Categories: ଜାତୀୟ

ଯୋଗୀଙ୍କ ଟିମ୍‌ ଛାଡ଼ିଲେ ଆଉ ଜଣେ ମନ୍ତ୍ରୀ

ନୂଆଦିଲ୍ଲୀ,୧୨।୧: ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍‌ ଛାଡ଼ିଛନ୍ତି ଆଉ ଜଣେ ମନ୍ତ୍ରୀ ଦାରା ସିଂ ଚୌହ୍ବାନ। ଦୁଇ ଦିନରେ ଭାଜପା ଛାଡ଼ିବାରେ ଦାରା ସିଂ ହେଉଛନ୍ତି ଦ୍ୱିତୀୟ ଓବିସି ନେତା। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ତାରିଖ ପ୍ରକାଶ ପାଇବା ପରେ ଏପର୍ଯ୍ୟନ୍ତ ୨ ମନ୍ତ୍ରୀ ଏବଂ ୪ ବିଧାୟକ ଭାଜପା ଛାଡ଼ି ସାରିଛନ୍ତି। ଏମାନେ ନିକଟ ଭବିଷ୍ୟତରେ ଅଖିଳେଶ ଯାଦବଙ୍କ ଦଳ ସମାଜବାଦୀ ପାର୍ଟି (ସପା)ରେ ଯୋଗଦେବେ।

“ମୁଁ ସମ୍ପୂର୍ଣ୍ଣ ସମର୍ପଣ ସହିତ ଦଳ ପାଇଁ କାମ କରିଛି। କିନ୍ତୁ ପଛୁଆ ବର୍ଗ, ଦଳିତ, କୃଷକ, ବେକାରୀଙ୍କ ପ୍ରତି ସରକାରଙ୍କ ବ୍ୟବହାର ମୋତେ ଆଘାତ ଦେଇଛି। ଏଥି ଯୋଗୁ ମୁଁ ଇସ୍ତଫା ଦେଉଛି” ବୋଲି ଚୌହ୍ବାନ ଇସ୍ତଫା ପତ୍ରରେ ଲେଖିଛନ୍ତି। ଇସ୍ତଫା ପାଇଁ ପ୍ରାୟ ସମାନ କାରଣ ଦର୍ଶାଇଥିଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟା।

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଡେପୁଟି କେଶବ ପ୍ରସାଦ ମୌର୍ଯ୍ୟ ଟୁଇଟ୍‌ କରି ଚୌହ୍ବାନଙ୍କୁ ତାଙ୍କ ନିଷ୍ପତ୍ତି ବଦଳାଇବାକୁ ପରାମର୍ଶ ଦେଇଥିଲେ।

“ଯଦି ପରିବାରର କୌଣସି ସଦସ୍ୟ ଆମକୁ ଛାଡ଼ି ଯାଉଛନ୍ତି, ତେବେ ତାହା ଭଲ ନୁହେଁ। ଦଳ ଛାଡ଼ି ଯାଉଥିବା ସେହି ନେତାଙ୍କୁ ମୁଁ କେବଳ ନିବେଦନ କରିବି ବୁଡି ଯାଉଥିବା ଯାହଜକୁ ଯାଅ ନାହିଁ। ଏହା ତୁମ ପରାଜୟ ହେବ। ବଡ଼ ଭାଇ ଦାରା ସିଂ ଦୟାକରି ତୁମ ନିଷ୍ପତ୍ତି ଉପରେ ପୁନଃ ବିଚାର କର” ବୋଲି ଉପମୁଖ୍ୟମନ୍ତ୍ରୀ କେଶଭ ମୌର୍ଯ୍ୟା ଲେଖିଛନ୍ତି।

Share