Advertisement

ବିଜେଡି ନେତାଙ୍କୁ ଜୋରଦାର ବିରୋଧ

ବଲାଙ୍ଗୀର/ ଖପ୍ରାଖୋଲ,୨୦।୧(ବୀରେନ୍ଦ୍ରକୁମାର ଝାଙ୍କର/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗନ୍ଧମାର୍ଦ୍ଦନର ସ୍ଥାୟୀ ସୁରକ୍ଷା ପାଇଁ ଖପ୍ରାଖୋଲ ଆଦର୍ଶ ବିଦ୍ୟାଳୟ ସମ୍ମୁଖ ପଡିଆରେ ରବିବାର ପଶ୍ଚିମ ଓଡିଶା ମହାସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେବା ପାଇଁ ଆସିଥିବା ବିଜେଡି ନେତ୍ରୀନେତାଙ୍କୁ ଜୋରଦାର ବିରୋଧ କରାଯାଇଛି। ଗନ୍ଧମାର୍ଦ୍ଦନ ଯୁବ ପରିଷଦ ଉପଦେଷ୍ଟା ତଥା ପୂର୍ବତନ ଏମପି ଭବାନୀ ଶଙ୍କର ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ବାମୀ ସୋମବେଶ ସରସ୍ବତୀ, ପରିବେଶବିଦ ପ୍ରଫୁଲ୍ଲ ସାମନ୍ତରା, ବିଶିଷ୍ଟ ସାମାଜିକ କାର୍ଯ୍ୟକର୍ତ୍ତା ଲିଙ୍ଗରାଜ, ନିୟମଗିରି ସୁରକ୍ଷା ସମିତିର ଲିଙ୍ଗରାଜ ଆଜାଦ୍‌, କୋଶଲବାଦୀ ନେତା ପ୍ରମୋଦ କୁମାର ମିଶ୍ର, ଏସୟୁସିଆଇ ରାଜ୍ୟ ସଦସ୍ୟ ଅଶୋକ ମିଶ୍ର, ଜିନ୍ଦାବାଦ ସଙ୍ଗଠନ ପ୍ରତିଷ୍ଠାତା ତ୍ରିଲୋଚନ ପୁଞ୍ଜି, ପୂର୍ବତନ ଆବାହକ ବୃନ୍ଦାବନ ବାରିକ, କାର୍ଯ୍ୟକାରୀ ସଭାପତି ଡାଇମଣ୍ଡ ଭୋଇ, ଗୌତମ ବିଶ୍ୱାଳ, କେନ୍ଦ୍ରୀୟ ଆବାହକ ରବି ନାରାୟଣ ସାହୁ, ହରିଶଙ୍କର ଶାଖା ଆବାହକ ଜୟସିଂ ପୁଝାରୀ, ଲବ ସୁନାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା ଓ ଜନସାଧାରଣ ଯୋଗଦାନ କରିଥିଲେ। ଏହି ସମାବେଶ ଚାଲିଥିବା ବେଳେ ଏଥିରେ ଯୋଗ ଦେବାକୁ ବିଜେଡି ନେତ୍ରୀ ତଥା ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରୀତା ସାହୁ, ପାଟଣାଗଡର ପୂର୍ବତନ ବିଧାୟକ ସରୋଜ ମେହେର ଓ ବରଗଡ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଏକାସଙ୍ଗରେ ଆସି ସଭାମଞ୍ଚକୁ ଚଢ଼ିଥିଲେ। ସଭା ମଞ୍ଚକୁ ଚଢ଼ିବା ସମୟରେ ଜନସାଧାରଣ ବସିଥିବା ଗ୍ୟାଲେରିରୁ ଜୋରଦାର ନାରାବାଜି ଆରମ୍ଭ ହୋଇଥିଲା। କଳିଙ୍ଗ ନଗରରେ ଆଦିବାସୀଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣି ଦଳର ନେତ୍ରୀନେତା ଏହି ସମାବେଶରେ ବସିବାକୁ ଯୋଗ୍ୟ ନୁହନ୍ତି ବୋଲି କହିଥିଲେ। ବିଜେଡିର ଏହି ନେତାନେତ୍ରୀମାନେ ସଭାମଞ୍ଚରେ ବସିଲେ ଲୋକେ ଉଠିଯିବେ ବୋଲି କହି ବିରୋଧ କରିଥିଲେ। ଶାସନ କ୍ଷମତାରେ ଥିଲା ବେଳେ ଗନ୍ଧମାର୍ଦ୍ଦନ ସୁରକ୍ଷା କଥା ନ କହି ଏବେ କାହିଁକି ଆସିଛ ବୋଲି କହି କିଛି ଲୋକ ସଭାରୁ ଉଠି ଯାଇଥିଲେ। ଏଭଳି ବିରୋଧ ଓ ନାରାବାଜି ଯୋଗୁ କିଛି ସମୟ ଧରି ମିଟିଂ ବନ୍ଦ ହୋଇଯାଇଥିଲା। ପରେ ସଭାମଞ୍ଚରୁ କେତେଜଣ ନେତୃସ୍ଥାନୀୟ ବ୍ୟକ୍ତି ଆସି ଲୋକଙ୍କୁ ବୁଝାଶୁଝା କରିଥିଲେ। ପରେ ସଭାରେ ବିଜେଡି ନେତ୍ରୀ ପୂର୍ବତନ ମନ୍ତ୍ରୀ ଛୁରିଆ ଆମେ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନକୁ ସମର୍ଥନ କରୁଛୁ ଏବଂ ଲୋକଙ୍କ ଯାହାବି ଦାବି ରହିଛି ସେନେଇ ଆମ ନେତା ନବୀନ ପଟ୍ଟନାୟକଙ୍କୁ ଅବଗତ କରି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବାକୁ କହିବୁ ବୋଲି କହିଥିଲେ। ଅନ୍ୟ ନେତାନେତ୍ରୀମାନେ ମଧ୍ୟ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନକୁ ସମର୍ଥନ କରୁଥିବା କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share