ସମୁଦ୍ରରେ ଯିବ ବାତ୍ୟା

ଭୁବନେଶ୍ୱର,୨୨ା୧୦(ଅନିଲ ଦାସ)ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି । ଏହା ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ରବିବାର ଏହା ଉତ୍ତର-ପଶ୍ଚିମରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରି ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ଏହା ପରେ ଲଘୁଚାପ ୩ ଦିନ ଧରି ଉତ୍ତର-ଉତ୍ତର ପୂର୍ବଦିଗକୁ ମୁହାଁଇ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଗତି କରି ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ରବିବାରଠାରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ୪୫ରୁ ୫୫ ଓ
ସର୍ବାଧିକ ୬୫ କିମି ଯାଏ ରହିବ । ଏଥିସହ ପବନର ବେଗ ଧୀରେ ଧୀରେ ବୃଦ୍ଧି ପାଇବ। ୨୩, ୨୪ ବେଳକୁ ପବନର ବେଗ ୫୫ରୁ ୬୫ ବେଳେ ବେଳେ ୮୦ କିମି ବେଗରେ ବହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ସମୁଦ୍ର ମଧ୍ୟ ଦେଇ ଗତି କରୁଥିବାରୁ ଉପକୂଳରେ ପବନର ପ୍ରଭାବ ସେତେଟା ଅନୁଭୂତ ହେବ ନାହିଁ।
ଏହାର ପ୍ରଭାବରେ ଆସନ୍ତା ୨୩ ଓ ୨୪ ତାରିଖରେ ଦୁଇଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ୨୩ରେ ଉପକୂଳ ଜିଲା ସମେତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ୨୪ ତାରିଖରେ ମଧ୍ୟ ଉପକୂଳ ସମେତ ଅନ୍ୟ ଜିଲାରେ ବର୍ଷା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ପୁରୀ, ଖୋର୍ଦ୍ଧା, ଭଦ୍ରକ, କେନ୍ଦ୍ରାପଡା ଓ ଜଗତ୍‌ସିଂହପୁର ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୫ ତାରିଖରେ ମଧ୍ୟ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କ ଲାଗି ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୨୪ରୁ ୨୬ ତାରିଖ ମଧ୍ୟରେ ସମୁଦ୍ରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ଯେଉଁମାନେ ଗଭୀର ସମୁଦ୍ରକୁ ଯାଇଛନ୍ତି ତୁରନ୍ତ ଫେରିଆସିବାକୁ କୁହାଯାଇଛି।

Share