Categories: ଜାତୀୟ

ଏଲ୍‌ଓସିରେ କଡ଼ା ସୁରକ୍ଷା, ୧୨୦ରୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ବସିଛନ୍ତି ସୁଯୋଗ ଉଣ୍ଡି…

ଶ୍ରୀନଗର, ୭।୪ : ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା ଏଲ୍‌ଓସିରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ନିକଟରେ ଥିବା ଲଞ୍ଚପ୍ୟାଡ୍‌ରେ ଭାରତରେ ଅନୁପ୍ରବେଶ ପାଇଁ ୧୨୦ରୁ ଅଧିକ ଆତଙ୍କବାଦୀ ସୁଯୋଗ ଉଣ୍ଡି ବସିଛନ୍ତି। ଏସମ୍ପର୍କିତ ଗୋଇନ୍ଦା ରିପୋର୍ଟ ମିଳିବା ପରେ ଭାରତୀୟ ସେନା ପକ୍ଷରୁ ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।

ସୂତ୍ରରୁ ପ୍ରକାଶ ଯେ ଗତ ଏକ ସପ୍ତାହ ମଧ୍ୟରେ କଶ୍ମୀରର ବାନ୍ଦିପୋରା ଜିଲାର ଗୁରେଜ ସେକ୍ଟରରେ ଏବଂ କୁପୱାରା ଜିଲାର ମାଛିଲ ଏବଂ କିରାନ ସେକ୍ଟରର ଅପରପାର୍ଶ୍ୱରେ ପାକିସ୍ତାନ ଅଧିକୃତ କଶ୍ମୀରରେ ୧୨୦ରେ ଆତଙ୍କବାଦୀ ପହଞ୍ଚିଛନ୍ତି। ସେମାନଙ୍କମ ମଧ୍ୟରେ ଲଶ୍କର-ଇ-ତୋଏବା, ଜୈଶ-ଇ-ମହମ୍ମଦ ଏବଂ ଅଲ ବଦରର ୪୫ ଜଣ ଆତଙ୍କବାଦୀ ଦୁଧ୍‌ନିଆଲ ଏବଂ ଅଥମୁଗାମ ଲଞ୍ଚ ପ୍ୟାଡରେ ରହିଛନ୍ତି।

ସେହିଭଳି ଗୁରେଜ ସେକ୍ଟରରେ ଲୋସର କମ୍ପ୍ଲେକ୍ସ, ସୋନାର ଏବଂ ସରଦାରି ଲଞ୍ଚପ୍ୟାଡ୍‌ରେ ୩୦ ଆତଙ୍କବାଦୀ ସୁଯୋଗକୁ ଅପେକ୍ଷା କରିଛନ୍ତି। ଏହି ଆତଙ୍କବାଦୀମାନେ ନୋଶେରା ନାର, ଗୋବିନ୍ଦ ନାଲ, ପରିବଲ ଜଙ୍ଗଲ ବାଟେ ଅନୁପ୍ରବେଶ ପାଇଁ ଷଡ଼ଯନ୍ତ୍ର କରିଛନ୍ତି। ଏଥି ସହିତ, ମାଛିଲ ସେକ୍ଟରରେ ୪୮ ଆତଙ୍କବାଦୀ ଅନୁପ୍ରବେଶ ଲାଗି ଅପେକ୍ଷା କରିଛନ୍ତି। ଏହି ଆତଙ୍କବାଦୀମାନେ ସରଦାରି, କେଲ ଏବଂ ତେଜିନଙ୍କ ଲଞ୍ଚ ପ୍ୟାଡରେ ଅଛନ୍ତି। ଆତଙ୍କବାଦୀମାନେ ରିଙ୍ଗ ପେନ ଏବଂ କୁପୱାରାର କୁମକାରି ଗାଲିରୁ ଅନୁପ୍ରବେଶ କରିବା ଯୋଜନା କରିଥିବା ଗୋଇନ୍ଦା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ବର୍ତ୍ତମାନ କାଶ୍ମୀରରେ୧୭୨ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ସେଥିମଧ୍ୟରୁ ୭୯ ଜଣ ବିଦେଶୀ ଏବଂ ୯୩ ଜଣ ସ୍ଥାନୀୟ। କିଛି ମାସ ପୂର୍ବରୁ ସ୍ଥାନୀୟ ଆତଙ୍କବାଦୀଙ୍କ ସଂଖ୍ୟା ୩୦୦ ରୁ ଅଧିକ ଥିଲା ବୋଲି କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ କୁହାଯାଇଛି।

Share