ବ୍ୟାଙ୍କକ,୨୮।୩: ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍ରେ ଶୁକ୍ରବାର ୭.୭ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ କୋଠାଗୁଡ଼ିକ ଭୁଶୁଡି ପଡ଼ିଛି। ୪୩ ଜଣ ଲୋକ ନିଖୋଜ ଅଛନ୍ତି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଏବଂ ଜର୍ମାନୀର GFZ ଭୂତତ୍ତ୍ୱ କେନ୍ଦ୍ର କହିଛି ଯେ, ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ଆସିଥିଲା, ଯାହାର କେନ୍ଦ୍ରସ୍ଥଳ ପଡ଼ୋଶୀ ମିଆଁମାରରେ ଥିଲା।
ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭୂମିକମ୍ପ ଯୋଗୁ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ଭୁଶୁଡ଼ି ପଡ଼ିଥିବା କୋଠାଟି ପ୍ରକୃତରେ ଦେଶର ଅଡିଟର ଜେନେରାଲଙ୍କ କାର୍ଯ୍ୟାଳୟ (OAG)ର ନିର୍ମାଣାଧୀନ କୋଠା ବୋଲି ଦାବି କରାଯାଉଛି।
ସ୍ଥାନୀୟ ଲୋକମାନେ କହିଛନ୍ତି, ଭୂମିକମ୍ପ ସମୟରେ ପ୍ରାୟ ଗୋଟିଏ ମିନିଟ ପର୍ଯ୍ୟନ୍ତ ଭୂମି ଥରିଥିଲା, ଯାହା ଯୋଗୁ ସମଗ୍ର ସହରରେ ଆତଙ୍କର ବାତାବରଣ ଖେଳିଯାଇଥିଲା।