କେନ୍ଦୁଝର,୫ା୧୨:କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ଏବେ ନିତିଦିନିଆ ଘଟଣା ପାଲଟିଛି। ହାତୀପଲ ଜଙ୍ଗଲରେ ଖାଦ୍ୟ ଅଭାବ କାରଣରୁ ଗଁା ମୁହଁା ହେଉଛନ୍ତି। ଗ୍ରାମାଞ୍ଚଳରେ ଫସଲ ନଷ୍ଟ କରିବା ସହ ଘର ଭଙ୍ଗାରୁଜା କରୁଛନ୍ତି। ଏପରି କି ହାବୁଡ଼ରେ ପଡ଼ିଲେ ଲୋକଙ୍କୁ ମାରୁଛନ୍ତି। ଶିକାରୀ ମଧ୍ୟ ଜଙ୍ଗଲରେ ବିଦ୍ୟୁତ୍ ତାର ବିଛାଇ, ଗୁଳିକରି ହାତୀ ଶିକାର କରୁଛନ୍ତି। ଫଳରେ ଜିଲାରେ ହାତୀ ଓ ମଣିଷ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଥିବା ବେଳେ ହାତୀ ବଞ୍ଚତ୍ବା ପାଇଁ ଜଙ୍ଗଲ ଓ ଜନବସତି ସବୁଠି ସଂଘର୍ଷ କରିବାକୁ ପଡୁଛି। ହାତୀଙ୍କୁ ସୁରକ୍ଷା ସହ ଲୋକଙ୍କ ଧନଜୀବନର ରକ୍ଷା କରିବାରେ ବନ ବିଭାଗ ବିଫଳ ହେଉଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି। ହାତୀ-ମଣିଷ ଲଢ଼େଇ ରୋକିବାକୁ ବିଭାଗ ପକ୍ଷରୁ ମେସେଜ ପଠାଇବା, ଟ୍ରେଞ୍ଜ ଖୋଳା ଭଳି ବିଭିନ୍ନ ପଦକ୍ଷେପ ନିଆଯାଉଛି। ମାତ୍ର କେନ୍ଦୁଝର ଡିଭିଜନରେ କର୍ମଚାରୀ ଅଭାବ କାରଣରୁ ଯୋଜନାର ସୁଫଳ ମିଳୁନାହିଁ। ଫଳରେ ଅନେକ ସମୟରେ ହାତୀ ମୃତ୍ୟୁର ବହୁ ବିଳମ୍ବରେ ଖବର ପହଞ୍ଚୁଛିି ଏବଂ ଗଳିତ ମୃତଦେହ ଉଦ୍ଧାର ହେଉଛି। ଅନ୍ୟପକ୍ଷେ ମିଳୁଥିବା କ୍ଷତିପୂରଣ ପ୍ରକୃତ କ୍ଷୟକ୍ଷତି ପରିମାଣଠାରୁ ବହୁତ କମ୍ ବୋଲି ଅଭିଯୋଗ ହେଉଛି।
ବନ ବିଭାଗ ତଥ୍ୟ ଅନୁଯାୟୀ, ଗତ ୬ ବର୍ଷ ମଧ୍ୟରେ କେନ୍ଦୁଝର ଡିଭିଜନରେ ସମୁଦାୟ ୩୧ଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିରୁ ୮ଟି ସ୍ବାଭାବିକ ଓ ଅବଶିଷ୍ଟ ୨୩ଟିର ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେଥିରୁ ଟ୍ରେନ୍ ଦୁର୍ଘଟଣାରେ ୪ଟି, ସଡ଼କ ଦୁର୍ଘଟଣାରେ ୩ଟି, ବିଦ୍ୟୁତ୍ ଆଘାତରେ ୫ଟି, ରୋଗରେ ୧୧ଟି ହାତୀ ମୃତ୍ୟୁବରଣ କରିଛନ୍ତି। ୨୦୧୭-୧୮ ମସିହାରେ ୨ଟି ହାତୀ ମୃତ୍ୟୁବରଣ କରିଥିବା ବେଳେ ୨୦୧୮-୧୯ରେ ୩, ୨୦୧୯-୨୦ରେ ୬, ୨୦୨୦-୨୧ରେ ୭, ୨୦୨୧-୨୨ରେ ୭ ହାତୀଙ୍କ ମୃତ୍ୟୁ ହୋଇଛି। ୨୦୨୨-୨୩ରେ ଅଦ୍ୟାବଧି ୭ ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ବର୍ଷ ଶେଷବେଳକୁ ସୁରକ୍ଷା ଦିଆ ନ ଗଲେ ଅଧିକ ହାତୀଙ୍କ ମୃତ୍ୟୁ ଘଟିବା ସମ୍ଭାବନା ରହିଛି। ହାତୀ ଆକ୍ରମଣରେ ୨୦୧୮ରୁ ଅଦ୍ୟାବଧି ୪୭ ଜଣଙ୍କ ପ୍ରାଣହାନୀ ଘଟିଛି। ସେଥିରୁ ୨୦୧୮-୧୯ରେ ସର୍ବାଧିକ ୧୪ ଜଣ, ୨୦୧୯-୨୦ରେ ୯ ଜଣ, ୨୦୨୦-୨୧ରେ ୬ ଜଣ, ୨୦୨୧-୨୨ରେ ୧୪ ଜଣ, ୨୦୨୨-୨୩ରେ ଚଳିତ ଗତ ନଭେମ୍ବର ପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ହୋଇଛି। ସେ ବାବଦରେ ସମୁଦାୟ ୧ କୋଟି ୮୮ଲକ୍ଷ ଟଙ୍କା କ୍ଷତିପୂରଣ ପୈଠ ହୋଇଛି। ଏହି ସମୟ ମଧ୍ୟରେ ୨୦୦ ଜଣ ଆହତ ହୋଇଥିବା ବେଳେ ସେଥିରୁ ୮ ଜଣ ଶାରୀରିକ ଅକ୍ଷମ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ସମୁଦାୟ ୧୭ ଲକ୍ଷ ୬୦ ହଜାର ଟଙ୍କା କ୍ଷତିପୂରଣ ଦିଆସରିଛି। ମାତ୍ର ଠିକ୍ ଆକଳନ ହେଉ ନ ଥିବାରୁ ଚାଷୀମାନେ ପ୍ରକୃତ କ୍ଷୟକ୍ଷତି ପାଇପାରୁନାହାନ୍ତି ବୋଲି ନେଲୁଙ୍ଗ ଗ୍ରାମର ସଞ୍ଜୟ ପଣ୍ଡା କହିଛନ୍ତି। ସେହିପରି ସଦର ବ୍ଲକ୍ ଅଧୀନ ତାଳପଦା ଗ୍ରାମର ଚାଷୀ ଭାଗୀରଥି ସିଂ, ସଞ୍ଜୟ ପଣ୍ଡା କହିଛନ୍ତି ହାତୀମାନଙ୍କ ପାଇଁ ରାତି ଅନିଦ୍ରା ରହିବାକୁ ପଡୁଛି। ବନ ବିଭାଗ ଘଉଡ଼ାଇବାରେ ବିଫଳ ହେଉଛି। ଫଳରେ ଜମିରୁ ଫସଲ, ବାଡ଼ିବଗିଚାରୁ ପନିପରିବା ବହୁ ପରିମାଣରେ କ୍ଷତି ହେଉଛି। ଧାରକରଜ କରି ଚାଷ କରିଥିବା ଚାଷୀ କ୍ଷତିଗ୍ରସ୍ତ ହେଉଥିବା ବେଳେ ଅନେକେ ହାତୀ ଦାଉରୁ ଚାଷ କାର୍ଯ୍ୟ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି। ୨୦୧୮-୧୯ରୁ ଅଦ୍ୟାବଧି ସମୁଦାୟ ୧୩୩୨୯ ଜଣଙ୍କ ୧୦,୭୩୨, ୮୬୬ ଏକର ଫସଲ ହାନୀ ହୋଇଛି। ସେ ବାବଦକୁ ୩,୮୨, ୫୨,୨୭୬ ଟଙ୍କା କ୍ଷତିପୂରଣ ଦିଆଯାଇଛି। ସେହିପରି ୭୮୧ ଲୋକଙ୍କ ମଧ୍ୟରୁ ୪୭୩ ଆଂଶିକ ଓ ୩୦୮ଜଣଙ୍କ ସମ୍ପୂର୍ଣ୍ଣ ଘର ଭାଙ୍ଗିଯାଇଥିବା ବେଳେ ସେ ବାବଦକୁ ୪୦ଲକ୍ଷ ୯୬ହଜାର ଟଙ୍କା କ୍ଷତିପୂରଣ ଦିଆଯାଇଥିବା ବନ ବିଭାଗ ସୂଚନା ଦେଇଛି।
ଏଚ୍ଡି ଧନ୍ରାଜ କହିଛନ୍ତି ଯେ, ମଣିଷଙ୍କ ସୁରକ୍ଷା ପାଇଁ ଲୋକଙ୍କୁ ମେସେଜ ଓ ମାଇକରେ ଆଗୁଆ ସଚେତନ କରାଯାଉଛି। ଏଥିସହ ଡ୍ରୋନ୍ ମାଧ୍ୟମରେ ହାତୀପଲଙ୍କ ଗତିବିଧି ଉପରେ ନଜର ରଖି ଜନବସତି ଅଞ୍ଚଳରୁ ଜଙ୍ଗଲକୁ ଘଉଡ଼ାଇବା ପାଇଁ ବ୍ୟବସ୍ଥା କରାଯାଉଛି। ଅନେକ ସ୍ଥାନରେ ଟ୍ରେଞ୍ଚ ଖୋଳାଯିବା ସହ ସୋଲାର ଫେନସିଙ୍ଗ ବ୍ୟବସ୍ଥା କରାଯାଉଛି। ଅନେକ କ୍ଷେତ୍ରରେ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଉଛି। ହାତୀମାନଙ୍କ ସୁରକ୍ଷା ପାଇଁ ସେମାନଙ୍କ ଉପରେ ନଜର ରଖି ଟ୍ରାକିଂ ହେଉଛି। ହାତୀଙ୍କୁ ଆକ୍ରମଣକାରୀ ଓ ଶିକାରୀଙ୍କ ଉପରେ କଡ଼ା ନଜର ରଖି ଧରପଗଡ଼ କରାଯାଉଛି ବୋଲି ସେ କହିଛନ୍ତି।
ତଥା ଚାଷୀନେତା ରାଧାକାନ୍ତ ମହାନ୍ତ କହିଛନ୍ତି, ହାତୀ ଓ ମଣିଷ ଲଢ଼େଇ ରୋକିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେବା ଜରୁରୀ। ହାତୀମାନଙ୍କ ସୁରକ୍ଷା ପାଇଁ ସେମାନଙ୍କ ଆବାସସ୍ଥଳୀର ସୁରକ୍ଷା ସହ ବନାଞ୍ଚଳରେ ବ୍ୟାପକ ପରିମାଣରେ ଖାଦ୍ୟ ବ୍ୟବସ୍ଥା କରିବା ଆବଶ୍ୟକ। ସେହିପରି ସେମାନଙ୍କ ସୁରକ୍ଷା ପାଇଁ ବହୁ ଆଗରୁ ପ୍ରସ୍ତୁତ କରାଯାଇଥିବା ପ୍ରସ୍ତାବିତ ବୈତରଣୀ ହସ୍ତୀ ଅଭୟାରଣ୍ୟ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବା ଦରକାର।
୧୩୯ ପଦବୀରୁ ୭୯ ଗାର୍ଡ ନାହାନ୍ତି
ହାତୀ ଉପଦ୍ରବ ସାଙ୍ଗକୁ ଖଣି ଅଞ୍ଚଳରେ ଚୋରା କାରବାର, କାଠ ଚୋରାଚାଲାଣ, ପଶୁ ଶିକାର ଭଳି ସମସ୍ୟାକୁ ବନ ବିଭାଗ ପ୍ରତିହତ କରୁଛି। ଏହା ବ୍ୟତୀତ ବନୀକରଣ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା (ଏମଜିଏନ୍ଆରଇଜିଏସ୍)ରେ ବିଭିନ୍ନ ଉନ୍ନୟନମୂଳକ କାମ ମଧ୍ୟ କରୁଛି। ମାତ୍ର କେନ୍ଦୁଝର ଡିଭିଜନରେ ସମୁଦାୟ ୨୩୭ ଜଣ କର୍ମଚାରୀରୁ ୧୨୫ ଜଣ ନିଯୁକ୍ତି ପାଇଛନ୍ତି। ଅବଶିଷ୍ଟ ୧୧୨ ପଦବୀ ଖାଲିପଡ଼ିଛି। ସବୁଠାରୁ ଅଧିକ ତୃଣମୂଳସ୍ତରରେ କାମ କରୁଥିବା ଫରେଷ୍ଟ ଗାର୍ଡଙ୍କ ୧୩୯ ପଦବୀରୁ ମାତ୍ର ୬୦ ଜଣ ଗାର୍ଡ ରହିଥିବା ବେଳେ ୭୯ ପଦବୀ ଖାଲିପଡ଼ିଛି। ଜଣେ ଗାର୍ଡ ଦୁଇ, ତିନୋଟି ବିଟ୍ ଦାୟିତ୍ୱରେ ରହିଥିବାରୁ ହାତୀ ଟ୍ରାକିଂ ସହିତ ଅନ୍ୟାନ୍ୟ କାମ କରିବା ସୁବିଧା ଜନକ ନୁହେଁ ବୋଲି ପରିବେଶବିତ୍ ହରେକୃଷ୍ଣ ମହାନ୍ତ ମତବ୍ୟକ୍ତ କରିଛନ୍ତି।
ନରେଶ ଚନ୍ଦ୍ର ପଟ୍ଟନାୟକ