି ବୋର୍ଡ । ମ୍ୟାଚ ସହ ଟ୍ରେନିଂ ବେଳେ ମଧ୍ୟ ଏହି ନିୟମ ଲାଗୁ ହେବ । ଏଥର ଆଇପିଏଲରେ କେବଳ ଅଧିକୃତ ବ୍ୟକ୍ତି ହିଁ ମଇଦାନ ଏବଂ ଡ୍ରେସିଂ ରୁମକୁ ଯାଇପାରିବେ । ଅନ୍ୟଥା ଖେଳାଳିଙ୍କ ପରିବାର ଲୋକେ କିମ୍ବା ସମ୍ପର୍କୀୟ ଭିତରକୁ ଯାଇପାରିବେ ନାହିଁ ।
IPL 2025: କେଣସି ଖେଳାଳି କିମ୍ବା ଦଳର ଅନ୍ୟ ସଦସ୍ୟଙ୍କ ପରିବାର ଲୋକେ କିମ୍ବା ସମ୍ପର୍କୀୟ ପଡିଆ ଭିତରକୁ କିମ୍ବା ଖେଳାଳିଙ୍କ ଡ୍ରେସିଂ ରୁମ ଭିତରକୁ ପ୍ରବେଶ କରିବାର ଅନୁମତି ନାହିଁ । କେବଳ ସେତିକି ନୁହେଁ ଅଭ୍ୟାସ କିମ୍ବା ଟ୍ରେନିଂ ବେଳେ ବି ନୋ ଏଣ୍ଟ୍ରି ନିୟମ ଲାଗୁ କରିଛି ବିସିସିଆଇ । ଏପରିକି ମ୍ୟାଚ ଶେଷ ହେବା ପରେ ବି ପରିବାର ଲୋକେ ସେଠାକୁ ଯିବେ ନାହିଁ କିମ୍ବା ଖେଳାଳିଙ୍କ ସହିତ ରହିବେନି ।
IPL 2025: ଏହା ବ୍ୟତିତ ଖେଳାଳିମାନେ ନିଜ ହୋମ ଟାଉନରେ ଖେଳିବା ବେଳେ କିମ୍ବା ଅନ୍ୟ କେଣସି ସ୍ଥାନରେ ଖେଳିବା ବେଳେ ବ୍ୟକ୍ତିଗତ ଗାଡି ବ୍ୟବହାର କରିପାରିବେ ନାହିଁ । ସମସ୍ତେ ଟିମ ପାଇଁ ଥିବା ଗାଡିରେ ଯିବାଆସିବା କରିବେ । ଏଥର ଆଇପିଏଲରେ ନିୟମ କଡାକଡି କରିଛି BCCI । ଯାହାକୁ କିଛି ଲୋକ ନାପସନ୍ଦ କରୁଥିବା ବେଳେ ଅନେକ ସ୍ବାଗତ ବି କରିଛନ୍ତି । ସୋସିଆଲ ମିଡିଆରେ ବି ଏହାକୁ ନେଇ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।
RCB vs KKR: ସୂଚନା ଥାଉକି, ଆଜି ଆଇପିଏଲର ଉଦଘାଟନୀ ମ୍ୟାଚ ଖେଳାଯିବ । କୋଲକାତାର ଇଡେନ ଗାର୍ଡେନରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।