ଛାତ୍ରଙ୍କୁ ଅପହରଣ ମାମଲା: ୩ ବାଇକ, ୨ ମୋବାଇଲ ଜବତ, ୪ ଗିରଫ

କଟକ,୧୦ା୭ (କାର୍ତ୍ତିକ ସାହୁ): ଜଣେ ଇଭେଣ୍ଟ ମ୍ୟାନେଜମେଣ୍ଟ ଛାତ୍ରଙ୍କୁ ଅପହରଣ ମାମଲାରେ ଦରଘାବଜାର ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ତିନୋଟି ବାଇକ ଓ ଦୁଇଟି ମୋବାଇଲ୍‌  ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଦରଘାବଜାର ଥାନା ଅନ୍ତର୍ଗତ ହକଂକକଂ ହୋଟେଲ ନିକଟରେ ରହୁଥିବା ସେକ ନକିବ(୨୧), ପିଏମ୍‌ ଏକାଡେମି ନିକଟରେ ରହୁଥିବା ସେକ ଫୈଜେନ(୨୦), ମଙ୍ଗଳାବାଗ ଥାନା ଅନ୍ତର୍ଗତ କେଶରପୁର ବଡ଼ି ମଜସିଦ ଅଞ୍ଚଳର ସେକ ଓ୍ବାସିମ(୨୧) ଓ ଦରଘାବଜାର ତିନିକୋଣିଆ ବଗିଚା ଅଞ୍ଚଳର ମହମ୍ମଦ ଅସିଫ(୨୦)। ପୋଲିସ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।
ସୂଚନା ଅନୁସାରେ, ଦରଘାବଜାର ଥାନା ହାତୀପୋଖରୀ ଅଞ୍ଚଳର ମହମ୍ମଦ ତାହିରଙ୍କ ପୁଅ ମହମ୍ମଦ ମୁସ୍ତାକ(୧୮) ଭୁବନେଶ୍ବରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଇଭେଣ୍ଟ ମ୍ୟାନେଜମେଣ୍ଟ ପଢ଼ୁଥିଲେ। କୌଣସି କାରଣରୁ ଗିରଫ ଯୁବକମାନେ ତାଙ୍କୁ ଗତ ଫେବ୍ରୁଆରି ମାସରୁ ଟଙ୍କା ଦେବାକୁ କହିଆସୁଥିଲେ। ଏଥିସହ ଫେବୃଆରି ମାସରେ ତାଙ୍କର ଏକ ମୋବାଇଲ  ବି ସେମାନେ ଛଡ଼ାଇ ନେଇଥିଲେ। ସେମାନେ ଗତ ୪ ତାରିଖ ସାରେ ମୁସ୍ତାକଙ୍କୁ ତାଙ୍କ ଘର ସାମନାରୁ ବାଇକ୍‌ରେ ଉଠାଇ ନେଇଥିଲେ। ମୁସ୍ତାକ ହାତୀପୋଖରୀ ଅଞ୍ଚଳରୁ ଓଲଡ୍‌ କ୍ୟାଣ୍ଟନମେଣ୍ଟ ଥାନା ନିକଟରେ ଥିବା ବେଳେ ଏଭଳି କାଣ୍ଡ ଘଟିଥିଲା। ଅଭିଯୁକ୍ତମାନେ ମୁସ୍ତାକଙ୍କୁ ମାଡ଼ ମାରିବା ସହିତ ଅଟକ ରଖିଥିଲେ। ସେମାନେ ମୁସ୍ତାକଙ୍କୁ ୪୦ ହଜାର ଟଙ୍କା ଦେବା ପାଇଁ କହିଥିଲେ। ଟଙ୍କା ନ ଦେଲେ ଛାଡ଼ିବେ ନାହିଁ ବୋଲି ସେମାନେ ଧମକ ଦେଇଥିଲେ। ମୁସ୍ତାକ ସେଠାରୁ କୌଶଳ କ୍ରମେ ଖସିଆସି ଦରଘାବଜାର ଥାନାରେ ଅଭିଯୋଗ କରିଥିଲେ। ଭାରତୀୟ ନ୍ୟାୟ ସଂହିତାର ଧାରା ୧୩୭(୨), ୧୧୫(୨), ୨୯୬, ୩୫୧(୩), ୩୫୧(୪), ୩୦୮(୫), ୬୧(୨), ୪୯, ୩(୫)ରେ ପୋଲିସ ଗତ ୫ ତାରିଖରେ ମାମଲା ନଂ ୧୪୨/୨୦୧୪ ରୁଜୁ କରିଥିଲା। ପୋଲିସ ତଦନ୍ତ ବେଳେ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ଏକାଧିକ ଅପରାଧୀକ ମାମଲା ଥାନାରେ ରୁଜୁ ହୋଇଥିବା ଦରଘାବଜାର ଥାନା ଆଇଆଇସି ଚିନ୍ତେଶ୍ବର ମୁଣ୍ଡ ସୂଚନା ଦେଇଛନ୍ତି।