ଦରମା ନ ମିଳିବାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭବାନୀପାଟଣା,୨୭ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ୧୩ ବ୍ଲକରେ ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ କର୍ମୀମାନଙ୍କୁ ଦୀର୍ଘ ୬ମାସରୁ ଊଦ୍ଧର୍‌ବ ହେବ ଦରମା ଟଙ୍କା ମିଳିନାହିଁ। ଏହାକୁ ନେଇ ମିଶନ ଶକ୍ତିରେ କାର୍ଯ୍ୟରତ ୫ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ସିଆର୍‌ପି, ଏମ୍‌ବିକେ, ବ୍ୟାଙ୍କମିତ୍ର, ପ୍ରାଣୀମିତ୍ର ଓ କୃଷି ମିତ୍ର ପ୍ରମୁଖ ଅସନ୍ତୋଷ ପ୍ରକାଶ କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ଜିଲାର ମୁଖ୍ୟାଳୟ ଭବାନୀପାଟଣାରେ ସେମାନେ ଏକତ୍ରିତ ହୋଇ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ସ୍ଥାନୀୟ ବସ୍‌ଷ୍ଟାଣ୍ଡଠାରୁ ଜିଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ସେମାନେ ଏକ ବିରାଟ ଶୋଭାଯାତ୍ରା କରିଥିଲେ। ଏଥିରେ ଜିଲାର ବିଭିନ୍ନ ବ୍ଲକର ଶତାଧିକ କର୍ମଚାରୀ ଯୋଗଦେଇଥିଲେ। ଦରମା ନ ମିଳିବା ନେଇ ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଜିଲାପାଳଙ୍କୁ ୬ଦଫା ଦାବିପତ୍ର ପ୍ରଦାନ କରିଥିଲେ। ତେବେ ଜିଲାପାଳ ଉପସ୍ଥିତ ନ ଥିବାରୁ ଏହାକୁ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ ଗ୍ରହଣ କରିଥିଲେ। ଦୀର୍ଘ ୬ ମାସରୁ ଊଦ୍ଧର୍‌ବ ହେବ ଦରମା ନ ମିଳିବାରୁ ତାଙ୍କ ପରିବାର ଚଳିବା କଷ୍ଟକର ହୋଇପଡିଛି। ଏହାକୁ ନେଇ ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଅନ୍ୟପକ୍ଷରେ ଦରମା ନ ମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ଜିଲା ସଭାନେତ୍ରୀ ସବିତା ନାଗ ଓ ସିଆର୍‌ପି କର୍ମୀ ପଦ୍ମିନୀ ଶବର ପ୍ରକାଶ କରିଛନ୍ତି।