Categories: ଅନୁଗୋଳ

ଫଳ ବଜାରରେ ପ୍ରବଳ ଭିଡ଼

ଅନୁଗୋଳ ଅଫିସ,୨୯।୫: ଦିନକ ପରେ ସାବିତ୍ରୀ ବ୍ରତ। ତେଣୁ ଅନୁଗୋଳରେ ଲୁଗା ଦୋକାନଠାରୁ ଆରମ୍ଭ କରି ଫଳ ବେପାର ଜୋର୍‌ ଧରିଛି। ବିଶେଷକରି ସକାଳ ୭ଟାରୁ ୧୦ଟା ଓ ଅପରାହ୍ନରୁ ରାତି ଯାଏ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଟାଣ ଖରା ଓ ଗୁଳୁଗୁଳି ଯୋଗୁ ଦିନବେଳା ବଜାର, ରାସ୍ତା ଏକପ୍ରକାର ଜନଶୂନ୍ୟ ହୋଇପଡ଼ୁଛି। ଲୋକେ ଘରୁ ବାହାରକୁ ବାହାରୁ ନ ଥିବାରୁ ମଧ୍ୟାହ୍ନରେ ବ୍ୟବସାୟ ମାନ୍ଦା ପଡ଼ିଯାଉଛି। ତେବେ ଅପରାହ୍ନରୁ ରାତି ଯାଏ ଜବରଦସ୍ତ ଭିଡ଼ ଦେଖିବାକୁ ମିଳୁଛି। ଦୋକାନୀମାନେ ମଧ୍ୟ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ କିଛି ନା କିଛି ଅଫର୍‌ ଦେଉଛନ୍ତି। ଅନୁଗୋଳ ବଜାରରେ ଆମ୍ବ ଦର କିଲୋ ପ୍ରତି ୧୦୦ ଟଙ୍କା ଥିବାବେଳେ ପଣସ ଗୋଟାକୁ ୧୦୦, ଅଙ୍ଗୁର କିଲୋ ୧୦୦ ଟଙ୍କା, ଆପଲ ୧୫୦ ଟଙ୍କା, ସପୁରି ୫୦ ଟଙ୍କା, ଲିଚୁ ୧୨୦ ଟଙ୍କା, କଦଳୀ ୭୦ ଟଙ୍କା, ତରଭୁଜ ୨୦, କମଳା ୧୦୦, ଅମୃତଭଣ୍ଡା କିଲୋ ପ୍ରତି ୬୦ ଟଙ୍କାରେ ବିକ୍ରି ହେଉଛି। ଏ ସମ୍ପର୍କରେ ଅନୁଗୋଳର ଗ୍ରାହକ ସରୋଜ କୁମାର ଦାସ କହିଛନ୍ତି, ଚଳିତବର୍ଷ ଫଳ ବଜାରରେ ଅଧିକ ଭିଡ଼ ଦେଖିବାକୁ ମିଳୁଛି। ଦର ଯାହା ରହିଛି, ସବୁପ୍ରକାର ଫଳ କିଣିବା ଗ୍ରାହକଙ୍କ ପକ୍ଷେ ସମ୍ଭବ ହୋଇପାରୁ ନାହିଁ।