Categories: ଖେଳ

ଇତିହାସ ରଚିଲେ ଷ୍ଟୁଆର୍ଟ ବ୍ରଡ

ମାଞ୍ଚେଷ୍ଟର,୨୦।୭: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଆଶେସ ସିରିଜର ଚତୁର୍ଥ ମ୍ୟାଚରେ ଇଂଲଣ୍ଡର ତାରକା ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ଇତିହାସ ସୃଷ୍ଟି କରିଛନ୍ତି। ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ହେଡଙ୍କୁ ଆଉଟ୍‌ କରି ବ୍ରଡ ଟେଷ୍ଟ କ୍ରିକେଟରେ ୬୦୦ ଉଇକେଟ ପୂରଣ କରିଥିଲେ। ଟେଷ୍ଟ କ୍ରିକେଟରେ ୬୦୦ ଉଇକେଟ ନେଇ ବ୍ରଡ ପଞ୍ଚମ ବୋଲର ହୋଇଛନ୍ତି। ବ୍ରଡ ପୂର୍ବରୁ ମୁରଲୀଧରନ, ସେନ୍‌ ୱାର୍ନ, ଜେମ୍ସ ଆଣ୍ଡରସନ ଏବଂ ଅନିଲ କୁମ୍ବଲେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି।
ଚତୁର୍ଥ ଟେଷ୍ଟ ଆରମ୍ଭ ପୂର୍ବରୁ ଏହି ମାଇଲଖୁଣ୍ଟ ହାସଲ କରିବା ପାଇଁ ବ୍ରଡ ଦୁଇଟି ଉଇକେଟ ନେବା ଆବଶ୍ୟକ ଥିଲା। ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ବ୍ରଡ ଦୁଇଟି ଉଇକେଟ ନେଇଥିଲେ। ବ୍ରଡ ଖ୍ବାଜା ଏବଂ ହେଡଙ୍କୁ ପ୍ୟାଭିଲିୟନକୁ ପଠାଇଥିଲେ।
ଟେଷ୍ଟ କ୍ରିକେଟରେ ଏହି ମାଇଲଖୁଣ୍ଟ ହାସଲ କରିବାକୁ ବ୍ରଡ ପାଇଁ ୧୬ ବର୍ଷ ସମୟ ଲାଗିଥିଲା। ବ୍ରଡ ୨୦୦୭ରେ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ। ବ୍ରଡ ଏହା ପରେ ଲମ୍ବା ଫର୍ମାଟରେ ଆଉ ପଛକୁ ଚାହିଁଲା ନାହିଁ। ୧୬୬ ତମ ଟେଷ୍ଟରେ ବ୍ରଡ ୬୦୦ ଉଇକେଟ ସମାପ୍ତ କରିଛି। ଏହି କୀର୍ତ୍ତିମାନ ହାସଲ କରିବାରେ ବ୍ରଡ ହେଉଛି ଇଂଲଣ୍ଡର ଦ୍ୱିତୀୟ ଦ୍ରୁତ ବୋଲର। ବ୍ରଡଙ୍କ ସହ ଖେଳାଳି ଆଣ୍ଡରସନ ଟେଷ୍ଟ କ୍ରିକେଟରେ ୬୦୦ରୁ ଅଧିକ ଉଇକେଟ ନେଇଛନ୍ତି।

Share