ଜିଦ୍‌ରେ ଅଟଳ ମଧ୍ୟାହ୍ନଭୋଜନ ପାଚିକା ସହାୟିକା

ଭୁବନେଶ୍ୱର,୨୮।୯(ଅନୁରାଧା ମହାରଣା)୧୫ ଦଫା ଦାବି ନେଇ ମଧ୍ୟାହ୍ନଭୋଜନ ପାଚିକା ସହାୟିକାମାନେ ଲୋୟର ପିଏମଜିରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଆଇଟିୟୁସି ସହବନ୍ଧିତ ନିଖିଳ ଓଡ଼ିଶା ଏମ୍‌ଡିଏମ୍‌ ପାଚିକା ସହାୟିକା ସଂଘ, ଏଚ୍‌ଏମ୍‌ଏସ୍‌ ସହବନ୍ଧିତ ପାଚିକା ସହାୟିକା ସଂଘ, ସିଆଇଟିୟୁ ସହବନ୍ଧିତ ଅଲ ଓଡ଼ିଶା ପାଚିକା ସହାୟିକା ସଂଘ, ଏଆଇୟୁଟିୟୁସି ସହବନ୍ଧିତ ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ, ଏଆଇସିସିଟିୟୁ ସହବନ୍ଧିତ ଓଡ଼ିଶା ପାଚିକା ମହାସଂଘକୁ ନେଇ ଗଠିତ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ମିଳିତ ମଞ୍ଚ ପକ୍ଷରୁ ଏହି ଆନ୍ଦୋଳନ ଜାରି ରହିଛି। ତେବେ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନରୁ ଓହରିବେନି ବୋଲି ଆନ୍ଦୋଳନକାରୀମାନେ ଜିଦରେ ଅଟଳ ରହିଛନ୍ତି। ଶ୍ରମିକ ମାନ୍ୟତା, ଶିକ୍ଷା ବିଭାଗରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନ୍ୟତା, ମାସିକ ୨୬ ହଜାର ଟଙ୍କା ଦରମା, ବେଆଇନ ଛଟେଇ ବନ୍ଦ, ଛଟେଶ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ପ୍ରଦାନ, ଅବସର ବୟସ ସୀମା ୬୫ବର୍ଷକୁ ବୃଦ୍ଧି, ସାମାଜିକ ସୁରକ୍ଷା ବ୍ୟବସ୍ଥା, ୧୦ ମାସ ବଦଳରେ ୧୨ ମାସର ଦରମା ପ୍ରଦାନ ଆଦି ଦାବି ନେଇ ଆନ୍ଦୋଳନକାରୀମାନେ ନାରାବାଜି କରିଛନ୍ତି। ମଧ୍ୟାହ୍ନଭୋଜନ ଯୋଜନାକୁ କେନ୍ଦ୍ର ସରକାର ପିଏମ୍‌ ପୋଷଣରେ ପରିବର୍ତ୍ତନ କରିଥିଲେ ମଧ୍ୟ ବାର୍ଷିକ ବଜେଟରେ ବ୍ୟୟ ବରାଦ ହ୍ରାସ କରାଯିବା, ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନ ଭୋଜନ ଭଳି ଗୁରୁତ୍ୱପୂର୍ଣ କାର୍ଯ୍ୟରେ ମାସକୁ କେବଳ ୧୪୦୦ଟଙ୍କା, ବର୍ଷରେ ୧୦ ମାସ ଭତ୍ତା ମିଳିବାକୁ ବିରୋଧ କରାଯାଇଛି। ନୂତନ ଶିକ୍ଷାନୀତି ୨୦୨୦କୁ ବାତିଲ କରିବା ସହ ଅନ୍ୟାନ୍ୟ ଦାବିରେ ପାଚିକା ସହାୟିକାମାନେ ଅଡ଼ି ବସିଛନ୍ତି।

Share