ପାଣି ପାଇଁ ଡହଳବିକଳ: ଧାରଣାରେ ବସିଲେ ଗ୍ରାମବାସୀ

ମୋରଡ଼ା,୯ା୬(ଡି.ଏନ୍‌.ଏ.): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରବଳ ତାତିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। ଏପରିସ୍ଥଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ପାଣି ପାଇଁ ଡହଳବିକଳ ହେଉଛନ୍ତି ଅଞ୍ଚଳବାସୀ। ଏମିତି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଭାଲିଆଡିହା ପଞ୍ଚାୟତରୁ।

ଅଭିଯୋଗ ଅନୁଯାୟୀ, ଉକ୍ତ ପଞ୍ଚାୟତର ନିଚୁଆପଦା ଗ୍ରାମର ୧୮ ନମ୍ବର ଓ୍ବାର୍ଡରେ ଗତ ୧୫ ବର୍ଷରୁ ଊର୍ଦ୍ଧ୍ୱ ହେବ ଗ୍ରାମକୁ ଏଯାଏ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇନାହିଁ। ତେବେ ପ୍ରଶାସନକୁ ଗ୍ରାମବାସୀଙ୍କ ବାରମ୍ବାର ଅନୁରୋଧ ପରେ ଗ୍ରାମରେ ଏକ ସରକାରୀ କୂଅ ଖୋଳା ଯାଇଥିଲା କିନ୍ତୁ ଉକ୍ତ କୂଅ ଏବେ ପରିତ୍ୟକ୍ତ ଅବସ୍ଥାରେ ଫଳରେ ପାଣି ବ୍ୟବହାର ଅନୁପଯୋଗୀ। ସେହିପରି ପରେ ଗ୍ରାମରେ ଏକ ନଳକୂପ ବସାଯାଇଥିଲା କିନ୍ତୁ ବର୍ତ୍ତମାନ ଉକ୍ତ ନଳକୂପରୁ ଗୋଳିଆ ପାଣି ବାହାରୁଛି। ଫଳରେ ଲୋକେ ପିଇବା ପାଣି ପାଇଁ ନାହିଁ ନ ଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏବାବଦରେ ଗ୍ରାମବାସୀ ବାରମ୍ବାର ପାନୀୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ କହିଲା ପରେ ମଧ୍ୟ କୌଣସି ସୁଫଳ ମିଳିଲାନାହିଁ।
ଫଳରେ ବାଧ୍ୟ ହୋଇ ଆଜି ଗ୍ରାମର ମହିଳାମାନେ ଗରା, ବାଲ୍‌ଟି ଧରି ପ୍ରାୟ ୭ କିଲୋମିଟର ଖରାରେ ଚାଲିଚାଲି ବ୍ଲକ କାର୍ଯ୍ୟାଳୟ ଅଫିସ ଆଗରେ ଧାରଣା ଦେଇଛନ୍ତି। ଖବର ଲେଖାହେବା ସୁଦ୍ଧା ଗ୍ରାମବାସୀ ଧାରଣାରେ ବସିଛନ୍ତି।