ଇସ୍ରାଏଲ, ଆମେରିକାକୁ ପ୍ରବଳ ବିରୋଧ

ଜେରୁଜେଲମ୍‌/ବାଗ୍‌ଦାଦ/ପ୍ୟାରିସ୍‌,୧୪ା୧୦: ହମାସ୍‌ ସହ ଇସ୍ରାଏଲର ଯୁଦ୍ଧକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଉଛି। ମଧ୍ୟପ୍ରାଚ୍ୟରେ ଅନେକ ହଜାର ଲୋକ ରାସ୍ତାକୁ ଓହ୍ଲାଇ ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌ ବିରୋଧରେ ପ୍ରତିବାଦ ଜଣାଇଛନ୍ତି। ନିଜ ଦେଶର ରାଜଧାନୀରେ ନମାଜ ପାଠ ପାଇଁ ମସ୍‌ଜିଦଗୁଡ଼ିକରେ ଠୁଳ ହୋଇଥିବା ମୁସଲମାନମାନେ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଶିଆ ନେତା ମୋକ୍‌ତାଦା ସଦର୍‌ ଗାଜା ସପକ୍ଷରେ ବିକ୍ଷୋଭ କରିବାକୁ ଆହ୍ବାନ ଦେବା ପରେ ଇରାକ୍‌ର ବାଗ୍‌ଦାଦରେ ଆନ୍ଦୋଳନକାରୀ ସ୍ଲୋଗାନ ଦେଇଥିଲେ, ‘କବ୍‌ଜା ଚଳିବ ନାହିଁ’, ‘ଆମେରିକାର ଆଧିପତ୍ୟ ଗ୍ରହଣୀୟ ନୁହେଁ’। ଅଧିକୃତ ପାଲେଷ୍ଟାଇନ୍‌ରେ ଚାଲିଥିବା ରକ୍ତପାତ ଓ ମାନବ ଅଧିକାର ଉଲ୍ଲଂଘନକୁ ନିନ୍ଦା କରିବା ପାଇଁ ଏହି ରାଲିର ଆୟୋଜନ କରାଯାଇଛି ବୋଲି ବିକ୍ଷୋଭ ଆୟୋଜକ ଅବୁ କନ୍ୟାନ୍‌ କହିଛନ୍ତି। ତେହରାନ୍‌ରେ ବିକ୍ଷୋଭକାରୀମାନେ ଇରାନୀ, ପାଲେଷ୍ଟିନୀୟ, ଲେବାନନ୍‌ର ହେଜ୍‌ବୋଲ୍ଲା ପତାକା ଉଡ଼ାଇଥିଲେ। ସେମାନେ ଧରିଥିବା ବ୍ୟାନରଗୁଡ଼ିକରେ ଲେଖାଥିଲା, ‘ଡାଉନ୍‌ ଓ୍ବିଥ୍‌ ଆମେରିକା’ ଏବଂ ‘ଡାଉନ୍‌ ଓ୍ବିଥ୍‌ ଇସ୍ରାଏଲ’। ଇରାନ୍‌ର ଅନ୍ୟ ସହରଗୁଡ଼ିକରେ ମଧ୍ୟ ବିକ୍ଷୋଭକାରୀମାନେ ଆମେରିକା ଓ ଇସ୍ରାଏଲର ଜାତୀୟ ପତାକାକୁ ପୋଡ଼ିଥିଲେ। ବାହାରିନ୍‌ର ଦିରାଜ ମସ୍‌ଜିଦ ଆଗରେ ନମାଜ ପାଠ ପୂର୍ବରୁ ଅନେକ ହଜାର ମୁସଲମାନ ସ୍ଲୋଗାନ ଦେଇଥିଲେ, ‘ଡେଥ୍‌ ଟୁ ଇସ୍ରାଏଲ’ ଏବଂ ‘ଡେଟ୍‌ ଟୁ ଆମେରିକା’। ସାଉଦି ରାଜଧାନୀ ରିୟାଧରେ ବିକ୍ଷୋଭକୁ ନିଷିଦ୍ଧ କରାଯାଇଥିବାବେଳେ କେତେଜଣ ଲୋକ ଏହାକୁ ଅବଜ୍ଞା କରିଛନ୍ତି। ଆଇନ ଅମାନ୍ୟକାରୀ ଜଣେ ପୂଜକଙ୍କୁ ପୋଲିସ ଗିରଫ କରି ନେଉଥିବାବେଳେ ସେ କହୁଥିଲେ, ‘ସ୍ପିକ୍‌ ଆବାଉଟ୍‌ ପାଲେଷ୍ଟାଇନ୍‌’!

Share