ମଶାରି ଟାଙ୍ଗି ଧାରଣା

ପୁରୁଣା ଭୁବନେଶ୍ୱର,୧୫ା୨(ଡି.ଏନ୍‌.ଏ.): ଭୁବନେଶ୍ୱର ମହାନଗର ନିଗମ ଓ୍ବାର୍ଡ ନଂ.୫୯ ଅନ୍ତର୍ଗତ କଣ୍ଡରା ପୋଖରୀର ପୁନରୁଦ୍ଧାର ପାଇଁ ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ଚାଲିଥିବା ଅହୋରାତ୍ର ଧାରଣା ମଙ୍ଗଳବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଏହି ଜଳାଶୟଟି ପ୍ରାୟ ୫ଏକର ଜମି ପରିମିତ ହୋଇଥିବା ବେଳେ ପରିତ୍ୟକ୍ତ ହୋଇ ପଡ଼ିଛି। ମଶା, ମାଛି ବଂଶ ବୃଦ୍ଧି ଯୋଗୁ ଏହାର ଚତୁଃପାର୍ଶ୍ୱରେ ବସବାସ କରୁଥିବା ଶହେରୁ ଊର୍ଦ୍ଧ୍ୱ କଲୋନି ବାସିନ୍ଦା ହଇରାଣ ହେଉଛନ୍ତି। ଏହାର ପୁନରୁଦ୍ଧାର ନେଇ ଏକାମ୍ର ଜନଜାଗରଣ ମଞ୍ଚ ବିଏମ୍‌ସିକୁ ଅଭିଯୋଗ କରିଆସୁଅଛି। ବିଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ନ ନିଆଯାଇବାରୁ ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ଧାରଣା ଦିଆଯାଇଛି। ମଞ୍ଚ ସଦସ୍ୟମାନେ ମଶା ଦାଉରୁ ରକ୍ଷା ପାଇବା ପାଇଁ ମଶାରି ଟାଙ୍ଗି ଧାରଣାରେ ବସିଥିବା ଦେଖିବାକୁ ମିଳିଛି।ଏନେଇ ମେୟର ସୁଲୋଚନା ଦାସ କୁହନ୍ତି, କଣ୍ଡରା ପୋଖରୀ ପୁନରୁଦ୍ଧାର ପାଇଁ ୭୭ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି। ହେଲେ ପୁନରୁଦ୍ଧାର ପୂର୍ବରୁ ଜଣେ ବ୍ୟକ୍ତି ନିଜର ଜମି ରହିଥିବା ନେଇ ହାଇକୋର୍ଟରେ ମାମଲା କରିଥିବାରୁ କାର୍ଯ୍ୟ ପାଇଁ ବିଳମ୍ବ ହେଉଛି। ବୁଧବାର ଏହି ମାମଲା ସମ୍ବନ୍ଧରେ ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଧାରଣାକାରୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ କୌଣସି କଥାକୁ ଶୁଣି ନ ଥିଲେ ବୋଲି ସେ କହିଛନ୍ତି। ଅନ୍ୟପଟେ କାର୍ଯ୍ୟ ନ
ଆରମ୍ଭ ହେବା ଯାଏ ଧାରଣା ଜାରି ରହିବ ବୋଲି ମଞ୍ଚ ଅଧ୍ୟକ୍ଷ ଭୀଷ୍ମନାରାୟଣ ନାୟକ କହିଛନ୍ତି।

Share