Categories: ଜାତୀୟ

ଛୁଟି ନେଇ ମଧ୍ୟ ଭୋଟ ନ ଦେଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ…

ନୂଆଦିଲ୍ଲୀ, ୯।୬ : ସହରାଞ୍ଚଳରେ ଭୋଟରଙ୍କ ଉଦାସୀନତାକୁ ଦୂର କରିବା ପାଇଁ ନିର୍ବାଚନ ଆୟୋଗ (ଇସି) ସମସ୍ତ କେନ୍ଦ୍ର ତଥା ରାଜ୍ୟ ସରକାରୀ ବିଭାଗ, ସରକାରୀ କ୍ଷେତ୍ର ଏବଂ ୫୦୦ରୁ ଅଧିକ କର୍ମଚାରୀ ଥିବା ବେସରକାରୀ କମ୍ପାନୀଗୁଡିକୁ ନିର୍ବାଚନ ଦିନ ବିଶେଷ ଅବକାଶର ଲାଭ କେତେଜଣ କର୍ମଚାରୀ ଗ୍ରହଣ କରୁଛନ୍ତି ତାହା ଉପରେ ନଜର ରଖିବାକୁ କହିଛନ୍ତି।

ବହୁ କର୍ମଚାରୀ ଭୋଟ ପାଇଁ ଛୁଟି ନେଇ ମଧ୍ୟ ଭୋଟ ଦେଉନଥିବା କୁହାଯାଉଛି। ଏହି ପରିପ୍ରେକ୍ଷୀରେ, ନିର୍ବାଚନ ଆୟୋଗ ଉପରୋକ୍ତ ନିଯୁକ୍ତିଦାତାଙ୍କୁ ଏକ ଚିଠି ଲେଖିବା ପ୍ରକ୍ରିୟାରେ ଅଛନ୍ତି। ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ନିର୍ବାଚନ ଆୟୋଗ ସ୍ଥାନୀୟ ଜିଲା ନିର୍ବାଚନ ଅଧିକାରୀଙ୍କ ମାଧ୍ୟମରେ ସରକାରୀ ବିଭାଗ, ପିଏସ୍‌ୟୁ ଏବଂ ବେସରକାରୀ କମ୍ପାନୀମାନଙ୍କୁ ନୋଡାଲ ଅଧିକାରୀ ନିଯୁକ୍ତ କରିବାକୁ କହିବେ ଯେଉଁମାନେ ଭୋଟ ଦେଉ ନଥିବା କର୍ମଚାରୀଙ୍କ ଉପରେ ନଜର ରଖିବେ।

 

ନିର୍ବାଚନ ଆୟୋଗର ଜଣେ ବରିଷ୍ଠ ଅଧିକାରୀ ଇଣ୍ଡିଆନ ଏକ୍ସପ୍ରେସକୁ କହିଛନ୍ତି ଯେ ଆମେ ନିଯୁକ୍ତିଦାତାଙ୍କୁ ଅନୁରୋଧ କରିବୁ ଭୋଟ ଦେଇ ନ ଥିବା କର୍ମଚାରୀଙ୍କୁ ନିର୍ବାଚନ ଆୟୋଗ ଦ୍ୱାରା ଆୟୋଜିତ ସ୍ବତନ୍ତ୍ର ଭୋଟର ସଚେତନତା କର୍ମଶାଳାରେ ଯୋଗଦେବା ପାଇଁ ପଠାଇବେ। ବିଶେଷକରି ସହରାଞ୍ଚଳରେ ଭୋଟରଙ୍କ ଉଦାସୀନତାକୁ ମୁକାବିଲା କରିବାର ଯୋଜନା କରାଯାଉଛି। ଲୋକମାନେ ଛୁଟି ନେଇ ଭୋଟ ନଦେବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

ଲୋକ ପ୍ରତିନିଧୀ ଅଧିନିୟମ, ୧୯୫୧ ର ଧାରା ୧୩୫-ବି ଅନୁଯାୟୀ, ଯେ କୌଣସି ବ୍ୟବସାୟ, ବାଣିଜ୍ୟ, ଶିଳ୍ପାୟନ କିମ୍ବା ଅନ୍ୟ ପ୍ରତିଷ୍ଠାନରେ ନିୟୋଜିତ ପ୍ରତ୍ୟେକ କର୍ମଚାରୀ ଲୋକ ସଭା କିମ୍ବା ବିଧାନସଭାକୁ ନିର୍ବାଚନରେ ଭୋଟ ଦେବାର ଅଧିକାର ସାବ୍ୟସ୍ତ କରିବା ଲାଗି ସବୈତନିକ ଛୁଟି ନେଇ ପାରିବେ।

ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ, ଭୋଟ ଅଧିକାର ବିଷୟରେ ଅଧିକ ସଚେତନତା ସତ୍ତ୍ୱେ ସହରାଞ୍ଚଳରେ ଭୋଟରଙ୍କ ଉଦାସୀନତା ସର୍ବାଧିକ ରହିଛି। ଦେଶର ସହରାଞ୍ଚଳରେ ସର୍ବନିମ୍ନ ମତଦାନ ହୋଇଥାଏ। ଏହା ବ୍ୟତୀତ ଆମେ ପ୍ରତ୍ୟେକ ବିଧାନସଭା ନିବାଚନମଣ୍ଡଳୀରେ ଅତି କମରେ ୫ ଟି ମତଦାନ କେନ୍ଦ୍ର ଚିହ୍ନଟ କରିବାକୁ ସମସ୍ତ ଜିଲା ନିର୍ବାଚନ ଅଧିକାରୀ / ରିଟର୍ଣ୍ଣିଂ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅଧିକାରୀମାନେ କମ ମତଦାନର କାରଣ ଚିହ୍ନଟ କରିବେ ଏବଂ ଭୋଟ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଥିବା ଅନ୍ୟାନ୍ୟ କାରଣ ହଟାଇବା ପାଇଁ ଏହି ବୁଥଗୁଡିକ ପରିଦର୍ଶନ କରିବେ ।

Share