ବାରିପଦା ଅଫିସ,୪।୩ – ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ଅଞ୍ଚଳର ଚାଷୀମାନେ ଧାନ ବିକ୍ରି କରି ନ ପାରି ହତାଶ ହୋଇ ପଡ଼ିଛନ୍ତି। ଟୋକନ ଅବଧି ଶେଷ ହୋଇଯିବାରୁ ସେମାନେ ଧାନ ବିକି ନ ପାରି ବ୍ଲକ ଯୋଗାଣ ଅଧିକାରୀଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି। ଖୁବ୍ଶୀଘ୍ର ଧାନ କିଣା ନ ହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ସୂଚନା ଅନୂଯାୟୀ, ଗୁରୁବାର ଚାନ୍ଦୁଆ ଲ୍ୟାମ୍ପସ୍ରେ ୭ଶହ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଥିଲା। ସେମାନେ ଲ୍ୟାମ୍ପସ୍କୁ ଆସି ଧାନ ବିକ୍ରି କରିପାରି ନ ଥିଲେ। ଅମଳ ଧାନକୁ ଲ୍ୟାମ୍ପସ୍ରେ ବିକ୍ରି କରି ନ ପାରି ବହୁ ଚାଷୀ ବାଧ୍ୟହୋଇ କମ୍ ଦାମ୍ରେ ବେପାରୀଙ୍କୁ ବିକ୍ରି କରୁଛନ୍ତି। ଲ୍ୟାମ୍ପସ୍ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରୁ ନ ଥିବା ଚାନ୍ଦୁଆ ଗ୍ରାମର ଚାଷୀ ଇନ୍ଦ୍ରଜିତ ନାୟକ ଓ ଗୋପୀନାଥ ବେହେରା କହିଛନ୍ତି। ପଡ଼ୋଶୀ ରାଜ୍ୟର ବୋପରୀ ଆସି କମ୍ ଦାମ୍ରେ ଧାନ କିଣି ନେଉଥିବା ରଘୁନାଥପୁରର ରାଜେଶ ମହାନ୍ତ, ଉତ୍ତମ ମହାନ୍ତ, ପାଳସବଣୀର ଚାଷୀ ଦେବେନ୍ଦ୍ର ବେହେରା ପ୍ରମୁଖ କହିଛନ୍ତି। ଏନେଇ ଲ୍ୟାମ୍ପସ୍ ଅଧିକାରୀ ସଂଗ୍ରାମ କେଶରୀ ଚୌଧୁରୀଙ୍କୁ ପଚାରିବାରୁ ଟାର୍ଗେଟ ଆସିଲେ ତୁରନ୍ତ ଧାନ କିଣା ହେବ ବୋଲି କହିଛନ୍ତି।