Categories: ରାଜ୍ୟ

ଜାତୀୟ ହାର ତୁଳନାରେ ଓଡ଼ିଶାରେ ଷ୍ଟ୍ରୋକର ହାର ଅଧିକ: ପ୍ରତି ୭ ଜଣରେ ଜଣଙ୍କୁ ଷ୍ଟ୍ରୋକ ବିପଦ

ଭୁବନେଶ୍ୱର,୧୧।୯: ସାରା ଦେଶରେ ଦୈନିକ ପ୍ରାୟ ଦୁଇ ହଜାର ମସ୍ତିଷ୍କାଘାତ ଘଟଣା ରିପୋର୍ଟ ହେବା ଭାରତରେ ଏକ ଚିନ୍ତାର କାରଣ ପାଲଟିଛି। ପ୍ରସିଦ୍ଧ ପତ୍ରିକା ଦି ଲାନସେଟରେ ପ୍ରକାଶିତ ଏକ ଗବେଷଣାମୂଳକ ରିପୋର୍ଟ ଅନୁସାରେ ଓଡ଼ିଶାରେ ଷ୍ଟ୍ରୋକ ହାର ଜାତୀୟ ହାରଠାରୁ ଅଧିକ ରହିଛି। ପ୍ରତି ୭ ଜଣଙ୍କ ମଧ୍ୟରୁ ଜଣଙ୍କୁ ଷ୍ଟ୍ରୋକ ବିପଦ ଥିବା ରିପୋର୍ଟ ପ୍ରକାଶ କରିଛି।

ସ୍ବାସ୍ଥ୍ୟ ସମସ୍ୟା ମୁଖ୍ୟତଃ ବୟସ୍କମାନଙ୍କଠାରେ ଦେଖାଯାଉଥିଲା, ବର୍ତ୍ତମାନ ଯୁବଗୋଷ୍ଠୀଙ୍କୁ ଅଧିକ ପ୍ରଭାବିତ କରୁଛି। ପରିବର୍ତ୍ତିତ ଜୀବନଶୈଳୀ, ଅନିୟମିତ ଖାଦ୍ୟପେୟ ଅଭ୍ୟାସ, ଚାପ ସ୍ତର ବୃଦ୍ଧି, ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ବୃଦ୍ଧି ହେତୁ ଏପରି ସଙ୍କଟ ଉପୁଜୁଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ଏମସ୍‌ ଭୁବନେଶ୍ୱର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ଆୟୋଜିତ ଇଣ୍ଡିଆନ ଆସୋସିଏସନ ଅଫ ନ୍ୟୁରୋଲୋଜି (ଆଇଏନ) ଷ୍ଟ୍ରୋକ ସବସେକ୍ସନ୍‌ ମିଡର୍ଟମ କନଫରେନ୍ସରେ ଏ ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଥିଲା। କୋଡ ଷ୍ଟ୍ରୋକ ଟୁ ଷ୍ଟ୍ରୋକ ଇଣ୍ଟରଭେନସନ ଶୀର୍ଷକ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ପ୍ରାରମ୍ଭିକ ଷ୍ଟ୍ରୋକ ଚିହ୍ନଟ, ଚିକିତ୍ସା ଅଗ୍ରଗତି ଏବଂ ଷ୍ଟ୍ରୋକ ପ୍ରତିରୋଧର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା।

ଏମସ୍‌ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଏହି ଜାତୀୟ ଅନୁଷ୍ଠାନର ନ୍ୟୁରୋଲୋଜୀ ବିଭାଗ ମାସକୁ ୫୦୦ରୁ ଅଧିକ ମସ୍ତିଷ୍କାଘାତ ରୋଗୀଙ୍କୁ ସାମଗ୍ରିକ ଚିକିତ୍ସା ପ୍ରଦାନ କରୁଥିବା ସୂଚନା ଦେଇଛନ୍ତି। ଅନ୍ତଃସ୍ରାବି ଥ୍ରୋମ୍ବୋଲାଇସିସ, ମେକାନିକାଲ ଥ୍ରୋମେୱକ୍ଟୋମି, ଷ୍ଟ୍ରୋକ ନ୍ୟୁରୋ ସର୍ଜରୀ, ନ୍ୟୁରୋକ୍ରିଟିକାଲ କେୟାର ଏବଂ ଉନ୍ନତ ନ୍ୟୁରୋ-ପୁନର୍ବାସ ଭଳି ସେବା ଅନ୍ତର୍ଭୁକ୍ତ ଥିବା ଡ. ବିଶ୍ୱାସ ସୂଚନା ଦେଇଛନ୍ତି।

ଏମସ୍‌ ଭୁବନେଶ୍ୱରର ଡିନ ଡ. ପି ଆର ମହାପାତ୍ର, ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ାଙ୍କ ସମେତ ଆଇଏନ ଷ୍ଟ୍ରୋକ ସବସେକ୍ସନ ଚେୟାରମ୍ୟାନ ଡ. ସୁନୀଲ କେ ନାରାୟଣ, ଇଣ୍ଡିଆନ ଷ୍ଟ୍ରୋକ ଆସୋସିଏସନର ସଭାପତି ଡ. ନିର୍ମଳ ସୂର୍ଯ୍ୟ, ଡ. କାମେଶ୍ୱର ପ୍ରସାଦ, ଡ. ପି ବିଜୟ ଏବଂ ଡ. ଏସ ପି ଗୋର୍ଥୀ ପ୍ରମୁଖ ଏହି ସମ୍ମୀଳନୀରେ ଯୋଗଦେଇଥିଲେ।

ଏହି ଅବସରରେ ବରିଷ୍ଠ ଆବାସିକ ଡାକ୍ତର ଏବଂ ଅଧ୍ୟାପିକାଅଧ୍ୟାପକମାନଙ୍କ ପାଇଁ ଷ୍ଟ୍ରୋକ ସମ୍ବନ୍ଧୀୟ ଏକ ପୋଷ୍ଟର ଅଧିବେଶନ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମାନବ ସମାଜ ପାଇଁ ଉତ୍ସର୍ଗୀକୃତ ସେବା ପାଇଁ ଭେଟେରାନ ସ୍ନାୟୁବିଜ୍ଞାନୀ ଡକ୍ଟର ଆର ଏନ ସାହୁଙ୍କୁ ଜୀବନବ୍ୟାପୀ ସାଧନା ପ୍ରଦାନ କରଯାଇଥିଲା। ଏହି ସମ୍ମିଳନୀକୁ ଏମାର ଭୁବନେଶ୍ୱରର ସ୍ନାୟୁବିଜ୍ଞାନ ବିଭାଗ ମୁଖ୍ୟ ଡ. ସଞ୍ଜୀବ କୁମାର ଭୋଇ, ଡ. ମେନକା ଝା ଏବଂ ଡ. ପ୍ରିୟଙ୍କା ସାମଲ ପ୍ରମୁଖ ପରିଚାଳନା କରିଥିଲେ।

Share