Categories: ଜାତୀୟ

ଉପନିର୍ବାଚନ ପୂର୍ବରୁ ୨୭୧ ଇଭିଏମ୍‌ ମେସିନ୍‌ ଥିବା ଷ୍ଟ୍ରଙ୍ଗ୍‌ରୁମ୍‌ରେ ଲାଗିଲା ନିଆଁ: ଷଡ଼ଯନ୍ତ୍ର ଅଭିଯୋଗ ଆଣିଲା କଂଗ୍ରେସ

ଭୋପାଳ,୮।୧୦: ଆଗକୁ ମଧ୍ୟପ୍ରଦେଶର ୨୮ଟି ବିଧାନସଭା ଆସନରେ ଉପନିର୍ବାଚନ ହେବ। ଏନେଇ ଜୋରଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ଏପରିସ୍ଥଳେ ଖରଗୋନ୍‌ରେ ଇଭିଏମ୍‌ ମେସିନ୍‌ ଥିବା ଷ୍ଟ୍ରଙ୍ଗ୍‌ରୁମ୍‌ରେ ନିଆଁ ଲାଗିଯାଇଥିବାରୁ ପ୍ରଶାସନର ଅକଲ ଗୁଡୁମ୍‌ ହୋଇଯାଇଛି। ଷ୍ଟ୍ରଙ୍ଗ୍‌ରୁମ୍‌ରେ ୨୭୧ ଇଭିଏମ୍‌ ମେସିନ୍‌ ଥିଲା। ସେଥିମଧ୍ୟରେ କେତେକ ପୋଡ଼ିଯାଇଥିବା କୁହାଯାଉଛି। ସ୍ଥାନୀୟ ପିଜି କଲେଜର ଷ୍ଟ୍ରଙ୍ଗ୍‌ ରୁମ୍‌ରେ ଏହି ମେସିନ୍‌ ଗୁଡ଼ିକ ରଖାଯାଇଥିଲା। ବିଦ୍ୟୁତ୍‌ ଶର୍ଟ ସର୍କିଟ୍‌ ଯୋଗୁ ଏଭଳି ହୋଇଥିବା ଅନୁମାନ କରାଯାଉଛି। ଷ୍ଟ୍ରଙ୍ଗ୍‌ରୁମ୍‌ରେ ନିଆଁ ଲାଗିବା ଖବର ପାଇ ଜିଲାପାଳଙ୍କ ସମେତ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହାକୁ ନେଇ କଂଗ୍ରେସ ଭାଜପାକୁ ଘେରିବା ଆରମ୍ଭ କରିଛି। ଏହା ଏକ ଷଡ଼ଯନ୍ତ୍ର ବୋଲି କଂଗ୍ରେସ ନେତା ଗୋବିନ୍ଦ ମୁଜାଲ୍‌ଦେ ଅଭିଯୋଗ କରିଛନ୍ତି। ଷ୍ଟ୍ରଙ୍ଗ୍‌ରୁମ୍‌ରେ ନିଆଁ ଲାଗିଛି ନା ଜାଣିଶୁଣି ଲଗାଯାଇଛି ତାହାର ନିରପେକ୍ଷ ତଦନ୍ତ ଦାବି ସେ କହିଛନ୍ତି।

Share