୩ ଦଳୀୟ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢ଼େଇ

ରଘୁନାଥପୁର,୩୧।୫(ରାଜେନ୍ଦ୍ର ନାରାୟଣ ସିଂହ): ତିର୍ତ୍ତୋଲ ବିଧାନସଭା କ୍ଷେତ୍ର(ସଂରକ୍ଷିତ) ଆସନ ହାତେଇବା ପାଇଁ ୩ ଦଳର ପ୍ରାର୍ଥୀଙ୍କ ପକ୍ଷରୁ ଜୋରଦାର କସରତ ଚାଲିଛି। ବିଜେଡି ପ୍ରାର୍ଥୀ ଡ.ରମାକାନ୍ତ ଭୋଇ, ଭାଜପାରୁ ଆଇନ୍‌ଜୀବୀ ରାଜକିଶୋର ବେହେରା ଓ କଂଗ୍ରେସରୁ ଇଂ.ହିମାଂଶୁ ଭୂଷଣ ମଲ୍ଲିକ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ଭୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୪ ବର୍ଷ ଶାସନ କାଳରେ ରାଜ୍ୟର ବିକାଶକୁ ମୁଖ୍ୟ ଆୟୁଧ କରି ନିଜର ଶକ୍ତି ବୃଦ୍ଧି କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏହାଛଡା ରଘୁନାଥପୁର, ବିରିଡି ଓ ତିର୍ତ୍ତୋଲ ବ୍ଲକର ୬୦ ପଞ୍ଚାୟତରେ ଥିବା ପ୍ରତି ବୁଥରେ କମିଟି ଗଠନ କରି ସେମାନଙ୍କ ଜରିଆରେ ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବାକୁ ଉଦ୍ୟମ କରୁଛନ୍ତି। ସେହିପରି ଭାଜପା ପ୍ରାର୍ଥୀ ଆଇନଜୀବୀ ବେହେରା ରାଜ୍ୟରେ ପରିବର୍ତ୍ତନର ସ୍ବରକୁ ଶାଣିତ କରି ଭୋଟରଙ୍କ ନିକଟତର ହୋଇଛନ୍ତି। ଏହାଛଡା ବିରୋଧୀ ଦଳର ଅସନ୍ତୁଷ୍ଟ କର୍ମକର୍ତ୍ତା ଓ କର୍ମୀଙ୍କୁ ନିଜ ଦଳରେ ମିଶାଇ ଭୋଟ ବ୍ୟବଧାନ ବୃଦ୍ଧି କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ପ୍ରାର୍ଥୀ ଇଂ.ମଲ୍ଲିକ ଗତ ୬ ମାସ ତଳୁ ପ୍ରତ୍ୟେକ ପଞ୍ଚାୟତରେ ଆଶୀର୍ବାଦ ଯାତ୍ରା କରି ଲୋକଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି। ଏହାଛଡା ପ୍ରତି ପଞ୍ଚାୟତରେ ସୁପ୍ତ ଥିବା ଦଳୀୟ କର୍ମୀଙ୍କୁ ସକ୍ରିୟ କରି ଅନେକ ଯୁବ ଛାତ୍ରଙ୍କୁ ନିଜ ସପକ୍ଷକୁ ଆଣି ପ୍ରତିଦ୍ୱନ୍ଦ୍ୱିତା ଲକ୍ଷ୍ୟରେ ଆଗେଇ ଚାଲିଛନ୍ତି। ଅପରାହ୍ନରେ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ଶେଷ ହେବା ପରେ ଉଭୟ ଦଳର ପ୍ରାର୍ଥୀ ବର୍ତ୍ତମାନ ବିଭିନ୍ନ ପଞ୍ଚାୟତ ଗସ୍ତ କରି କିଛି ଅବୁଝା ଭୋଟରଙ୍କୁ ମନେଇବା ପାଇଁ ପ୍ରୟାସ ଚଳାଇଛନ୍ତି। ତିନି ଦଳ ପକ୍ଷରୁ ନିର୍ବାଚନ ବୈତରଣୀ ଅତିକ୍ରମ କରିବା ପାଇଁ ରଣନୀତିକୁ ଅଧିକ କ୍ରିୟାଶୀଳ କରିଥିବାରୁ ଭୋଟରଙ୍କ ମତଦାନ ଉପରେ ସମସ୍ତଙ୍କ ନଜର ରହିଛି।