Categories: ଖେଳ

ଧନଞ୍ଜୟଙ୍କ ଦୃଢ଼ ବ୍ୟାଟିଂ

ଗାଲେ, ୧୭।୭: ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଚଳିତ ସିରିଜର ପ୍ରଥମ କ୍ରିକେଟ ଟେଷ୍ଟ ରବିବାର ଏଠାରେ ଆରମ୍ଭ ହୋଇଛି। ପାକିସ୍ତାନ ବୋଲରମାନେ ଶ୍ରୀଲଙ୍କାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ହେଁ ଧନଞ୍ଜୟ ଡି’ସିଲ୍‌ଭାଙ୍କ ଦୃଢ଼ ବ୍ୟାଟିଂ ବଳରେ ଶ୍ରୀଲଙ୍କା ଏକ ସମ୍ମାନଜନକ ସ୍କୋର ଦିଗରେ ଅଗ୍ରସର ହୋଇଛି। ବର୍ଷା ବାଧା ଯୋଗୁ ପ୍ରଥମ ଦିବସରେ ୬୫.୪ ଓଭର ଖେଳ ସମ୍ଭବ ହୋଇଥିଲା। ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ ଶ୍ରୀଲଙ୍କା ୬ ଉଇକେଟ ହରାଇ ୨୪୨ ରନ ସ୍କୋର କରିଛି। ଧନଞ୍ଜୟ ୯୪ ରନକରି ଅପରାଜିତ ରହିଛନ୍ତି।
ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା। ତେବେ ଆହତ ସମସ୍ୟାରୁ ମୁକୁଳି ପାକିସ୍ତାନ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଶାହିନ ଶାହା ଆଫ୍ରିଦୀ ଚମତ୍କାର ବୋଲିଂ କରି ଶ୍ରୀଲଙ୍କାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଶାହିନ ୩ଟି ଓ ନସିମ ଶାହା ଗୋଟିଏ ଉଇକେଟ ନେବାରୁ ଶ୍ରୀଲଙ୍କା ମାତ୍ର ୫୪ ରନରେ ୪ଟି ଉଇକେଟ ହରାଇଥିଲା। ନିଶାନ ମଦୁସ୍କା (୪ ରନ)ଙ୍କୁ ଆଉଟ କରି ଶାହିନ ପାକିସ୍ତାନର ୧୯ତମ ବୋଲରଭାବେ ଟେଷ୍ଟ କ୍ରିକେଟରେ ୧୦୦ ଉଇକେଟ ପୂରଣ କରିଥିଲେ। ଏହି ମାଇଲଖୁଣ୍ଟ ସ୍ପର୍ଶ କରିବାରେ ସେ ପାକିସ୍ତାନ ଦ୍ରୁତ ବୋଲରଙ୍କ ମଧ୍ୟରେ ୪ର୍ଥ ଦ୍ରୁତତମ ସାବ୍ୟସ୍ତ ହୋଇଥିଲେ। ମଧ୍ୟାହ୍ନ ଭୋଜନ ବିରତି ସମୟରେ ୩୦ ମିନିଟରୁ ଊର୍ଦ୍ଧ୍ୱ ସମୟ ଧରି ଝଡ଼ବର୍ଷା ହୋଇତ୍ଥଲା।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ପ୍ରଥମ ଇନିଂସ: ୨୪୨/୬ (ଧନଞ୍ଜୟ ଡି’ସିଲଭା-୯୪*, ଆଞ୍ଜେଲୋ ମାଥ୍ୟୁସ-୬୪, ଶାହିନ ଶାହା ଆଫ୍ରିଦୀ-୩/୬୩, ନସିମ ଶାହା-୧/୬୬, ଆବ୍ରାର ଅହମଦ-୧/୫୯, ଆଘା ସଲମାନ-୧/୧୮)।

Share