ମା’ କୋଳରେ ଶୋଇଥିବା ବେଳେ ଶିଶୁପୁତ୍ରଙ୍କୁ ଆକ୍ରମଣ କଲା ହେଟାବାଘ

ପାଟଣା,୨୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖୀରେଇଟାଙ୍ଗିରୀ ସେକ୍ସନ ନିହ୍ନୁଆଁ ଗ୍ରାମରେ ହେଟାବାଘ ଆତଙ୍କ ଦେଖାଦେଇଛି। ହେଟାବାଘ ଆକ୍ରମଣରେ ଜଣେ ୪ ବର୍ଷର ଶିଶୁପୁତ୍ର ଗୁରୁତର ହୋଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଶିଶୁପୁତ୍ର ଜଣକ ହେଉଛନ୍ତି ଉକ୍ତ ଗ୍ରାମର ସ୍ବର୍ଗତ ଅନାମ ମୁଣ୍ଡାଙ୍କ ପୁଅ ବାବାଜୀ।

ଶନିବାର ବିଳମ୍ବିତ ରାତିରେ ଶିଶୁପୁତ୍ର ମାଆ ଓ ପରିବାର ଲୋକ ଗୁଳୁଗୁଳି ଓ ଗରମ ଯୋଗୁ ଘର ବାହାରେ ଶୋଇଥିବା ସମୟରେ ଏକ ହେଟାବାଘ ଶିଶୁପୁତ୍ରଙ୍କୁ ଆକ୍ରମଣ କରିଥିଲା। ଏଥିରେ ଶିଶୁପୁତ୍ରଙ୍କ ପେଟପିଠିରେ ଗଭୀର କ୍ଷତ ହୋଇଛି। ବାଘ ଶିଶୁପୁତ୍ରଙ୍କ କାଖ ତଳ ଓ ପିଠିରେ ଝାମ୍ପ ପକାଇଛି। ଏହାପରେ ବନପାଳ ଡଲି ରାଣୀ ସାହୁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିବା ସହ ସରକାରୀ ଗାଇଡ୍‌ଲାଇନ୍‌ ଅନୁଯାୟୀ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।