ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକଙ୍କୁ କଡ଼ା ତାଗିଦ

ଭୁବନେଶ୍ୱର,୫।୧୦(ବ୍ୟୁରୋ): ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ କଡ଼ା ତାଗିଦ କରିଛି। ଗତ ଅଗଷ୍ଟ ମାସରେ ପଦୋନ୍ନତି ପାଇଥିବା ବେଳେ ଅନେକ ଏବେ ବି ଯୋଗଦେଇ ନାହାନ୍ତି। ତେଣୁ ଆସନ୍ତା ୮ ତାରିଖ ସୁଦ୍ଧା ନୂତନ ସ୍ଥାନରେ କାର୍ଯ୍ୟରେ ଯୋଗ ନ ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶାଳୟ କହିଛି। ଏ ନେଇ ନିର୍ଦ୍ଦେଶାଳୟ ପକ୍ଷରୁ ମାଲକାନଗିରି ବ୍ୟତୀତ ଅନ୍ୟସବୁ ଜିଲାରୁ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି। ଏହି ଚିଠିରେ ଉଲ୍ଲେଖ ରହିଛି, ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ପାଇବା ପରେ ସମସ୍ତ ଶିକ୍ଷକଙ୍କୁ ରିଲିଭ୍‌ କରି ଦିଆଯାଇଛି। କିନ୍ତୁ ଅନେକ ଶିକ୍ଷକ ସେମାନଙ୍କ ନିଯୁକ୍ତି ସ୍ଥାନରେ ଯୋଗ ଦେଇ ନାହାନ୍ତି। ଏହା ଭିତରେ ୨ ମାସ ବିତି ଯାଇଛି। ସେମାନେ ପ୍ରଧାନଶିକ୍ଷକ ଭାବେ ନୂଆ ଦାୟିତ୍ୱରେ ଯୋଗ ଦେଉ ନ ଥିବା ଯୋଗୁ ସେହି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପାଠପଢ଼ା ସହିତ ପ୍ରଶାସନିକ କାର୍ଯ୍ୟରେ ବିଶୃଙ୍ଖଳା ଦେଖିବାକୁ ମିଳୁଛି। ଏଥିସହିତ ପଦୋନ୍ନତି ପାଇବା ପରେ ଛୁଟିରେ ଥିବା ଏହି ଶିକ୍ଷକମାନଙ୍କୁ ଆସନ୍ତା ୮ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ଅଥବା ନିଜ ପଦୋନ୍ନତିକୁ ପ୍ରତ୍ୟାଖ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି ୮ ତାରିଖ ପରେ ଛୁଟିରେ ରହିବେ, ତା’ହେଲେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲା ଶିକ୍ଷାଧିକାରୀମାନଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଛି।

Share