ନୂଆଦିଲ୍ଲୀ,୮ା୯: ସୁପ୍ରିମକୋର୍ଟ ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି) ଦଫା ୩୭୭କୁ ଅପରାଧମୁକ୍ତ କରି ସମଲିଙ୍ଗୀ କାମୁକ ବ୍ୟକ୍ତିମାନଙ୍କୁ ଆଇନତଃ ସଶକ୍ତ ନାଗରିକର ସ୍ବୀକୃତି ପ୍ରଦାନ କରିଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟ ସେମାନଙ୍କୁ ମର୍ଯ୍ୟାଦାର ସହ ସମ୍ପୂର୍ଣ୍ଣ ରୂପେ ନିଜ ଅଧିକାର ଦାବି ପାଇଁ ସକ୍ଷମ କରିଛି। ଏହା ସତ୍ତ୍ୱେ ଅସ୍ବାଭାବିକ ସମ୍ପର୍କ ରକ୍ଷାକାରୀ ଏହି ବଞ୍ଚିତ ବର୍ଗ ସମାଜରେ ବିରୋଧର ସମ୍ମୁଖୀନ ହେଉଛନ୍ତି। ଏଥିଲାଗି ସେମାନଙ୍କ ଅଧିକାରଗୁଡ଼ିକୁ ଆଇନତଃ ପ୍ରଭାବୀ କରିବା ସକାଶେ ଢାଞ୍ଚାଗତ ପରିବର୍ତ୍ତନ ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଡି. ଓ୍ବାଇ. ଚନ୍ଦ୍ରଚୂଡ଼ ମତବ୍ୟକ୍ତ କରିଛନ୍ତି।
ଆଇଆଇଟି ଦିଲ୍ଲୀରେ ‘ରିଅଲାଇଜିଂ ଡାଇଭର୍ସିିଟି: ମେକିଂ ଡିଫରେନ୍ସ ମ୍ୟାଟର ଇନ୍ ହାୟର ଏଜୁକେଶନ’ ଶୀର୍ଷକ ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖି ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି, କେତେକ ନିର୍ଦ୍ଦିଷ୍ଟ ସମଲିଙ୍ଗୀ ବ୍ୟକ୍ତି ସେମାନଙ୍କ ଜାତି ଓ ବର୍ଗକୁ ନେଇ ବିଭିନ୍ନ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଇନର ଦୁରୂପଯୋଗ ଏଭଳି ବ୍ୟକ୍ତିଙ୍କୁ ପ୍ରତୀକାତ୍ମକ ଓ ଶାରୀରିକ ଭାବେ କ୍ଷତି ପହଞ୍ଚାଉଛି। ସମାଜରେ ଏଭଳି ଅଗଣିତ ବ୍ୟକ୍ତିଙ୍କ ପ୍ରତିନିଧିତ୍ୱ କରୁଥିବା ଆବେଦନକାରୀମାନେ ନିଜ ଦୁର୍ଦ୍ଦଶା ସମ୍ପର୍କରେ ସର୍ବୋଚ୍ଚ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରି ନ ଥିଲେ ୨୦୧୮ ସେପ୍ଟେମ୍ବର ୬ରେ ନବତେଜ ସିଂ ଜୋହରଙ୍କ ମାମଲାରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧମୁକ୍ତ କରାଯାଇ ପାରି ନ ଥାଆନ୍ତା। ଆଜି ସେହି ଐତିହାସିକ ରାୟର ଚତୁର୍ଥ ବର୍ଷ ପୂର୍ତ୍ତି। ଏହି ଅବସରରେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ମହିଳା ସମଲିଙ୍ଗୀ, ପୁରୁଷ ସମଲିଙ୍ଗୀ, ଉଭୟ ଲିଙ୍ଗୀ, ତୃତୀୟ ଲିଙ୍ଗୀ ଓ ଅସ୍ବାଭାବିକ ସମ୍ପର୍କ ରକ୍ଷାକାରୀ (ଏଲ୍ଜିବିଟିକ୍ୟୁ) ଗୋଷ୍ଠୀର କେତେଜଣ ପ୍ରାକ୍ତନ ଆଇଆଇଟିଆନ୍ ଆବେଦନକାରୀଙ୍କ ଅଧିକାର ପାଇଁ ଲଢ଼େଇକୁ ସ୍ମରଣ କରିଛନ୍ତି। ଆଇଆଇଟି ଛାତ୍ରୀଛାତ୍ର କେବଳ ଆଧୁନିକ ସମସାମୟିକ ଭାରତରେ ବିକାଶକୁ ଗତି ଦେଇନାହାନ୍ତି, ସେମାନେ ସାମ୍ବିଧାନିକ ମୂଲ୍ୟବୋଧକୁ ଦେଶବାସୀଙ୍କ ପାଖରେ ପହଞ୍ଚାଇବା ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ବୋଲି ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି।