ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ଓଡ଼ିଶାରୁ ବେସାମରିକ ସେବା ପୁନଃ ଥଇଥାନ ନିୟମ-୨୦୨୦କୁ ଉଚ୍ଛେଦ କରି ପୁଣିଥରେ ପୁନଃ ଥଇଥାନ ନିୟମ-୧୯୯୦ ଲାଗୁ କରିବା ଦାବିରେ ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘ ପକ୍ଷରୁ ଗଣଧାରଣା ଜାରି ରହିଛି। ଶୁକ୍ରବାର ଅଭିନବ ଉପାୟରେ ଲୋୟର ପିଏମଜିଠାରେ ସେମାନେ ପ୍ରତିବାଦ କରିଛନ୍ତି। ପୂର୍ବରୁ ରାସ୍ତାରେ ଖାଲି ବୋତଲ ବାଡ଼େଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିକ୍ଷୋଭକାରୀ ଉଦ୍ୟମ କରିଥିବାବେଳେ ଶୁକ୍ରବାର ଭିନ୍ନ ପନ୍ଥା ଆପଣେଇଛନ୍ତି। ୩ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଳାଇଥିବା ଏହି ସଂଘ ରାସ୍ତାରେ କାନ ଧରି ଆଣ୍ଠେଇ ଦାବି ଉପସ୍ଥାପନ କରୁଥିବା ଦେଖିବାକୁ ମିଳିଛି। ପୁନଃ ଥଇଥାନ ନିୟମ-୧୯୯୦ ଲାଗୁ କରାଯିବା ସହ ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି। ସେହିପରି ୨୦୦୩-୦୪ରେ ନିଯୁକ୍ତ ଶିକ୍ଷା ସହାୟକଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ ତଥା ଛଟେଇ ହୋଇଥିବା ଶିକ୍ଷା ସହାୟକଙ୍କୁ ପୁନଃ ନିଯୁକ୍ତି ନେଇ ଦାବି ଉପସ୍ଥାପନ କରାଯାଇଛି।