ବିଞ୍ଝାରପୁର,୨ା୨(ଡି.ଏନ.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ତ୍ରୁଟି ଥିବା ଦର୍ଶାଇ ବିଞ୍ଝାରପୁର ବ୍ଲକ ଶାସନ୍ଦା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ ସମିତିସଭ୍ୟ ରାଣାପ୍ରତାପ ମହାପାତ୍ରଙ୍କ ନେତୃତ୍ୱରେ ବହୁ ବ୍ୟକ୍ତି ସୋମବାରଠାରୁ ଅନଶନରେ ବସିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ବିଡିଓ ମିନତି ଜଗଦ୍ଦେବ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବାସହ ୩ ଦିନ ମଧ୍ୟରେ ପଞ୍ଚାୟତର ସମସ୍ତ ୱାର୍ଡ ସର୍ଭେକରି ଯୋଗ୍ୟ ହିତାଧିକାରୀଙ୍କୁ ତାଲିକା ଭୁକ୍ତ କରିବାସହ ଅଯୋଗ୍ୟଙ୍କ ନାମ ତାଲିକାରୁ କଟିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ଠାକୁରଦାସ ନାୟକ, ଆଇଆଇସି ରଞ୍ଜିତ ମହନ୍ତି ଉପସ୍ଥିତ ଥିଲେ। ଶାସନ୍ଦା ପଞ୍ଚାୟତରେ ପ୍ରକାଶିତ ଆବାସ ତାଲିକାରେ ବ୍ୟାପକ ତ୍ରୁଟି ରହିଛି। ପଞ୍ଚାୟତର ବହୁ ଯୋଗ୍ୟ ବ୍ୟକ୍ତି ତାଲିକାରୁ ବାଦ ପଡ଼ିଥିବାବେଳେ ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ ପ୍ରକାଶ ପାଇଛି। ଫଳରେ ଏହାକୁ ନେଇ ଯୋଗ୍ୟ ବ୍ୟକ୍ତିମାନେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ।