ଖୁଣ୍ଟା କଲେଜରେ ଛାତ୍ର ଅଶାନ୍ତି

ଉଦଳା,୨୧ା୭(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟରେ ରିଆଡ୍‌ମିଶନ ଫି ବୃଦ୍ଧିକୁ ଛାତ୍ରୀଛାତ୍ର ବିରୋଧ କରିଛନ୍ତି। ନ୍ୟାୟ ପାଇଁ ମଙ୍ଗଳବାର ସେମାନେ ସ୍ଥାନୀୟ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏନେଇ କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି। କେବଳ ବର୍ଦ୍ଧିତ ଫି ନୁହେଁ ଚଳିତ ଜୁଲାଇ ଶେଷ ସୁଦ୍ଧା ସମସ୍ତେ ରିଆଡ୍‌ମିଶନ କରିବା ବାଧ୍ୟତାମୂଳକ ବୋଲି କଲେଜ ଅଧ୍ୟକ୍ଷ କହିଥିବା ଛାତ୍ରୀଛାତ୍ର ଅଭିଯୋଗରେ ଦର୍ଶାଇଛନ୍ତି। କରୋନା ମହାମାରୀ ପରିସ୍ଥିତିରେ କଲେଜ ଅଧ୍ୟକ୍ଷ ଛାତ୍ରୀଛାତ୍ରଙ୍କ ଦାବି ନ ଶୁଣିବାରୁ ସେମାନେ ଉଦଳା ଉପଜିଲାପାଳ ଭଗବାନ ବେହେରାଙ୍କୁ ଭେଟି ଦାବିପତ୍ର ଦେବାକୁ ଆସିଥିଲେ। ତେବେ ଉପଜିଲାପାଳଙ୍କୁ ଭେଟି ନ ପାରି କାର୍ଯ୍ୟାଳୟର ଅନ୍ୟ କର୍ମଚାରୀଙ୍କ ହାତରେ ଦାବିପତ୍ର ଦେଇ ଫେରି ଆସିଥିଲେ। ସେମାନଙ୍କ ଦାବି ପ୍ରତି ଦୃଷ୍ଟି ଦିଆ ନ ଗଲେ ଆନ୍ଦୋଳନକୁ ଓହ୍ଲାଇବା ସହିତ ପାଠପଢା ଛାଡିବାକୁ ବାଧ୍ୟ ହେବେ ବୋଲି ସେମାନେ କହିଛନ୍ତି ା ଏସଂକ୍ରାନ୍ତରେ କଲେଜ ଅଧ୍ୟକ୍ଷ ସରୋଜ ରଞ୍ଜନ ତ୍ରିପାଠୀଙ୍କୁ ପଚାରିବାରୁ ସେ ଘଟଣାକୁ ଏଡ଼ାଇ ଯାଇଥିଲେ। ମୁଁ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛି, କଲେଜ ପରିଚାଳନା କମିଟି ବୈଠକ ବସିବା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।